ୱାକଫ୍ ସଂଶୋଧିତ ବିଲ୍ ଆଇନରେ ପରିଣତ ହୋଇସାରିଛି । ଦେଶରେ ଲାଗୁ ମଧ୍ୟ ହୋଇଛି କିନ୍ତୁ ଏହାକୁ ନେଇ ଥମୁନି ଝଡ଼ । କେଉଁଠି ରାଜନୈତିକ ଦଳ ବିରୋଧ କରୁଛନ୍ତି ତ ପୁଣି କେଉଁଠି ମୁସଲିମ୍ ସଂଗଠନମାନଙ୍କ ବିକ୍ଷୋଭ । ସଂସଦରେ ହଙ୍ଗାମା ପରେ ବିଲ୍ ପାରିତ ହୋଇ ଆଇନରେ ପରିଣତ ହେବା ପରେ ସଡ଼କରେ ମହାସଂଗ୍ରାମ ଜାରି ରହିଛି । ଅନ୍ୟପଟେ ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ପ୍ରବଳ ହିଂସା ମଧ୍ୟ ଦେଖିବାକୁ ମିଳିଛି । ଆଉ ଏହାରି ଭିତରେ ବିରୋଧର ମୁକାବିଲା କିଭଳି କରାଯିବ ଏନେଇ ମାନସମନ୍ଥନ କରୁଛନ୍ତି କେନ୍ଦ୍ର ସରକାର । ଆଜି ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ଯେଉଁଥିରେ ଅଳ୍ପସଂଖ୍ୟକ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ସାମିଲ୍ ହୋଇଛନ୍ତି । ଦଳର ନେତା ଓ କର୍ମୀଙ୍କୁ ଆଜିର ବୈଠକରେ ୱାକଫ୍ ସଂଶୋଧିତ ଆଇନ୍ ବାବଦରେ ବୁଝାଯିବ , ସମସ୍ତ ତଥ୍ୟ ଦିଆଯିବ । ପରବର୍ତ୍ତୀ ସମୟରେ ଏମାନେ ଜନତାଙ୍କ ନିକଟରେ ପହଞ୍ଚି କ’ଣ ଆଇନ୍ , କି ସଂଶୋଧନ କରାଯାଇଛି ଏହା କିଭଳି ମୁସଲିମ ଭାଇ-ଭଉଣୀଙ୍କ ସୁରକ୍ଷା ଓ ବିକାଶ ପାଇଁ କାମ କରିବ ଏନେଇ ବୁଝାଇବେ ।

Advertisment
waqf Bill
waqf Bill Photograph: (google)

ୱାକଫ୍ ହେଉଛି ଏକ ଆରବ ଶବ୍ଦ, ଯାହାର ମୂଳ ‘ବକୁଫା’ ଶବ୍ଦରୁ ଆସିଛି । ବକୁଫାର ଅର୍ଥ ହେଉଛି ଅଟକିଯିବା, ରୋକିବା କିମ୍ବା ପ୍ରତିବନ୍ଧ ଲଗାଇବା । ଏହି ଆଧାରରେ ୱାକଫ୍ ଶବ୍ଦର ବ୍ୟବହାର ସେହି ସମ୍ପତ୍ତି ଉପରେ କରାଯାଏ, ଯାହାକୁ ଜନକଲ୍ୟାଣ ଉଦ୍ଦେଶ୍ୟରେ ସୁରକ୍ଷିତ ରଖାଯାଇଥାଏ । ୱାକଫ୍ ଯାହାର ଅର୍ଥ ହେଉଛି ‘ସଂରକ୍ଷିତ କରିବା’ ।  ଓ୍ୱାକଫ୍‌ ଏକ ଇସଲାମିକ ପରମ୍ପରା, ଯେଉଁଠି ଜଣେ ବ୍ୟକ୍ତି ନିଜ ସମ୍ପତ୍ତିକୁ ଧାର୍ମିକ କିମ୍ବା ସାମାଜିକ କାମ ପାଇଁ ଦାନ କରିଥାଏ । ଏହି ସମ୍ପତ୍ତି ଓ୍ୱାକଫ୍‌ ବୋର୍ଡ ଅଧୀନରେ ରହି ଜନକଲ୍ୟାଣ ପାଇଁ ବ୍ୟବହାର ହୋଇଥାଏ । ଏହା ଜମି, ଘର, ମସଜିଦ୍, କବରସ୍ଥାନ କିମ୍ବା ସ୍କୁଲ୍ ଭଳି ହୋଇପାରେ ।

ଭାରତରେ ଓ୍ୱାକଫ୍‌ ବୋର୍ଡ ପ୍ରତ୍ୟେକ ରାଜ୍ୟରେ ରହି ଏହି ସମ୍ପତ୍ତିଗୁଡ଼ିକୁ ପରିଚାଳନା କରିଥାଏ । ୱାକଫ୍‌ ପାଖରେ ୯.୪ ଲକ୍ଷ ଏକର ଜମି ଓ ୮.୭ ଲକ୍ଷ ସମ୍ପତ୍ତି ରହିଛି, ମୋଟ ମୂଲ୍ୟ ୧.୨ ଲକ୍ଷ କୋଟି ଟଙ୍କା ବୋଲି ଆକଳନ କରାଯାଇଛି । ଏତେ ସମ୍ପତ୍ତି ଥାଇ ମଧ୍ୟ ଖରାପ ପରିଚାଳନା ଓ ମକଦ୍ଦମା କାରଣରୁ ଅନେକ ଜମି ବିବାଦରେ ପଡ଼ିଛି । ସରକାର ଓ୍ୱାକଫ୍‌ ଆଇନ ୧୯୯୫ରେ ସଂଶୋଧନ କରି ଏହାକୁ ଅଧିକ ଦକ୍ଷ ଓ ସ୍ୱଚ୍ଛ କରିବାକୁ ଚାହୁଁଛନ୍ତି । ଏବେ ବୋର୍ଡର ସଦସ୍ୟ ନିର୍ବାଚନ ଦ୍ବାରା ଆସୁଥିବା ବେଳେ ନୂଆ ବିଲରେ ସରକାର ସେମାନଙ୍କୁ ମନୋନୀତ କରିବେ । ସମ୍ପତ୍ତିଗୁଡ଼ିକୁ ଜିଲ୍ଲା କଲେକ୍ଟରଙ୍କ ପାଖରେ ପଞ୍ଜୀକରଣ କରାଇ ସଠିକ୍‌ ମୂଲ୍ୟାଙ୍କନ କରାଯିବ । ବିଲ୍‌ରେ କିଛି ବଡ଼ ପରିବର୍ତ୍ତନ ପ୍ରସ୍ତାବିତ ହୋଇଛି । ଯେଉଁଥିରେ ସମ୍ପତ୍ତି ପଞ୍ଜୀକରଣ ବାଧ୍ୟତାମୂଳକ ହେବ , ବୋର୍ଡରେ ଦୁଇଜଣ ଅଣ-ମୁସଲିମ୍ ସଦସ୍ୟ ରହିବା ଜରୁରୀ, ମହିଳାଙ୍କୁ ବୋର୍ଡରେ ସ୍ଥାନ ଦେବାକୁ ବ୍ୟବସ୍ଥା । କିନ୍ତୁ ଏହାକୁ ମୁସଲିମ୍‌ ପକ୍ଷ ଓ ବିରୋଧୀ ଦଳ ବିରୋଧ କରୁଛନ୍ତି । ବିରୋଧୀ କହୁଛନ୍ତି, ଏହା ସରକାରୀ ହସ୍ତକ୍ଷେପ ବଢ଼ାଇବ ଓ ଧାର୍ମିକ ସ୍ୱାଧୀନତା ଉପରେ ଆଘାତ ଦେବ । ଏହା ଓ୍ୱାକଫ୍‌ ବୋର୍ଡରେ ଗଣତାନ୍ତ୍ରିକ ମୂଲ୍ୟକୁ ଦୁର୍ବଳ କରିବ ବୋଲି ବିରୋଧୀ ଯୁକ୍ତି ବାଢ଼ିଛନ୍ତି । ୯,୯୪୨ଟି ମୁସଲିମ୍ ସମୁଦାୟ ଓ୍ବାକଫ୍ ସଂସ୍ଥା ବିରୋଧରେ ଅଭିଯୋଗ ଦାୟର କରିଛନ୍ତି ।

୧୯୧୩ ବ୍ରିଟିଶ୍ ଶାସନକାଳରେ ୱାକଫ୍ ବୋର୍ଡକୁ ଔପଚାରିକ ଭାବେ ଆରମ୍ଭ କରାଯାଇଥିଲା ଏବଂ ୧୯୨୩ରେ ଏହାକୁ ଆଇନ୍ ମାନ୍ୟତା ଦେବା ପାଇଁ ୱାକଫ୍ ଅଧିନିୟମ ଲାଗୁ କରାଗଲା । ସେହି ସମୟରେ ସମ୍ପତ୍ତିକୁ ବ୍ୟକ୍ତିଗତ ସ୍ତରରେ ଦାନ କରାଯାଉଥିଲା ଯାହାର ବ୍ୟବହାର ଗରିବଙ୍କୁ ସାହାଯ୍ୟ , ଶିକ୍ଷା ଏବଂ ଧାର୍ମିକ କାର୍ଯ୍ୟ ପାଇଁ କରାଯାଏ । ଦେଶ ସ୍ବାଧୀନତା ପରେ ୧୯୫୪ରେ ଓ୍ୱାକଫ୍‌ ଅଧିନିୟମ ସଂସଦରେ ପ୍ରସ୍ତୁତ ହୋଇଥିଲା । ୧୯୯୫ରେ ନୂଆ ୱାକଫ୍ ଅଧିନିୟମ ଲାଗୁ କରାଗଲା ଯେଉଁଥିରେ ଓ୍ୱାକଫ୍‌ ବୋର୍ଡକୁ ଅଧିକ ବଳ ମିଳିଲା । ୨୦୧୩ରେ ଅଧିନିୟମ ସଂଶୋଧନ କରାଗଲା , ଯାହାଦ୍ବାରା ଓ୍ୱାକଫ୍‌ ବୋର୍ଡର ସଂପତ୍ତି ଉପରେ ବ୍ୟାପକ ଅଧିକାର ମିଳିଲା ।