କନକ ବ୍ୟୁରୋ : ଓଡ଼ିଆ ଜାତିର ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥ । ମଣିମାଙ୍କ ପୂଜା ଯେତେ ନିଆରା ତାଙ୍କୁ ଲାଗୁଥିବା ଭୋଗ ସେତେ ସ୍ବତନ୍ତ୍ର । ମହାବାହୁଙ୍କର ବିଗ୍ରହ ନିର୍ମାଣଠାରୁ ଆରମ୍ଭ କରି ଦୈନନ୍ଦିନ ଜୀବନଚର୍ଯ୍ୟା ପର୍ଯ୍ୟନ୍ତ ପ୍ରତ୍ୟେକ ରୀତି ନୀତି ଯେତିକି ଆଚାରସିଦ୍ଧ, ସେତିକି ବିଜ୍ଞାନମୟ । ଭୂମଣ୍ଡଳରେ ଅଧିଷ୍ଠିତ ଦେବଦେବୀଙ୍କ ବିଗ୍ରହ ପ୍ରାୟତଃ ପ୍ରସ୍ତର କିମ୍ବା ଧାତୁରେ ଗଢ଼ା ହୋଇଥାଏ । କିନ୍ତୁ କଳାଠାକୁରଙ୍କ ଦାରୁଦେବତା ହେବା ଅନ୍ତରାଳରେ ରହିଛି ମାନବର ବୃକ୍ଷ ଉପାସନା । ନିମ୍ବବୃକ୍ଷର ଆୟୁର୍ବେଦୀୟ ଗୁଣ,ସିଦ୍ଧାନ୍ତ ତଥା ସ୍ଥାୟିତ୍ଵ ହିଁ ଆଧ୍ୟାତ୍ମିକତାର ପ୍ରକୃତି ତନ୍ତ୍ର ଓ ବିଜ୍ଞାନର ଏକ ସୁନ୍ଦର ସମୀକରଣ ଯାହା ଆମ ପୂର୍ବଜଙ୍କ ଜ୍ଞାନଗର୍ଭା ଚିନ୍ତନର ଫଳ ।
/filters:format(webp)/kanak/media/media_files/2025/10/26/puri-2025-10-26-21-19-13.jpg)
ସୁସ୍ଥ ନିରାମୟ ଜୀବନ ଧାରଣ ପାଇଁ ମାନବ ଶରୀର ଆବଶ୍ୟକ କରେ ପରିବେଶ ଉପଯୋଗୀ ସାତ୍ତ୍ଵିକ ଆହାରର । ଶାସ୍ତ୍ର କହେ–ପ୍ରକୃତିଲବ୍ଧ ଉତ୍ତାପ , ଜଳବାୟୁ ଓ ଖାଦ୍ୟ ଇତ୍ୟାଦିର ଉପଯୋଗିତାରେ ପରିପୁଷ୍ଟ ହୁଏ ମାନବ ଶରୀର ଅର୍ଥାତ୍ ଗୋଟିଏ ଭୂଖଣ୍ଡର ପରିବେଶ ଓ ଜଳବାୟୁ ଉପରେ ନିର୍ଭର କରେ ସେଠାକାର ଖାଦ୍ୟ ପରମ୍ପରା । ଶହ ଶହ ବର୍ଷର ପରୀକ୍ଷାନିରୀକ୍ଷା ପରେ ପ୍ରତିଷ୍ଠା ଲାଭ କରେ ସେଠାକାର ଖାଦ୍ୟଶୃଙ୍ଖଳା ଓ ତା’ର ପ୍ରସ୍ତୁତି ପ୍ରଣାଳୀ । ଏହି ପରମ୍ପରାର ଉପାଦେୟତାକୁ ଆପଣାଇ ପରିବେଶରୁ ମିଳୁଥିବା ପ୍ରାକୃତିକ ଖାଦ୍ୟ ପଦାର୍ଥରୁ ପ୍ରସ୍ତୁତ ମହାପ୍ରଭୁଙ୍କ ଅନ୍ନବ୍ୟଞ୍ଜନ ଓ ଅନ୍ୟାନ୍ୟ ଭୋଗ । ଖାଦ୍ୟ ବିଶେଷଜ୍ଞଙ୍କ ମତରେ କୌଣସି ଧାତୁପାତ୍ର ଅପେକ୍ଷା ମାଟିହାଣ୍ଡିରେ ରନ୍ଧା ହୋଇଥିବା ଖାଦ୍ୟ ଅଧିକ ସୁସ୍ବାଦୁ ଓ ସ୍ବାସ୍ଥ୍ୟକର । କାରଣ ମାଟିପାତ୍ରରେ ରୋଷେଇ କରିବା ଦ୍ବାରା ଖାଦ୍ୟ ଅଧିକ ସମୟ ଧରି ନଷ୍ଟ ହୁଏନାହିଁ । ସେହି କାରଣରୁ ଏକଦା ଆମ ରୋଷେଇ ଘରର ଅଭିନ୍ନ ଅଙ୍ଗ ହୋଇ ରହିଥିଲା ମାଟିହାଣ୍ଡି । ମାଟିପାତ୍ର କ୍ଷାରୀୟ ଗୁଣ ବହନ କରୁଥିବାରୁ ଅମ୍ଳ ପ୍ରଭାବକୁ ହ୍ରାସ କରି ଖାଦ୍ୟକୁ ସମତଳ ସ୍ତରକୁ ଆଣେ, ଯାହା ହଜମ ହେବାରେ ସାହାଯ୍ୟ କରେ । ମାଟିପାତ୍ରରେ ରୋଷେଇ ଖାଦ୍ୟ ନିୟମିତ ଖାଉଥିବା ବ୍ୟକ୍ତିକୁ ଆକ୍ରମଣ କରେନି ମଧୁମେହ ଓ ଆଣ୍ଠୁଗଣ୍ଠି ଯନ୍ତ୍ରଣା । ଏହାଛଡ଼ା ଏଥିରେ ନିୟମିତ ପାଣି ପିଇଲେ ହଜମ ଶକ୍ତି ବଢ଼ିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢ଼େ । ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ରୋଷେଇଠାରୁ ଆରମ୍ଭ କରି ମହାପ୍ରସାଦ ସେବନ ପର୍ଯ୍ୟନ୍ତ ସବୁକାମ ହୁଏ କେବଳ ମାଟିପାତ୍ରରେ । ଶ୍ରୀମନ୍ଦିର ସେବାରେ ଏହି ମାଟିପାତ୍ର ପାଇଁ ସୃଷ୍ଟି ହୋଇଛି ଏକ ସ୍ଵତନ୍ତ୍ର ନିଯୋଗ କୁମ୍ଭକାର ସେବା ।
/filters:format(webp)/kanak/media/media_files/2025/10/26/soil-pot-2025-10-26-21-20-53.jpg)
ଇତିହାସ କହେ ରାଜା ତୃତୀୟ ଅନଙ୍ଗଦେବଙ୍କ ସମୟରୁ ଶ୍ରୀଜୀଉଙ୍କ ପାଇଁ ମହାପ୍ରସାଦ ଅନ୍ନଭୋଗ ମଣୋହି ବ୍ୟବସ୍ଥା ପ୍ରଚଳନ ହେବା ପରଠାରୁ ବ୍ୟାପକ ହେଲା ମାଟିହାଣ୍ଡି, କୁଡୁଆ ଓ ତାଡ଼ ଇତ୍ୟାଦି । କାଳକ୍ରମେ ଛତିଶା ନିଯୋଗରେ ସ୍ଥାନ ପାଇଲା କୁମ୍ଭକାର ସେବା । ଛପନ ପଉଟି ଭୋଗର ପରିମାଣ ବୃଦ୍ଧି ପାଇବା ସହିତ ବଢ଼ି ଚାଲିଲା ପାତ୍ରର ଚାହିଦା । ଶ୍ରୀମନ୍ଦିରରେ ଏକ ବିଶେଷ ପଦ୍ଧତିରେ ତିଆରି ହୁଏ ଏହି ନାଲି ରଙ୍ଗର ମାଟି ପାତ୍ର । ଖାଦ୍ୟ ଗବେଷକ କୁହନ୍ତି ଏଥିରେ ପ୍ରସ୍ତୁତ ଖାଦ୍ୟ ଶରୀରକୁ କ୍ୟାଲ୍ସିୟମ, ଫସ୍ଫରସ୍ ଓ ଲୌହସାର ଯୋଗାଇଥାଏ । ଯେଉଁଥିପାଇଁ ଖାଦ୍ୟ ସତେଜ ରୁହେ । କିନ୍ତୁ ବେଳେବେଳେ ଭକ୍ତଙ୍କ ମନରେ ପ୍ରଶ୍ନ ଆସେ ଶ୍ରୀମନ୍ଦିରର ଭଣ୍ଡାର ଘରେ ମୂଲ୍ୟବାନ ଧାତୁ ପାତ୍ରର ଅଭାବ ନାହିଁ ତା’ହେଲେ ଷାଠିଏ ପଉଟି ଭୋଗ ଖିଆ ପାଇଁ ମାଟି କୁଡୁଆ କାହିଁକି ? ଏ ପ୍ରସଙ୍ଗରେ ସେବାୟତ କୁହନ୍ତି ମାଟିର ପାତ୍ର ଅନ୍ୟାନ୍ୟ ପାତ୍ରଠାରୁ ପବିତ୍ର ଏବଂ ସେହି କାରଣରୁ କୁଡୁଆରେ ରନ୍ଧନ କରି ମହାପ୍ରଭୁଙ୍କୁ ମହାପ୍ରସାଦ ଲଗାଇବା ଶ୍ରୀମନ୍ଦିରର ବିଧି ।
ତେବେ ହାଣ୍ଡିଶାଳରୁ ମାଟିହାଣ୍ଡି ହଜିଯିବା ସହିତ ଲୋକେ ଭୁଲିଗଲେଣି ମାଟିହାଣ୍ଡି ରୋଷେଇର ସ୍ବାଦ । ମାତ୍ର ଶ୍ରୀମନ୍ଦିର ସେବା ପୂଜାରେ କେବେ କମିନାହିଁ ମାଟି କୁଡ଼ିଆର ଆଦର । ପ୍ଲାଷ୍ଟିକ ପ୍ରଦୂଷଣ ଯୁଗରେ ମାଟି କୁଡୁଆରେ ମହାପ୍ରସାଦ ରନ୍ଧନର ଚିନ୍ତାଧାରା ଚିରକାଳ ପାଇଁ ଓଡ଼ିଆ ଜାତିକୁ ଶ୍ରେଷ୍ଠ କରି ରଖିଥିବ । ଭବିଷ୍ୟତରେ ପାଶ୍ଚାତ୍ୟ ସଂସ୍କୃତିକୁ ମାଟିପାତ୍ରର ଉପକାରିତା ବିଷୟରେ ସବିଶେଷ ଜ୍ଞାନ ଦେଇ ମଣିମାଙ୍କ ମହାପ୍ରସାଦର ଗାରିମାକୁ ପ୍ରସାରିତ କରିବ ଏ ଓଡ଼ିଆ ଜାତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/10/26/matikudua-pkg-t-2025-10-26-21-18-29.jpg)