ଦେବଭୂମି କୁହାଯାଉଥିବା ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ କେଦାରନାଥଧାମ ଯାତ୍ରା ପୂର୍ବରୁ ୧୨ ଟି ଖଚ୍ଚର (ଘୋଡ଼ା) ଠାରେ H3N8 ଇନଫ୍ଲୁଏଞ୍ଜା ଭାଇରସ୍ ମିଳିଛି । ଏହି ଭୂତାଣୁର ସୂଚନା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ଖଚ୍ଚରଙ୍କୁ ମେଡିକାଲ୍ ଯାଞ୍ଚ୍ ପାଇଁ ନିଆଗଲା । ଡାକ୍ତରୀ ପରୀକ୍ଷା ପାଇଁ ୩୦୦ ଖଚ୍ଚରଙ୍କ ନମୂନା ନିଆଯାଇଥିଲା । ତେବେ ଭୂତାଣୁର ଖବର ମିଳିବା ପରେ ଏବେ ଖଚ୍ଚରଙ୍କୁ କ୍ବାରେଣ୍ଟିନରେ ରଖାଯାଇଛି । ଭୂତାଣୁ ଯେମିତି ଆଗକୁ ନ ବ୍ୟାପିବ ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ଏବଂ ପ୍ରଶାସନ ଏହି ସ୍ଥିତି ଉପରେ ନଜର ରଖିଛି । ଆପଣଙ୍କୁ କହିରଖୁଛୁ କି, ପ୍ରତିବର୍ଷ ପାଖାପାଖି ୨୦ ହଜାର ଖଚ୍ଚର କେଦାରନାଥ ଯାତ୍ରା ସମୟରେ ଯାତ୍ରୀଙ୍କୁ ନେବା ଆଣିବା କରନ୍ତି । ଚଳିତବର୍ଷ ଯାତ୍ରା ଆରମ୍ଭ ହେବା ପୂର୍ବରୁ ପ୍ରଶାସନ ସବୁ ଖଚ୍ଚର ଏବଂ ତାଙ୍କ ମାଲିକଙ୍କ ପଞ୍ଜୀକରଣ ଏବଂ ମେଡିକାଲ୍ ଯାଞ୍ଚର ପ୍ରକ୍ରିୟା ଆରମ୍ଭ କରିସାରିଛି । ଆଉ ଯାଞ୍ଚ୍ ସମୟରେ ୧୨ ଟି ଖଚ୍ଚର ସଂକ୍ରମିତ ହେବାର ଖବର ସାମ୍ନାକୁ ଆସିଥିଲା । 

Advertisment
KedarnatH
KedarnatH Photograph: (google)

ରାଜ୍ୟର ପଶୁପାଳନ ମନ୍ତ୍ରୀ ସୌରଭ୍ ବହୁଗୁଣାଙ୍କ ନିର୍ଦ୍ଦେଶରେ ବର୍ତ୍ତମାନ କ୍ବାରେଣ୍ଟିନ୍ ସେଣ୍ଟର୍ ଖୋଲାଯାଇଛି । ଯେଉଁଠାରେ ସଂକ୍ରମିତ ଖଚ୍ଚରଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି । ଏହି ଭାଇରସକୁ ରୋକିବା ପାଇଁ ଭାରତୀୟ ପଶୁ ଚିକିତ୍ସା ଅନୁସଂନ୍ଧାନ ସଂସ୍ଥା (IVRI) ମୁକ୍ତେଶ୍ବରର ବିଶେଷଜ୍ଞ ଟିମ୍ ପ୍ରଶାସନର ସାହାଯ୍ୟ କରୁଛି । ସଂକ୍ରମଣର କାରଣ ଖୋଜିବାରେ ଲାଗି ପଡ଼ିଛନ୍ତି ବୈଜ୍ଞାନିକ ଏବଂ ଡାକ୍ତରୀ ଟିମ୍ । H3N8 ଇନଫ୍ଲୁଏଞ୍ଜା ଭାଇରସ୍ ମୂଳତଃ ଘୋଡ଼ା, କୁକୁର ଏବଂ ପକ୍ଷୀମାନଙ୍କ ନିକଟରେ ଦେଖିବାକୁ ମିଳିଥାଏ । କିନ୍ତୁ ଦୁର୍ଭାଗ୍ୟର କଥା ଏହା ମଣିଷଙ୍କୁ ମଧ୍ୟ ବ୍ୟାପିପାରେ

khachhar
khachhar Photograph: (google)

କେଦାରନାଥ ଯାତ୍ରାରେ ହଜାର ହଜାର ଶ୍ରଦ୍ଧାଳୁ ସାମିଲ୍ ହେଉଛନ୍ତି । ସେଥିପାଇଁ ପ୍ରଶାସନ ମଧ୍ୟ ସତର୍କତା ଅବଲମ୍ବନ କରୁଛି । ପ୍ରଶାସନର କଡ଼ା ନିର୍ଦ୍ଦେଶ ରହିଛି ଯେ ସଂକ୍ରମିତ ଖଚ୍ଚର ଯାତ୍ରାରେ ଆଦୌ ସାମିଲ୍ ହୋଇପାରିବେ ନାହିଁ । ଯଦି ନିର୍ଦ୍ଦେଶର ପାଳନ ନ କରାଯାଏ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ପ୍ରଶାସନ ଯାତ୍ରୀ ଏବଂ ଖଚ୍ଚର ସଂଚାଳକଙ୍କୁ ସତର୍କ କରାଇବା ସହ ସ୍ବଚ୍ଛତା ଉପରେ ଧ୍ୟାନ ଦେବା ପାଇଁ ମଧ୍ୟ ଅପିଲ୍ କରିଛି । ସନ୍ଦେହ ହେଲେ ତୁରନ୍ତ ସୂଚନା ଦେବାକୁ ଅନୁରୋଧ କରିଛି ପ୍ରଶାସନ । କେଦାରନାଥ ଯାତ୍ରାକୁ ସୁରକ୍ଷିତ ଏବଂ ସୂଚାରୁରୂପେ ସଂପନ୍ନ କରିବା ପାଇଁ ଅଣ୍ଟା ଭିଡିଛି ପ୍ରଶାସନ ।