କନକ ବ୍ୟୁରୋ: ଆମେରିକା ଗସ୍ତରେ ମୋଦି । ଫେବୃଆରୀ ୧୨ ଓ ୧୩ ତାରିଖ ଆମେରିକା ଗସ୍ତରେ ରହିବେ ପିଏମ । ଏହି ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ । କାରଣ ଗସ୍ତ ସମୟରେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମୋଦି ଭେଟିବାର କାର୍ଯ୍ୟକ୍ରମ ରହିଛି । ଶପଥ ନେବା ପରେ ମୋଦୀଙ୍କୁ ଆମେରିକା ନିମନ୍ତ୍ରଣ ଦେଇଥିଲେ ଟ୍ରମ୍ପ । ଆଉ କଥା ରଖିଛନ୍ତି ପ୍ରଧାନମନ୍ତ୍ରୀ । କୁହାଯାଉଛି କି ନ୍ୟୁକ୍ଲିୟର ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅନେକ ଆଲୋଚନ ହେବ । ତେଣୁ ମୋଦିଙ୍କ ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ ।
ଫେବୃଆରୀ ୧୨ରେ ଆମେରିକାରେ ପହଞ୍ଚିବେ ମୋଦୀ
ଟ୍ରମ୍ପଙ୍କ ସହ ହେବ ୱାନ ଟୁ ୱାନ ଆଲୋଚନା
ନିମନ୍ତ୍ରଣ ଦେଇଥିଲେ ଟ୍ରମ୍ପ, କଥା ରଖିଲେ ମୋଦୀ
ପୂର୍ବରୁ କେତେ ଥର
ମୋଦୀ-ଟ୍ରମ୍ପ କରିଛନ୍ତି ଆଲୋଚନା ?
ପ୍ରଧାନମନ୍ତ୍ରୀ ହେବା ପରେ ଅନେକ ଥର ମୋଦୀ ଆମେରିକା ଗସ୍ତରେ ଯାଇଛନ୍ତି । ଟ୍ରମ୍ପ ରାଷ୍ଟ୍ରପତି ହେବା ପରେ ଉଭୟ ନେତାଙ୍କ ସମ୍ପର୍କ ମଜବୁତ ହେବା ସହିତ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଉଭୟ ନେତା । ଏହାସହ ଭାରତ ଗସ୍ତରେ ବି ଆସିଛନ୍ତି ଟ୍ରମ୍ପ । କେବଳ ଟ୍ରମ୍ପ ନୁହନ୍ତି ବରଂ ଆମେରିକା ରାଷ୍ଟ୍ରପତି ଯେବେ ଜୋ ବାଇଡେନ୍ ଥିଲେ ସେବେ ବି ମୋଦି ଆମେରିକା ଗସ୍ତ କରିଛନ୍ତି, ବାଇଡେନ୍ ବି ଭାରତ ଗସ୍ତରେ ଆସିଛନ୍ତି । ତେଣୁ ଏବେ ପୁଣି ଥରେ ପିଏମଙ୍କ ଆମେରିକା ଗସ୍ତ ଥିବାରୁ ଚର୍ଚ୍ଚା ଜୋର ।
୭ ଥର ହୋଇଛି ମୋଦୀ-ଟ୍ରମ୍ପ ଭେଟଘାଟ
ବର୍ତ୍ତମାନ ସୁଦ୍ଧା ମୋଦୀ-ଟ୍ରମ୍ପଙ୍କ ମଧ୍ୟରେ ପ୍ରାୟ ୭ ଥର ଭେଟଘାଟ ହୋଇଛି । ଏଥର ଭେଟଘାଟ ହେଲେ ୮ ଥର ହେବ । ପ୍ରତି ଆଲୋଚନା ବେଶ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ହେଲେ ଏଥର ନୂଆ ରାଷ୍ଟ୍ରପତି ହୋଇଥିବାରୁ କେଉଁ କେଉଁ କ୍ଷେତ୍ରରେ ଉଭୟ ଦେଶ ଦ୍ବିପାକ୍ଷିକ ଆଲୋଚନା କରିବେ ତାହାକୁ ନେଇ ପୁରା ବିଶ୍ବର ନଜର ରହିଛି । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ମୋଦୀ- ଟ୍ରମ୍ପ ଉଭୟ ଫୋନ୍ରେ ବି ଅନେକ ସମୟରେ କଥାବାର୍ତ୍ତା ହୋଇଛନ୍ତି । କିନ୍ତୁ ଏଥର ଗସ୍ତକୁ ନେଇ ବେଶ ଚର୍ଚ୍ଚା ଚାଲିଛି ।
୨୦୧୭ରେ ହୋଇଥିଲା ପ୍ରଥମ ସାକ୍ଷାତକାର
୨୦୧୭ ମସିହା ୨୦ ଜାନୁଆରୀରେ ଆମେରିକାର ପ୍ରଥମଥର ଲାଗି ରାଷ୍ଟ୍ରପତି ହୋଇଥିଲେ ଟ୍ରମ୍ପ । ଏହାର ଠିକ୍ ୫ ମାସ ପରେ ମୋଦୀ ଜୁନ୍ ୨୬ରେ ଟ୍ରମ୍ପଙ୍କ ସହ ସାକ୍ଷାତକାର କରିଥିଲେ । ଏହି ସମୟରେ ମୋଦୀ-ଟ୍ରମ୍ପ ପରସ୍ପରକୁ କୁଣ୍ଢାଇ ପକାଇଥିଲେ । ପୁରା ବିଶ୍ବ ଦେଖିଥିଲା ଉଭୟଙ୍କର ବନ୍ଧୁତା । ପରେ ପରେ ମୋଦୀ-ଟ୍ରମ୍ପ ଅନେକ ସମୟରେ ଏକାଠି ନଜର ବି ଆସିଥିଲେ ।
ଆର୍ଜେଣ୍ଟିନାରେ ହୋଇଥିଲା ଦ୍ବିତୀୟ ଭେଟଘାଟ
ଦ୍ବିତୀୟ ଥର ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତକାର ଆର୍ଜେଣ୍ଟିନାରେ ହୋଇଥିଲା । ସେଦିନ ଥିଲା ୩୦ ନଭେମ୍ବର ୨୦୧୮ । ଜି-୨୦ ଶିଖର ସମ୍ମିଳନୀରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ସମୟରେ ବାଣିଜ୍ୟିକ ସହ ଆତଙ୍କବାଦକୁ ନେଇ ବୈଠକ କରିଥିଲେ ।
ଜାପାନରେ ହୋଇଥିଲା ତୃତୀୟ ଥର ଭେଟଘାଟ୍
୨୮ ଜୁନ୍ ୨୦୧୯ରେ ଜାପାନରେ ପୁଣି ଥରେ ମୋଦୀ-ଟ୍ରମ୍ପଙ୍କ ମଧ୍ୟରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା । ଏହା ତ୍ରିପାକ୍ଷିକ ଆଲୋଚନା ହୋଇଥିଲା । ଯେଉଁଥିରେ ମୋଦୀ-ଟ୍ରମ୍ପ ଓ ଜାପାନର ତତ୍କାଳନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମଧ୍ୟ ଉପସ୍ଥିତ ଥିଲେ । ମୁଖ୍ୟ ପ୍ରସଙ୍ଗ ଥିବା ୫-ଜି ।
ଫ୍ରାନ୍ସରେ ହୋଇଥିଲା ଚତୁର୍ଥଥର ଭେଟଘାଟ
୨୬ ଅଗଷ୍ଟ ୨୦୧୯ରେ ଫ୍ରାନ୍ସରେ ପୁଣି ଥରେ ମୋଦୀ-ଟ୍ରମ୍ପ ୱାନ ଟୁ ୱାନ ଆଲୋଚନା ହୋଇଥିଲା । ଜି-୭ ମିଟିଂରେ ଏହି ସାକ୍ଷାତକାର ହୋଇଥିଲା । ମୁଖ୍ୟ ପ୍ରସଙ୍ଗ ଥିଲା ଜମ୍ମୁରେ ଧାରା ୩୭୦ ଉଚ୍ଛେଦ। ଖାଲି ଜମ୍ମୁ ସମ୍ପର୍କରେ ଆଲୋଚନା ହୋଇନଥିଲା ବରଂ ଦ୍ବିପାକ୍ଷିକ ଓ ବାଣିଜ୍ୟିକ କ୍ଷେତ୍ରକୁ ନେଇ ବି ଆଲୋଚନା ହୋଇଥିଲା ।
ହାଉଡ଼ି ମୋଦୀ କାର୍ଯ୍ୟକ୍ରମ ଥିଲା ପଂଚବ ଅବସର
ବହୁଚର୍ଚ୍ଚିତ ହାଉଡ଼ି ମୋଦୀ କାର୍ଯ୍ୟକ୍ରମରେ ପୁଣି ଥରେ ଏକା ସାଙ୍ଗରେ ନଜରକୁ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହି ସମୟରେ ଅବକୀ ବାର ଟ୍ରମ୍ପ ସରକାରର ନାରା ଦେଇଥିଲେ ମୋଦୀ ଏବଂ ଟ୍ରମ୍ପ କହିଥିଲେ ଭାରତ ହେଉଛି ଆମେରିକାର ପ୍ରକୃତ ବନ୍ଧୁ ।
ଷଷ୍ଠଥର ଲାଗି ନ୍ୟୁୟର୍କରେ ହୋଇଥିଲା ଭେଟଘାଟ
୨୪ ସେପ୍ଟମ୍ବର ୨୦୧୯ରେ ନ୍ୟୁୟର୍କରେ ଉଭୟ ନେତାଙ୍କ ଆଲୋଚନା ହୋଇଥିଲା । ପ୍ରତିରକ୍ଷା, ଦେଶର ସୁରକ୍ଷା ସହ ବାଣିଜ୍ୟିକ ସମ୍ପର୍କରେ କଥାବାର୍ତ୍ତା ହୋଇଥିଲା ।
ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ବି ସାମିଲ ହୋଇଥିଲେ ଦୁଇ ନେତା
୨୦୨୦ ଫେବୃଆରୀ ୨୪-୨୫ରେ ଭାରତ ଗସ୍ତରେ ଆସିଥିଲେ ଟ୍ରମ୍ପ । ୨୪ ଫେବୃଆରୀରେ ଗୁଜୁରାଟର ଅହମ୍ମଦାବାଦ୍ରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଟ୍ରମ୍ପ ଓ ତାଙ୍କ ଧର୍ମ ପତ୍ନୀ ମଲେନିଆ ଟ୍ରମ୍ପ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ଅର୍ଥବ୍ୟବସ୍ଥା, ସଂସ୍କୃତି ଓ ସେନାକୁ ନେଇ ଆଲୋଚନା ହୋଇଥିଲା ।
୯ ମାସରେ ୫ ଥର ହୋଇଥିଲା ସାକ୍ଷାତକାର
ଆମେରିକା ଭାରତ ସମ୍ପର୍କରେ ମୋଦୀ-ଟ୍ରମ୍ପ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଥିଲେ । କାରଣ ମାତ୍ର ୯ ମାସ ମଧ୍ୟରେ ଉଭୟ ନେତା ପରସ୍ପରକୁ ଭେଟିଥିଲେ । ସେ ହାଉଡ଼ି ମୋଦି କାର୍ଯ୍ୟକ୍ରମ ହେଉ କି ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମ ହେଉ…ପ୍ରତି ସମୟରେ ଉଭୟ ନେତାଙ୍କ ଆଲୋଚନା ବେଶ ଚର୍ଚ୍ଚିତ ହୋଇଥିଲା ।
ଅଷ୍ଟମଥର ସାକ୍ଷାତ କାର ବେଶ ଗୁରୁତ୍ବପୂର୍ଣ୍ଣ
ଏବେ ପୁଣି ଥରେ ଆମେରିକାର ରାଷ୍ଟ୍ରପତି ହୋଇଛନ୍ତି ଟ୍ରମ୍ପ । ଶପଥଗ୍ରହଣ ଉତ୍ସବର ମାତ୍ର ୩ ସପ୍ତାହ ପରେ ମୋଦୀଙ୍କ ଆମେରିକା ଗସ୍ତ ରହିଛି । ପୂର୍ବରୁ ଟ୍ରମ୍ପ ସ୍ପଷ୍ଟ କରିଥିଲେ କି ସେ ମୋଦୀଙ୍କ ସହ ଫୋନ୍ରେ ଅନେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଏବଂ ଆମେରିକା ଆସିବାକୁ ନିମନ୍ତ୍ରଣ କରିଛନ୍ତି । ଏବେ ମୋଦୀ ଟ୍ରମ୍ପଙ୍କ ନିମନ୍ତ୍ରଣ ରକ୍ଷା କରି ଆମେରିକା ଗସ୍ତରେ ଯାଉଥିବାରୁ ପୁରା ବିଶ୍ବରେ ମୋଦୀ-ଟ୍ରମ୍ପଙ୍କୁ ନେଇ ଆଲୋଚନା ହେଉଛି । ମୋଦୀଙ୍କ ଗସ୍ତ ପରେ ଜଣାପଡ଼ିବ ଆଗାମୀ ଦିନରେ ଉଭୟ ନେତା କେଉଁ କେଉଁ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି । କିନ୍ତୁ ଭାରତ ସହ ଆମେରିକାର ସମ୍ପର୍କ ମଜବୁତ ହେବାରେ ଲାଗୁଛି ଏଥିରେ କୌଣସି ଦ୍ବିମତ ନାହିଁ ।