କନକ ବ୍ଯୁରୋ: ଦିଲ୍ଲୀରେ ବିଧାନସଭା ନିର୍ବାଚନରେ ଆପ୍ର ବଡ଼ ପରାଜୟ ହୋଇଛି । ଦଳ ଭାବିଥିଲା କି ପୁଣି ଥରେ କ୍ଷମତା ଦଖଲ କରିବ । ଚତୁର୍ଥ ଥର ଲାଗି ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ବ ବି ଦେଖୁଥିଲେ । ହେଲେ ବିଜେପିର ରଣନୀତି ଓ ନିଜ ଦଳର ଦୁର୍ନୀତିକୁ ନେଇ ଫସିଗଲେ କେଜ୍ରିୱାଲ । ମୋଟ୍ ୭୦ ଆସନରୁ କେବଳ ୨୨ ଆସନରେ ଦଳ ବିଜୟ ହେଲା । ଖାଲି ଏତିକି ନୁହେଁ ବରଂ ନିଜ ଗଡ଼କୁ ବି ବଞ୍ଚାଇପାରିଲେ ନାହିଁ କେଜ୍ରିୱାଲ । କେବଳ କେଜ୍ରିୱାଲ ନୁହନ୍ତି, ମନୀସ ସିସୋଦିଆଙ୍କ ସହ ବଡ଼ ବଡ଼ ନେତା ବି ଧରାଶାୟୀ ହେଲେ । କୁହାଯାଉଛି କି ବିଜେପିର ରଣନୀତି ସାମ୍ନାରେ ଆପ୍ ଫିକା ପଡ଼ିଗଲା । ସେପଟେ, ଦିଲ୍ଲୀରେ ହାରିବା ପରେ ପଂଜାବରେ ଏହାର ପ୍ରଭାବ ଦେଖିବାକୁ ମିଳିବ । କାରଣ ସେଠାରେ ଏବେ ଆପ୍ର ସରକାର ରହିଛି । ଯଦି ସେମିତି କିଛି ହୁଏ ତାହାଲେ ଆପ୍ର ଭବିଷ୍ୟତ କଣ ହେବ ତାହାକୁ ନେଇ ପ୍ରଶ୍ନ ଉଙ୍କି ମାରିଲାଣି ।
୨୦୧୫ ଓ ୨୦ରେ ଐତିହାତିସ ବିଜୟ
୨୦୨୫ରେ ଧରାଶାୟୀ
ଦିଲ୍ଲୀରେ ହାରିଲା ଆପ୍
ପଂଜାବରେ ପଡ଼ିବ କି ପ୍ରଭାବ
ଯେଉଁ ସମୟରେ ପୁରା ଦେଶରେ ମୋଦୀ ଲହରୀ ଥିଲା ସେହି ସମୟରେ ଦିଲ୍ଲୀରେ କିନ୍ତୁ ପଦ୍ମ ଫୁଟିନଥିଲା । ବରଂ ଆପ୍ ପ୍ରତି ଲୋକଙ୍କ ସମର୍ଥନ ଥିଲା । ମୋଦୀଙ୍କୁ ଚ୍ୟାଲେଞ୍ଜ ଦେଇ କେଜ୍ରିୱାଲ ବାଜି ମାରିନେଇଥିଲେ । ଖାଲି ୨୦୧୫ କାହିଁକି ବରଂ ୨୦୨୦ରେ ବି ଆପ୍ ଦଖଲ କରିଥିଲା ଦିଲ୍ଲୀ । ହେଲେ ୨୦୨୫ ଫେବୃଆରୀ ୮ ଆପ୍ ଲାଗି ଏକ କଳାଦିନ ଭାବରେ ଉଭା ହେଲା । କାରଣ ୧୧ ବର୍ଷ ପରେ କ୍ଷମତାରୁ ଦୂରେଇ ଗଲେ କେଜ୍ରିୱାଲ । ବର୍ତ୍ତମାନ ସମୟରେ ଆପ୍ ଦୁର୍ବଳ ହେବା ସହିତ ଦଳ ଭାଙ୍ଗିଯିବ ବୋଲି ଲୋକେ କହିଲେଣି । ସେପଟେ କିନ୍ତୁ ଆପ୍ ନେତା କହୁଛନ୍ତି ଆମକୁ ଜନତା ବିରୋଧୀ ଦଳରେ ବସାଇଛନ୍ତି । ଆମେ ସରକାରଙ୍କୁ ଜଗିବୁ, ଲୋକଙ୍କ ବିକାଶ ଲାଗି କାମ କରିବୁ ।
ଏବେ ପଂଜାବରେ ହେବ କଣ
ଦିଲ୍ଲୀରେ ଆପ୍ ହାରିବା ପରେ ପଂଜାବରେ ସ୍ଥିତି ସଙ୍କଟ ହେଲାଣି । ବିରୋଧୀଙ୍କ କହିବାକଥା ଦିଲ୍ଲୀରେ ହାରିବାର ଅର୍ଥ ପଂଜାବରେ ଦଳର ପତନ । କାରଣ ରାଜ୍ୟରେ ୧୩ ଲୋକସଭା ସିଟ୍ ଥିବା ପରେ ବି ଆପ୍ ଖାତାକୁ ଆସିଥିଲା ମାତ୍ର ୩ ସିଟ୍ । ୨୦୨୨ରେ ହୋଇଥିବା ବିଧାନସଭା ନିର୍ବାଚନରେ ଆପ୍କୁ ମୋଟ୍ ୧୧୭ ସିଟ୍ରୁ ୯୨ ସିଟ୍ ମିଳିଥିଲା ଏବଂ ସେ ସରକାର କରିଥିଲା । କିନ୍ତୁ ଏବେ ଦଳରେ କନ୍ଦଳ ଥିବାରୁ ଆଗାମୀ ଦିନରେ ନେତାଏ ଏକାଠି ହୋଇପାରିବେନି ବୋଲି କହୁଛନ୍ତି ବିରୋଧୀ ।
ପଂଜାବରେ ସରକାରଙ୍କୁ ଘେରିଲା ବିରୋଧୀ
ବିରୋଧୀ ଦଳଙ୍କ ଟାର୍ଗେଟ୍ରେ ଏବେ ଆପ୍ ସରକାର । କଂଗ୍ରେସ ନେତା ପ୍ରତାପ ସିଂ ଦାବି କରିଛନ୍ତି ବର୍ତ୍ତମାନ ସମୟରେ କେଜ୍ରିୱାଲ ଓ ଭଗବନ୍ତ ସିଂହଙ୍କ ମଧ୍ୟରେ କ୍ଷମତାଯୁଦ୍ଧ ହେବ । ତେଣୁ ସରକାର ତିଷ୍ଠି ରହିବା କଷ୍ଟକର ହୋଇପଡ଼ିବ । ସେପଟେ ବିଜେପି ନେତା ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ଦିଲ୍ଲୀରେ ଆପ୍ ଲଜ୍ଜାଜନକ ଭାବରେ ପରାଜୟ ସ୍ବୀକାର କଲା । ଯେଉଁମାନେ ମିଛ ପ୍ରତିଶ୍ରୁତି ଦେଇଛନ୍ତି ସେମାନଙ୍କୁ ଜନତା ଉଚିତ୍ ଜବାବ ଦେଇଛନ୍ତି । ଏପଟେ ପଂଜାବ ପ୍ରଦେଶର ବିଜେପିର ମହାସଚିବ କହିଛନ୍ତି, ଦିଲ୍ଲୀ ଜନତା ପ୍ରମାଣିତ କରିଛନ୍ତି ଆପ୍ କେବଳ ପ୍ରତିଶ୍ରୁତି ଦେଇ ପ୍ରତାରଣା କରେ । ତେଣୁ ସେମାନେ ଏ ଦଳକୁ ବିଶ୍ବାସ କଲେ ନାହିଁ । ୧୧ ବର୍ଷ ସରକାରରେ ରହିଲେ କିନ୍ତୁ ରାଜଧାନୀ ଦିଲ୍ଲୀର ଯେଉଁପରି ଭାବରେ ବିକାଶ କରିବାର କଥା କଲେ ନାହିଁ । ତେଣୁ ଜନତା ତାଙ୍କୁ ପ୍ରତ୍ୟାଖ୍ୟାନ କଲେ । ମୋଟ୍ ଉପରେ ଦିଲ୍ଲୀରେ ଆପ୍ ହାରିବା ପରେ ଏବେ ସୋସିଆଲ ମିଡିଆରେ ଆପ୍କୁ ଓ ଦଳର ନେତାଙ୍କୁ ଅନେକ ପ୍ରକାର ସମାଲୋଚନା କରାଯାଉଛି । ଏପଟେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ବି ଏବେ ବି ସସ୍ପେନ୍ସ ରହୁଥିବା ବେଳେ ଦଳର ନେତା କହିଛନ୍ତି ଖୁବଶୀଘ୍ର ସିଏମ ଚୌକି ଉପରୁ ପରଦା ଉଠିବ ।