କନକ ବ୍ୟୁରୋ : ଅକ୍ଟୋବର ଆସିଲେ ଓଡ଼ିଶାକୁ କୁଣିଆ ପରି ଆସିଯାଉଛି ବାତ୍ୟା । ଅନର୍ଗଳ ବର୍ଷା ଢାଳୁଛି , ସୁନାର କ୍ଷେତକୁ ନଜର ଲଗାଉଛି ଆଉ କେତେ ବଡ଼ ବଡ଼ ଗଛ , ଘରଦ୍ବାର ଭାଙ୍ଗି ଚାଲିଯାଉଛି । ସତେକି ଯେମିତି ଅତିଥି ସାଙ୍ଗରେ ମିଠେଇ ନେଇ ଯାଉଛନ୍ତି ଠିକ୍ ସେମିତି ବାତ୍ୟା ତା’ ସାଙ୍ଗରେ ନେଇଯାଉଛି ଓଡ଼ିଶାବାସୀଙ୍କ ଖୁସି ଆଉ ବଦଳରେ ଦେଇଯାଉଛି ଅଶାନ୍ତି । ପୁଣି ସେହି ଅକ୍ଟୋବର ଆଉ ପୁଣି ଏକ ବାତ୍ୟା । ପୂର୍ବରୁ ଫାଇଲିନ୍ , ହୁଡହୁଡ୍ , ତିତଲି ତାଣ୍ଡବ ରଚିଥିବା ବେଳେ ଚଳିତବର୍ଷ ଆସିଛି ମୋନ୍ଥା । ଯାହାର ନଜର ରହିଛି ଦକ୍ଷିଣ ଓଡ଼ିଶା ଉପରେ । ୭ ବର୍ଷ ତଳେ ଆସିଥିବା ତିତଲି ଓଡ଼ିଶାର ଗୋଟିଏ ଜିଲ୍ଲା ଉପରେ ଦାଉ ସାଧିଥିଲା । ୨୦୧୮ରେ ତିତଲିର ତାଣ୍ଡବ ଦେଖିଥିଲେ ଗଜପତିବାସୀ । ସେହି ଧ୍ବଂସଲୀଳା ମନରୁ ନଲିଭୁଣୁ ପୁଣି ଏକ ବାତ୍ୟାର ସାମ୍ନା କରିବାକୁ ଯାଉଛନ୍ତି ଗଜପତିବାସୀ । ଯଦିଓ ବାତ୍ୟା ମୋନ୍ଥା ଆନ୍ଧ୍ରରେ ଲ୍ୟାଣ୍ଡଫଲ୍ କରିବ ମାତ୍ର ଏହାର ପ୍ରଭାବ ଭାରି ମାତ୍ରାରେ ଗଜପତିରେ ପଡ଼ିବ । ଦକ୍ଷିଣ ଓଡ଼ିଶାରେ ବାତ୍ୟା ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । 

Advertisment

ବାତ୍ୟା ପବନ ନେଇ ଆସୁଥିବା ବେଳେ ଓଡ଼ିଶାକୁ ପବନର ଭୟ ନୁହେଁ ବରଂ ବର୍ଷାର ଭୟ ରହିଛି । କାରଣ ବର୍ଷା ହେଲେ ଭୂସ୍ଖଳନର ଆଶଙ୍କା ରହିଛି । ଗଜପତି ଭୂସ୍କଳନର ରାଡାର ଭିତରେ ଥିବାରୁ ବାତ୍ୟା ପ୍ରଭାବରେ ବର୍ଷା ଭୂସ୍ଖଳନର ଆଶଙ୍କା ଏବଂ ଆତଙ୍କକୁ ବଢ଼ାଇ ଦେଇଛି । ତେବେ ଗଜପତି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ଏହାର ପ୍ରଭାବରେ ଜିଲ୍ଲାର ପ୍ରାୟ ସମସ୍ତ ଅଞ୍ଚଳରେ ବର୍ଷା ହୋଇଛି । ବର୍ତ୍ତମାନ ସୁଦ୍ଧା ୯୪୬ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ମୋଟ ୪ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଅସୁରକ୍ଷିତ କିମ୍ବା କଚ୍ଚା ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର କରାଯିବ । ମୋଟ ୧୬୬ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଥିଲା । ସେଥି ମଧ୍ୟରୁ ୯୧ ଜଣ ମହିଳାଙ୍କୁ ମା’ ଗୃହକୁ ସ୍ଥାନାନ୍ତର କରାଯାଇଛି । 

ସେପଟେ ୭ ବର୍ଷ ତଳେ ତିତଲି ଯେଉଁ ଦୁଃଖ ଦେଇ ଯାଇଥିଲା ଗତ କିଛି ଦିନ ତଳେ ଭୂସ୍ଖଳନ ଗଜପତିରେ ସେହି ସମାନ ଦୁଃଖ ଦେଇଯାଇଥିଲା । ଆଉ ଏବେ ପୁଣି ଏକ ବାତ୍ୟା ଆସୁଥିବାରୁ ତା’ର ପ୍ରଭାବ ଜିଲ୍ଲା ଉପରେ କେମିତି ପଡ଼ିବ ଏବଂ ପରିସ୍ଥିତି କ’ଣ ହେବ ସେହି ଭୟରେ ଲୋକେ । ବାତ୍ୟା ପ୍ରଭାବରେ ଲଗାଣ ବର୍ଷା କାରଣରୁ ପାହାଡ଼ରୁ ପାଣି ତଳକୁ ମାଡ଼ି ଆସିବା ଫଳରେ ଭୟଙ୍କର ଭୂସ୍ଖଳନ ହୋଇଥିଲା । ଯେଉଁଥିରେ ପ୍ରାୟ ୧୨ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଥିଲା । ବର୍ଷା-ବାତ୍ୟାରୁ ବର୍ତ୍ତିବାକୁ ଗୁମ୍ଫାରେ ଆଶ୍ରୟ ନେଇଥିବା ବେଳେ ପାହାଡ଼ରୁ ମାଟି ଅତଡ଼ା ସହ ପାଣି ମାଡ଼ି ଆସିବାରୁ ମୃତ୍ୟୁର ଫାସରେ ଫସିଥିଲେ ସମସ୍ତେ । ପାହାଡ଼ି ଇଲାକାରେ ରହିଥିବା ଘରେ ପଶିଯାଇଥିଲା ପାଣି, ଭାଙ୍ଗି ଯାଇଥିଲା ଘର ଏବଂ ମାଟି ଅତଡ଼ା ତଳେ ମଣିଷ ପୋତି ହୋଇ ମୃତ୍ୟୁ ମୁଖରେ ପଡ଼ିଥିଲେ । ସେ କାଳରାତି, ସେ କାଳ ସମୟକୁ ଗଜପତିବାସୀ କେବେ ଭୁଲି ପାରିବେନି  ।

ତେବେ ସୂଚନା ଅନୁସାରେ ଗଜପତିରେ ୧୨୯ଟି ଭୂସ୍ଖଳନ ପ୍ରବଣ ସ୍ଥାନ ରହିଥିବା ବେଳେ ତଥ୍ୟ ଅନୁସାରେ ୨୦୧୮ରୁ ୨୦୨୨ ମଧ୍ୟରେ ଜିଲ୍ଲାର ଏହି ସବୁ ଅଞ୍ଚଳରେ ଭୁସ୍ଖଳନ ହେବା ଫଳରେ ୪୮ ଜୀବନ ଯାଇଛି । ୭୧,୮୩୪ରୁ ଅଧିକ ବାସଗୃହ କ୍ଷତିଗ୍ରସ୍ତ ହୋଇଛି  ଓ ୧୦୩୦ ଗୃହପାଳିତ ପଶୁମାନଙ୍କର ଜୀବନ ଯାଇଛି । ପ୍ରତି ବର୍ଷ ଲଗାଣ ବର୍ଷାରେ କେଉଁଠି ନା କେଉଁଠି ରାସ୍ତା ଘାଟ, ଘର ଦ୍ଵାର ଏମିତିକି ଜୀବନ ହାନୀ ମଧ୍ୟ ଘଟୁଛି । ଯାହାକୁ ଦୃଷ୍ଟିରେ ରଖି ପୂର୍ବରୁ ଏହି ସବୁ ସମ୍ବେଦନଶୀଳ ସ୍ଥାନରୁ ସରକାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅର୍ଥାତ ସମତଳ ଅଞ୍ଚଳକୁ ସ୍ଥାନାନ୍ତରିତ କରିବା ଆରମ୍ଭ କରିଥିଲେ । କେତକ ସ୍ଥାନରେ ପାହାଡ଼ ଅଞ୍ଚଳରୁ ସମତଳ ଅଞ୍ଚଳକୁ ସ୍ଥାନାନ୍ତର କରି ଥଇଥାନ ମଧ୍ୟ କରାଯାଇଛି ,ଥଇଥାନ ପାଇଁ  ସ୍ଥାନ ଓ  ଜମି ମଧ୍ୟ ଚିହ୍ନଟ ହୋଇଛି  କିନ୍ତୁ ଏବେ ଏ ସମ୍ପର୍କରେ ସବୁ ଚୁପ୍ ହୋଇ ବସିଛନ୍ତି । ତେଣୁ ଏଇ ଗଲା କିଛି ଦିନ ହେବ ଭୂସ୍ଖଳନ ହୋଇଥିବାରୁ ଏବଂ ବାତ୍ୟା ଥିବାରୁ ଏହାର ପ୍ରଭାବରେ ବର୍ଷା ପୁଣି କିଛି ସେମିତି ବିପଦ ଡାକି ଆଣିବନି ତ ସେହି ଭୟରେ ଅଛନ୍ତି ଗଜପତିବାସୀ ।