କନକ ବ୍ଯୁରୋ: କେବଳ ଆରଏସ୍‌ଏସ୍‌ର ରଣନୀତି ଲାଗି ଦିଲ୍ଲୀରେ ବାଜି ମାରିଲା ବିଜେପି ?  କିଛି ଏମିତି ଚର୍ଚ୍ଚା ଏବେ ଜାତୀୟ ଗଣମାଧ୍ୟମରେ । କୁହାଯାଉଛି ପରଦା ପଛରେ ରହି ପ୍ରତି ଭୋଟ୍‌ରଙ୍କୁ ବିଜେପିକୁ ଭୋଟ୍‌ ଦେବାକୁ ସଂଘ ଚେଷ୍ଟା କରିଥିଲା । ଖାଲି ଚେଷ୍ଟା କରିଥିଲା ତାହା ନୁହେଁ ବରଂ ରାଜନୈତିକ ଗୋଟି ଚଳାଇବାରେ ସଫଳ ବି ହେଲା । ସେଇଥି ଲାଗି ତ ବିଧାନସଭାର ମୋଟ୍‌ ସିଟ୍‌ରୁ ୪୮ ସିଟ୍‌ରେ ଜିତି ବଡ଼ ବିଜୟ ହାସଲ କଲା ବିଜେପି । ୧୯୯୮ ମସିହାରୁ ବିଜେପି ଦିଲ୍ଲୀରେ କେବେ ସରକାର କରିପାରିନି । ୧୪ରେ ପୁରା ଦେଶରେ ମୋଦୀ ଲହରୀ ଥିବା ପରେ ବି ଦିଲ୍ଲୀରେ କ୍ଷମତା ଦଖଲ କରିବାରେ ବିଜେପି ସଫଳ ହୋଇନଥିଲା । କିନ୍ତୁ ଏସନ ୨୭ ବର୍ଷ ପରେ ବନବାସରୁ ଫେରିଛି ବିଜେପି । କ୍ଲିନସ୍ବିପ୍‌ କରିବା ପରେ ଏବେ ବିଜେପି ଶିବିରରେ ଖୁସି । 

Advertisment

ଦିଲ୍ଲୀରେ ବିଜେପିର ବଡ଼ ବିଜୟ ପଛରେ ଆରଏସଏସ୍‌
ଗୋଟିଏ ରଣନୀତିରେ ବିରୋଧୀ ଧରାଶାୟୀ
ସାଇଲେଣ୍ଟ ରହିଲା ସଂଘ
କିନ୍ତୁ ବିଜେପିର ବଢାଇଦେଲା ଭୋଟ୍‌

ସଂଘ ରାଜନୀତି କରେନି ବୋଲି କୁହାଯାଏ । ହେଲେ ପରଦା ପଛରେ ରହି ବିଜେପି ନେତାଙ୍କୁ ମଜବୁତ୍‌ କରେ, କେମିତି ରାଜନୈତିକ ଗୋଟି ଚାଳନା ହୁଏ ସେନେଇ ବାଟ ଦେଖାଏ । ଯାହା ଦିଲ୍ଲୀ ନିର୍ବାଚନକୁ ସ୍ପଷ୍ଟ ଜଣାପଡ଼ିଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ସଂଘ ଭୋଟରଙ୍କୁ ନେଇ ଏକ ଜନଜାଗରଣ କରିଥିଲା । ଏହି ଆଲୋଚନାରେ ଦିଲ୍ଲୀରେ ବ୍ୟାପକ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ପାନୀୟ ଜଳଠୁ ଆରମ୍ଭ କରି ପରିମଳ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା । କେବଳ ଦିଲ୍ଲୀରେ ନୁହେଁ ବରଂ ହରିୟାଣା ଓ ମହାରାଷ୍ଟ୍ରରେ ବି ଆରଏସଏସ ସମାନ ପନ୍ଥା ଆପଣାଇଥିଲା । ତେଣୁ ଦିଲ୍ଲୀରେ ବି ସମାନ କଥା ଆପଣାଇ ବିଜେପିକୁ ଏକ ବଡ଼ ବିଜୟ ଦେଇଛି ।

ଦିଲ୍ଲୀରେ ସାଇଲେଣ୍ଟ ପ୍ରଚାର କରିଥିଲା ଆରଏସ୍‌ଏସ୍‌

ଦିଲ୍ଲୀରେ କେମିତି ବିଜେପି ସରକାରକୁ ଫେରିବ ସେନେଇ ଜୋରଦାର ପ୍ରସ୍ତୁତି କରିଥିଲା ସଂଘ । ଏହାସହ ରୁଦ୍ଧଦ୍ବାର ବୈଠକ ବି କରାଯାଇଥିଲା । କେବଳ ଏତିକି ନୁହେଁ ବରଂ ଆପ୍‌ ବିରୋଧରେ ଭ୍ରଷ୍ଟାଚାର କଥା ବି ଉଠାଇଥିଲେ । କେମିତି ଦିଲ୍ଲୀରେ ସେମାନେ ଦୁର୍ନୀତି କରିଛନ୍ତି ସେନେଇ ଗୋଟି ଗୋଟି ତଥ୍ୟ ଲୋକଙ୍କ ପାଖରେ ରଖିଥିଲେ । ସୂତ୍ର ଅନୁସାରେ ସଂଘ କରିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ କେବଳ ସେହି ପ୍ରସଙ୍ଗ ଉଠାଯାଇଥିଲା ଯେଉଁ ପ୍ରସଙ୍ଗ ଲୋକଙ୍କୁ ପ୍ରଭାବିତ କରିବ । ଅବଶ୍ୟ କୌଣସି ନିର୍ଦ୍ଦିଷ୍ଟ ଦଳକୁ ଭୋଟ୍‌ ଦେବା ଲାଗି ସଂଘ କେବେ ପ୍ରଚାର କରେ ନାହିଁ । କିନ୍ତୁ ଆପ୍‌ ବିରୋଧରେ ଯେଉଁ ପ୍ରଚାର କରାଗଲା ତାହା ବିଜେପିକୁ ବୁଷ୍ଟର ଡୋଜ୍‌ ଦେଲା । ଖାସକରି ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଯେଉଁପରି ଭାବରେ ସଂଘ ବୈଠକ କଲା ଲୋକେ ବି ସଚେତନ ହେଲେ । ବିଜେପିକୁ ବହୁମତ ଦେଲେ । 

ନଡ୍ଡାଙ୍କ ବୟାନକୁ ନେଇ ନାରାଜ ଥିଲା ଆରଏସ୍‌ଏସ୍‌

କଥା ହେଲା ଲୋକସଭା ନିର୍ବାଚନରେ ବିଜେପିର ସିଟ୍‌ କମିବା ପଛରେ ଆରଏସ୍‌ଏସ୍‌ ହିଁ ରହିଛି । କାରଣ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏମିତି ଏକ ବୟାନ ଦେଇଥିଲେ ଯାହାକୁ ନେଇ ଆରଏସ୍‌ଏସ୍‌ ନାରାଜ ଥିଲା । ସଂଘର କର୍ମୀ ହତୋଉତ୍ସାହିତ ହୋଇ ପଡିଥିଲେ । ନଡ୍ଡା କହିଥିଲେ, ପ୍ରଥମେ ଦେଶରେ ସରକାର କରିବାକୁ ପ୍ରସ୍ତୁତି ଥିବା ବେଳେ ଆରଏସ୍‌ଏସ୍‌ର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା । କିନ୍ତୁ ଏବେ ଦଳ ନିଜ ଗୋଡରେ ଛିଡ଼ା ହେବାର ସକ୍ଷମ ରଖୁଛି । ଯାହାକୁ ନେଇ ସଂଘର କର୍ମକର୍ତ୍ତା ନାରାଜ ହୋଇଥିଲେ । 
ହରିୟାଣା ଓ ମହାରାଷ୍ଟ୍ରରେ ସଂଘ ଲାଗି ଜିତିଥିଲା ବିଜେପି

ମହାରାଷ୍ଟ୍ର ଓ ହରିୟାଣାରେ ବିଜେପି ପାଇଁ ଅନେକ କଣ୍ଟା ଥିଲା । ସହଜରେ ଏହି ଦୁଇ ରାଜ୍ୟରେ ବିଜେପି ଜିତିବା ସହଜ ନଥିଲା । କିନ୍ତୁ ସଂଘ ଏଥିପାଇଁ ସାମ୍ନାକୁ ଆସିନଥିଲେ ବି ପରଦା ପଛରେ ଯେଉଁ କାର୍ଯ୍ୟ କରିଥିଲା ତାହା ବିଜେପି ଲାଗି ଲାଭ ହେଲା । ନିର୍ବାଚନ ପୂର୍ବରୁ ସଂଘ ବଡ଼ ବଡ଼ କାର୍ଯ୍ୟକ୍ରମ ହାତକୁ ନେଇଥିଲା । ଯାହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଜେପିକୁ ଜିତାଇବା । ପ୍ରତି ବୈଠକରେ ବିକାଶର ବାର୍ତ୍ତା ଦେଇ ବିରୋଧୀଙ୍କୁ କଟାକ୍ଷ କରିଥିଲା । ତେଣୁ ଜନତାଙ୍କ ଭିତରେ ପରିବର୍ତ୍ତନ ଦେଖାଦେଇଥିଲା । ମୋଟ୍‌ ଉପରେ ଦେଶବାସୀ ଜାଣନ୍ତି କି ବିଜେପି ସରକାର କରିବା ପଛରେ ଆରଏସ୍‌ଏସ୍‌ର ହିଁ ହାତ ରହିଛି । ଯାହା ଏବେ ସ୍ପଷ୍ଟ ଭାବରେ ଦିଲ୍ଲୀରେ ପ୍ରମାଣିତ ହୋଇଛି ।