କନକ ବ୍ୟୁରୋ : ଭାରତୀୟ ଟିକେ ଖାଇବା ପ୍ରିୟ । ଖାଇବା ଥାଳିରେ ୬ ତିଅଣ ୯ ଭଜା ନହେଲେ ଯେମିତି ଖାଇବାଟା ଅଧୁରା ଲାଗେ । କହିବାକୁ ଗଲେ ବିଭିନ୍ନ ପ୍ରକାର ବ୍ୟଞ୍ଜନର ସ୍ବାଦ ନ ବାଜିଲେ ଭାରତୀୟଙ୍କୁ ଖାଇବାର ମଜା ଆସେନି । ଆଉ ଖାଇବା କଥା ଯଦି ଆସୁଛି ଆଚାର କଥା ନ କହିଲେ ସବୁ ଅସମ୍ପୂର୍ଣ୍ଣ ଲାଗିବ । ପ୍ରତିଟି ଥାଳିର କୋଣକୁ ଦିଆଯାଉଥିବା ଆଚାର ତେଲ ଓ ମସଲାର ମିଶ୍ରଣରେ ତିଆରି ହୁଏ । ବର୍ତ୍ତମାନ ବଜାରରେ ବିଭିନ୍ନ ପ୍ରକାରର ଆଚାର ବିକ୍ରି ହେଉଥିବା ବେଳେ ପୂର୍ବ ସମୟରେ ଘରେ ଘରେ ମା’, ଜେଜେମା’,ଆଇ , ମାଉସୀ ତିଆରି କରୁଥିଲେ ସ୍ବାଦିଷ୍ଟ ଖଟାମିଠା ଆଚାର । ଚିନାମାଟିର ବୋତଲ କିମ୍ବା କାଚ ବୋତଲରେ ବର୍ଷ ବର୍ଷ ଧରି ସାଇତି ରହୁଥିଲା ଆଚାର । କିନ୍ତୁ ଏବେ କାଚ ବୋତଲର ଜାଗା ନେଇଛି ପ୍ଲାଷ୍ଟିକ୍ । ଘରେ ଘରେ ମନପସନ୍ଦର ଖାଦ୍ୟ ହୋଇ ବସିଥିବା ଏହି ଆଚାର ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି । ଆଚାରରେ ସୋଡିୟମର ମାତ୍ରା ଅଧିକ ଥାଏ ଯାହା କର୍କଟ ରୋଗ ସୃଷ୍ଟି କରିପାରେ ବୋଲି ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟରୁ ଜଣାପଡ଼ିଛି । କର୍କଟ ରୋଗ ନିବାରକ କେନ୍ଦ୍ରର ଡାକ୍ତର ତରଙ୍ଗ କୃଷ୍ଣ କୁହନ୍ତି ଯଦି ଆଚାର ଭୁଲ୍ ପ୍ରକ୍ରିୟାରେ ସଂରକ୍ଷଣ କରାଯାଏ ତେବେ ତାହା କର୍କଟ ରୋଗର କାରଣ ହୋଇପାରେ । 

Advertisment
achar
achar Photograph: (google)

ଡାକ୍ତରଙ୍କ କହିବାନୁସାରେ ‘‘ପ୍ଲାଷ୍ଟିକ ବୋତଲରେ ଆଚାର ରଖିବା ଦ୍ବାରା କର୍କଟ ରୋଗର ଆଶଙ୍କା ବଢ଼ିଥାଏ । ଆଚାରରେ ଅଧିକ ପରିମାଣରେ ଲୁଣ, ତେଲ ଏବଂ ମସଲା ଥାଏ । ଯେତେବେଳେ ଏହା ପ୍ଲାଷ୍ଟିକ୍ ସଂସ୍ପର୍ଶରେ ଆସେ ପ୍ଲାଷ୍ଟିକ୍ BPA ଏବଂ phthalates (ଫାଲେଟ୍ସ) ଭଳି କ୍ଷତିକାରକ ରାସାୟନିକ ପଦାର୍ଥ ଛାଡ଼େ । ଏହି ରାସାୟନିକ ପଦାର୍ଥଗୁଡ଼ିକ ହେଉଛି ଏଣ୍ଡୋକ୍ଲାଇନ୍ ବିଭ୍ରାନ୍ତକାରୀ ଯାହା ଆପଣଙ୍କ ହରମୋନର ସନ୍ତୁଳନକୁ ବିଗାଡ଼ିଥାଏ । ଯଦି ଆପଣ ଅଧିକ ଦିନ ଧରି ପ୍ଲାଷ୍ଟିକ ପାତ୍ରରେ ରଖାଯାଇଥିବା ଆଚାର ଖାଆନ୍ତି ତେବେ ଏହା କର୍କଟ ରୋଗର କାରଣ ହୋଇପାରେ ।"

ପ୍ଲାଷ୍ଟିକରୁ ବାହାରୁଥିବା ବିଷାକ୍ତ ପଦାର୍ଥ ଆଚାରରେ ମିଶିଥାଏ ଯାହା ଦେହ ପାଇଁ କ୍ଷତିକାରକ । ଡାକ୍ତର କୁହନ୍ତି ଆଚାରକୁ ଯେକୌଣସି ଡବାରେ ରଖି ଭାବନ୍ତୁ ନାହିଁ ଯେ ଏହା ଶରୀର ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ । ପ୍ଲାଷ୍ଟିକରେ ରଖାଯାଇଥିବା ଆଚାର କ୍ୟାନ୍ସରର କାରଣ ହୋଇପାରେ । ଡାକ୍ତର କାଚ ଏବଂ ସିରାମିକ୍ ପାତ୍ରରେ ଆଚାର ସଂରକ୍ଷଣ କରିବାକୁ ପରାମର୍ଶ ଦେଇଥା’ନ୍ତି । ପୂର୍ବରୁ ଯେମିତି ଆଇ, ଜେଜେମା’ ଆଚାର ପାଇଁ କାଚ ଜାର୍ ବ୍ୟବହାର କରୁଥିଲେ ଠିକ୍ ସେମିତି କାଚ ବୋତଲ କିମ୍ବା ସେରାମିକ୍ ଜାରରେ ଆଚାର ରଖନ୍ତୁ । ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଭଲ ରହିବ । 

ତେବେ ଅତ୍ୟଧିକ ଆଚାର ଖାଇବା ଦ୍ଵାରା ପାକସ୍ଥଳୀ କର୍କଟ ହେବାର ଆଶଙ୍କା ୫୦ % ବୃଦ୍ଧି ପାଏ । ଦକ୍ଷିଣ କୋରିଆବାସୀ ଆଚାର ଭଳି ଏକ ଖାଦ୍ୟପଦାର୍ଥ କିମଚିର ବହୁଳ ସେବନ କରିଥା’ନ୍ତି । ଯେଉଁଥିପାଇଁ ସେଠାରେ ପାକସ୍ଥଳୀ କର୍କଟ ରୋଗର ସର୍ବାଧିକ ଘଟଣା ଦେଖାଯାଏ । ତେଣୁ ଯଦି ସୁସ୍ଥ ଶରୀରର କାମନା କରୁଛନ୍ତି ତେବେ ପ୍ରତିଦିନ ଆଚାର ଖାଆନ୍ତୁ ନାହିଁ ଏବଂ ଆଚାର ରଖିବା ପାଇଁ ଉପଯୁକ୍ତ ପାତ୍ରର ବ୍ୟବହାର କରନ୍ତୁ ।