Types of batya Photograph: (KanakNews)
କନକ ବ୍ୟୁରୋ : ୧୯୯୯ ମସିହାରେ ମହାବାତ୍ୟା ଓଡ଼ିଶାରେ କେଉଁଭଳି ପ୍ରଳୟ ରଚିଥିଲା, ତାହା ସାରା ବିଶ୍ବ ଦେଖିଥିଲା । ପ୍ରାୟ ୧୦ ହଜାର ଲୋକଙ୍କ ଏଥିରେ ମୃତ୍ୟୁ ହୋଇଥିଲା । ଏହି ବିପର୍ଯ୍ୟୟର ଦୁର୍ଦ୍ଦଶା ମନରୁ ଲିଭିନଥିବା ବେଳେ ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ମୂକସାକ୍ଷୀ ପାଲଟିଛି ଓଡ଼ିଶା । ଫାଇଲିନ, ହୁଡ଼ହୁଡ଼ ଓ ଫନି ପରି ବଡ଼ ବାତ୍ୟା ଓଡ଼ିଶା ଉପକୂଳରେ ବ୍ୟାପକ କ୍ଷତି ଘଟାଇଛନ୍ତି । ସେପଟେ ଇତିହାସ କୁହେ ୧୮୯୦ ମସିହାରୁ ଓଡ଼ିଶାକୁ ବାତ୍ୟା ମାଡ଼ ହୋଇ ଆସୁଛି । କେତେବେଳେ ସିଧାସଳଖ ସ୍ଥଳଭାଗ ଛୁଇଁଛି ତ ଆଉ କେତେବେଳେ ଓଡ଼ିଶା ଦେଇ ପଡ଼ୋଶୀ ରାଜ୍ୟକୁ ଯାଇଛି ବାତ୍ୟା । ୧୮୯୦ ମସିହାରୁ ୨୦୨୪ ଅକ୍ଟୋବର ମଧ୍ୟରେ ପ୍ରାୟ ୪ ଶହରୁ ଊର୍ଦ୍ଧ୍ବ ବାତ୍ୟା ଓଡ଼ିଶା ଉପକୂଳ ଛୁଇଁଛି । ୧୯୯୯ ମହାବାତ୍ୟା ଖାଲି ଦେଶ ନୁହେଁ ସମଗ୍ର ବିଶ୍ୱରେ ଏକ ଛାତିଥରା ପରିସ୍ଥିତି ସୃଷ୍ଟି କରିଥିଲା । ପ୍ରାକୃତିକ ବିପର୍ଯ୍ୟୟ କ’ଣ , ସାଧାରଣରେ ଅନୁଭୂତ ହୋଇଥିଲା । ତେବେ ଭୌଗୋଳିକ ଅବସ୍ଥିତି ଓଡ଼ିଶାକୁ ସର୍ବଦା ସାମୁଦ୍ରିକ ବିପର୍ଯ୍ୟୟର ସାମ୍ନା କରିବାକୁ ବାଧ୍ୟ କରିଛି । ଓଡ଼ିଶା ମଧ୍ୟ ବିପର୍ଯ୍ୟୟ ମୁକାବିଲା ରଣନୀତିରେ ଦୀର୍ଘମିଆଦି ପ୍ରଭାବୀ ଯୋଜନା, ମୁକାବିଲା ରଣନୀତି, ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରି ଜିରୋ-କାଜୁଆଲିଟି ମୋଡରେ ବିପର୍ଯ୍ୟୟର ସାମ୍ନା କରିବାରେ ଅନୁଭବ ହାସଲ କରିଛି ।
ଓଡ଼ିଶାକୁ ଆସିଥିଲା ଏମିତି ଏକ ବାତ୍ୟା :ଦୋହଲି ଯାଇଥିଲା ଅଧା ରାଜ୍ୟ,ଏବେ ବି ମନେ ପଡ଼ିଲେ ଦେହ ଶିହରି ଉଠେ
ବାତ୍ୟାଟି ଛୋଟ କିମ୍ବା ମଧ୍ୟମଧରଣର ହୋଇଥିଲେ ଏହା ସମୁଦ୍ର ମଧ୍ୟରେ ଘନୀଭୂତ ହୋଇ ଅଧିକ ସମୟ ରହିପାରନ୍ତି ନାହିଁ କିମ୍ବା ବାରମ୍ବାର ରିକର୍ଭ କରି ଲମ୍ବା ଦୂରତା ଅତିକ୍ରମ କରିପାରେ ନାହିଁ । ଫଳରେ କେନ୍ଦ୍ରୀୟ ବଙ୍ଗୋପସାଗରରୁ ବାଂଲାଦେଶ କିମ୍ବା ପଶ୍ଚିମବଙ୍ଗ ଆଡ଼କୁ ଗତିକରିବା ପରିବର୍ତ୍ତେ ନିକଟବର୍ତ୍ତୀ ଓଡ଼ିଶା ଉପକୂଳକୁ ବଢ଼େ । ଓଡ଼ିଶା ଉପକୂଳରେ ବାତ୍ୟା ଅନୁକୂଳ ତାପମାତ୍ରା ଓ ଅନ୍ୟ ବାୟୁମଣ୍ଡଳୀୟ ସମୀକରଣ ପାଇବା ପରେ ଏହା ଲ୍ୟାଣ୍ଡଫଲ କରିଥାଏ । ସାମୁଦ୍ରିକ ବାତ୍ୟା ସୃଷ୍ଟି ହେଉଥିବା ସମୟ ଆଧାରରେ ଦୁଇ ପ୍ରକାର ହୋଇଥାଏ । ପ୍ରି-ମନସୁନ ମୌସୁମୀ ପୂର୍ବବର୍ତ୍ତୀ ଏବଂ ପୋଷ୍ଟ-ମନସୁନ ମୌସୁମୀ ପରବର୍ତ୍ତୀ ବାତ୍ୟା । ପ୍ରି-ମନସୁନ ବାତ୍ୟା ସମୁଦ୍ର ମଧ୍ୟରେ ରିକର୍ଭ କରେ ଓ ପୋଷ୍ଟ-ମନସୁନ ବାତ୍ୟା ପ୍ରାୟତଃ ସ୍ଥଳଭାଗ ଛୁଏଁ ।
ତେବେ ଆସନ୍ତୁ ଜାଣିବା ବାତ୍ୟା କେତେ ପ୍ରକାରର ଏବଂ ବାତ୍ୟା ଆସିଲେ ପବନର ବେଗ ଘଣ୍ଟା ପ୍ରତି କେତେ ହୁଏ ।
ବାତ୍ୟା ନେଇ ବିଶାଖାପାଟଣାକୁ ହାଇଆଲର୍ଟ; ୧୬ ବିମାନ ବାତିଲ
ଝଡ଼ ବାତ୍ୟା : ୬୨ – ୮୮ କି.ମି
ଭୀଷଣ ଝଡ଼ ବାତ୍ୟା : ୮୯-୧୧୭ କି.ମି
ଅତି ଭୀଷଣ ଝଡ଼ ବାତ୍ୟା : ୧୧୮-୧୬୬ କି.ମି
ଅତି ଭୟଙ୍କର ଝଡ଼ ବାତ୍ୟା : ୧୬୭-୨୨୧ କି.ମି
ସୁପର ସାଇକ୍ଲୋନ୍ (ମହାବାତ୍ୟା) : ୨୨୨ କିମିରୁ ଅଧିକ
ପୂର୍ବ-ତଟୀୟ ରାଜ୍ୟ ଓଡ଼ିଶା ଏବଂ ପ୍ରାକୃତିକ ବିପର୍ଯ୍ୟୟ ଯେପରି ପରସ୍ପର ସହଚର । ଦୀର୍ଘ ଉପକୂଳ ଓ ବିସ୍ତିର୍ଣ୍ଣ ବେଳାଭୂମି ଥିବା ଓଡ଼ିଶା ପ୍ରତିବର୍ଷ ସାମୁଦ୍ରିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ପ୍ରତିବର୍ଷ ଛୋଟ-ବଡ଼ ଏକାଧିକ ବାତ୍ୟା ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ କରି ପ୍ରଭୂତ କ୍ଷତି ଘଟାଉଛନ୍ତି । ଧନ-ଜୀବନ କ୍ଷୟକ୍ଷତି ଉଜାଡୁଛି ରାଜସ୍ବ । ପ୍ରଗତିରେ ବାଧକ ସାଜୁଛି ବିପର୍ଯ୍ୟୟ । ତେବେ ଓଡ଼ିଶାର ପୂର୍ବରେ ଥିବା ବଙ୍ଗୋପସାଗରର ଅବସ୍ଥିତି ଓ ଉକ୍ତ କ୍ଷେତ୍ରର ଭୌଗୋଳିକ ସମୀକରଣ ହିଁ ବାରମ୍ବାର ସାମୁଦ୍ରିକ ଝଡ଼ ସୃଷ୍ଟି ହେବା ଓ ପୂର୍ବ-ଉପକୂଳ ମୁହାଁ ହେବାର ମୁଖ୍ୟ କାରଣ । କିନ୍ତୁ ପଶ୍ଚିମ-ଉପକୂଳ ଆରବ ସାଗରରେ ତୁଳନାରେ ବଙ୍ଗୋପସାଗରରେ ଅଧିକ ଓ ଶକ୍ତିଶାଳୀ ବାତ୍ୟା ସୃଷ୍ଟି ହେବା ପଛରେ ରହିଛି ଏକାଧିକ ଜଟିଳ ଭୌଗୋଳିକ ସମୀକରଣ ।
Follow Us