କନକ ବ୍ଯୁରୋ: ଆପ୍‌ର ପତନ, ବିଜେପିର ସରକାର । ୨୭ ବର୍ଷ ବନବାସରୁ ଫେରିଲା ବିଜେପି । ଲଗାତାର ୧୧ ବର୍ଷ ଧରି ଶାସନ କରିଥିବା କେଜ୍ରିୱାଲ ଏଥର ଦିଲ୍ଲୀବାସୀଙ୍କ ଭରସା ଜିତିପାରିଲେ ନାହିଁ । ମୋଟ୍‌ ୭୦ ଆସନରୁ ବିଜେପି ୪୮ ସିଟ୍‌ରେ ବିଜେପି ବିଜୟ ହୋଇଥିବା ବେଳେ ଆପ୍‌ ଖାତାକୁ ଯାଇଛି ମାତ୍ର ୨୨ ସିଟ୍‌ । ତେଣୁ ଆପ୍‌ର ମୁଖ୍ୟମନ୍ତ୍ରୀ ଥିବା ଆତିଶୀ ନିଜର ଇସ୍ତଫା ପତ୍ର ଦେଇଛନ୍ତି । ତେବେ ଦିଲ୍ଲୀର ଆଗାମୀ ମୁଖ୍ୟମନ୍ତ୍ରୀ ହେବ କିଏ ସେନେଇ କୌଣସି ନିଷ୍ପତ୍ତି ହୋଇନଥିବା ବେଳେ ଆଜି ସଂଧ୍ୟାରେ ବିଜେପି ବିଧାୟକ ଦଳ ବୈଠକ ବସୁଛି । ଏହି ବୈଠକରେ ନେତା ବଛାଯିବ । କୁହାଯାଉଛି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତରୁ ଫେରିଲେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ହେଲେ ଏବେ ଦିଲ୍ଲୀର କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କିଏ ନେବ ତାହାକୁ ନେଇ ଚର୍ଚ୍ଚା ଜୋର ।

Advertisment

ହାରିବା ପରେ ଇସ୍ତାଫା ଦେଲେ
ଶାସକ ଦଳ ଥିଲେ, ବିରୋଧୀ ହେଲେ

ଦିଲ୍ଲୀ ନିର୍ବାଚନ ପୂର୍ବରୁ ତିନ ଦଳ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଥିଲା । ବିଜେପି-କଂଗ୍ରେସ ଓ ଆପ୍‌ ନୂଆ ରଣନୀତି ଆପଣାଇ ପରସ୍ପର ବିରୋଧରେ ଋଣହୁଙ୍କାର ବି ଦେଇଥିଲେ । କିନ୍ତୁ ନିର୍ବାଚନରେ କ୍ଲିନ୍‌ ସ୍ବିପ୍‌ କଲା ବିଜେପି । ତେଣୁ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଗତକାଲିଠୁ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ସକାଳୁ ଉପରାଜ୍ୟପାଳଙ୍କୁ ସାକ୍ଷାତ କରି ନିଜର ଇସ୍ତଫା ଦେଇଛନ୍ତି ଆତିଶୀ । ତେବେ ଯେବେ ଜଣେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇ ଦିଅନ୍ତି, ପୁଣି ଥରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବା ପର୍ଯ୍ୟନ୍ତ କାହା ରାଜ୍‌ ଚାଲେ ?  

କଣ କରନ୍ତି କାମଚଳା ମୁଖ୍ୟମନ୍ତ୍ରୀ ?

ସମ୍ବିଧାନର ନିୟମ ଅନୁସାରେ ଯଦି କୌଣସି ରାଜ୍ୟର ଯଦି ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତି ତାହାଲେ କିଛି ନୂଆ ନିୟମ କାର୍ଯ୍ୟକାରୀ ହୁଏ । ଅବଶ୍ୟ ସବୁ ରାଜ୍ୟରେ ଗୋଟିଏ ନିୟମ କାର୍ଯ୍ୟକାରୀ ହୁଏନାହିଁ । ଅର୍ଥାତ୍‌ ଭିନ୍ନଭିନ୍ନ ରାଜ୍ୟରେ ଭିନ୍ନଭିନ୍ନ ନିୟମ କାର୍ଯ୍ୟକାରୀ ହୁଏ । ନିୟମ ଅନୁସାରେ, ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ପରେ ଯେପର୍ଯ୍ୟନ୍ତ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେଇନଥାନ୍ତି ସେ ପର୍ଯ୍ୟନ୍ତ ଇସ୍ତଫା ଦେଇଥିବା ମୁଖ୍ୟମନ୍ତ୍ରୀ ହିଁ କାମଚଳା ମୁଖ୍ୟମନ୍ତ୍ରୀର ଦାୟିତ୍ବରେ ରୁହନ୍ତି । ହେଲେ ଏହି ସମୟରେ ସେ କୌଣସି ନୂଆ ଯୋଜନାର ଘୋଷଣା କରିପାରିବେ ନାହିଁ । ରାଜ୍ୟରେ କେମିତି ଆଇନଶୃଙ୍ଖଳା ପରିସ୍ଥିତି ଭଲରେ ରହିବ ତାହା କାମଚଳା ମୁଖ୍ୟମନ୍ତ୍ରୀଙ୍କ ଗୁରୁଦାୟିତ୍ବ । ତେଣୁ ଆଇନଶୃଙ୍ଖଳା ସମ୍ପର୍କରେ ସେ କୌଣସି ନିର୍ଦ୍ଦେଶ ଦେଇପାରିବେ । ଗୁରୁତ୍ବପୂର୍ଣ୍ଣ କଥା ହେଲା, ମୁଖ୍ୟମନ୍ତ୍ରୀ ସର୍ବପ୍ରଥମେ ନିଜର ଇସ୍ତଫା ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତି କରାନ୍ତି । ପରେ ଇସ୍ତଫା ଦେବାକୁ ଯାଆନ୍ତା । ଏହାପରେ ରାଜ୍ୟପାଳ ଅନୁମତି ଦିଅନ୍ତି ଓ ଇସ୍ତଫା ଗ୍ରହଣ ହୁଏ । 

କିଛି ପରିସ୍ଥିତିରେ ହୁଏ ରାଷ୍ଟ୍ରପତି ଶାସନ

କିଛି ପରିସ୍ଥିତିରେ ରାଜ୍ୟପାଳ କାମଚଳା ମୁଖ୍ୟମନ୍ତ୍ରୀ ନକରି ରାଷ୍ଟ୍ରପତିଙ୍କୁ ଅବଗତ କରାନ୍ତି ରାଷ୍ଟ୍ରପତି ଶାସନ ଲାଗି । ପରେ ପରେ ରାଷ୍ଟ୍ରପତି ଏନେଇ ବିଚାର କରିବା ପରେ ଯଦି ଚାହିଁବେ ତାହାଲେ ସଂପୃକ୍ତ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯିବ । ଅନେକ ସମୟରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ କରନ୍ତି । ବିଧାନସଭାରେ ପରବର୍ତ୍ତୀ ସମୟରେ ତାଙ୍କୁ ନିଜର ସଂଖ୍ୟା ଗରିଷ୍ଠତା ଦେଖାଇବାକୁ ପଡ଼େ । ଯଦି ରାଜ୍ୟରେ କୌଣସି ଦଳ ସଂଖ୍ୟା ଗରିଷ୍ଠତାର ପ୍ରମାଣ ନଦେଇ ପାରନ୍ତି ତାହାଲେ ନିର୍ବାଚନ କରିବା ଲାଗି ରାଜ୍ୟପାଳ ନିର୍ଦ୍ଦେଶ ଦେଇପାରିବେ । 

ନୂଆ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳ ଶପଥ ପାଠ କରାନ୍ତି । ଅବଶ୍ୟ କେନ୍ଦ୍ର ଶାସିତ ଅଂଚଳରେ ରାଷ୍ଟ୍ରପତି ମୁଖ୍ୟମନ୍ତ୍ରୀଙ୍କୁ ନିଯୁକ୍ତି କରନ୍ତି । ମୁଖ୍ୟମନ୍ତ୍ରୀ ଚୟନ ହେବା ପରେ ନିଜର କ୍ୟାବିନେଟ୍‌ ଗଠନ କରନ୍ତି । ବିଧାନସଭାରେ ବହୁମତ ସାବ୍ୟସ୍ତ କରନ୍ତି । ତେବେ ଦିଲ୍ଲୀ ଯେହେତୁ କେନ୍ଦ୍ର ଶାସିତ ଅଂଚଳ ତେଣୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ରାଷ୍ଟ୍ରପତି ନିଯୁକ୍ତି କରିବେ ବୋଲି ସୂଚନା ରହିଛି । ମୋଟ୍‌ ଉପରେ ଦିଲ୍ଲୀ ନିର୍ବାଚନକୁ ନେଇ ପୁରା ଦେଶରେ ଚର୍ଚ୍ଚା ଚାଲିଛି । ଯେଉଁପରି ଭାବରେ ବିଜେପି କ୍ଲିନ୍‌ସ୍ବିପ କଲା ସେନେଇ ବିଜେପି ଶିବିରରେ ଖୁସି ଦେଖିବାକୁ ମିଳିଥିବା ବେଳେ ଆପ୍‌ ଶିବିରରେ ନିରବତା ଖେଳିଯାଇଛି ।