କନକ ବ୍ୟୁରୋ: ଦିଲ୍ଲୀ ନିର୍ବାଚନକୁ ନେଇ ଯେତିକି ଚର୍ଚ୍ଚା ହେଉଥିଲା, ରେଜଲ୍ଟକୁ ନେଇ ବି ସେତିକି ଚର୍ଚ୍ଚା । କାରଣ ଦେଶର ସବୁ ବଡ଼ ସଂସ୍ଥା ଦ୍ବାରା କରାଯାଇଥିବା ଏକଜିଟ୍ ପୋଲରେ କୁହାଯାଉଛି କି, ଆସନ୍ତାକାଲି ରେଜଲ୍ଟରେ ଆପ୍ର ବିଜୟ ସ୍ବପ୍ନ ଅଧୁରା ରହିଯିବା ନେଇ ଚର୍ଚ୍ଚା ବି ହେଉଛି । ତେଣୁ ଏମିତି ସମୟରେ ଦିଲ୍ଲୀରେ ଆପ୍ ସରକାର କରିବା ସମ୍ଭବ ହେଉନି । ଏତିକି ବେଳେ ଏକ ରାଜନୈତିକ ଦଳ ଆପ୍କୁ ସମର୍ଥନ ଦେବ ବୋଲି ଘୋଷଣା କରିଛି । ଯାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ଦିଲ୍ଲୀକୁ ନେଇ ହୋଇଥିବା ଏକଜିଟ୍ ପୋଲର ଆକଳନ ଅନୁସାରେ କଂଗ୍ରେସ ଏଥର ଖାତା ଖୋଲିନପାରେ । କିନ୍ତୁ ଏମିତି ସ୍ଥିତିରେ ଅସଉଦ୍ଦିନ୍ ଓୱେସୀଙ୍କ ନେତୃତ୍ବାଧୀନ ଏଆଇଏମଆଇଏମ୍ ଖାତା ଖୋଲିବା ନେଇ ଦାବି କରିଛନ୍ତି ଦଳୀୟ ନେତା । ଯଦି ଏମିତି ହୁଏ ତାହାଲେ ଦିଲ୍ଲୀରେ କିଛି ଗୋଟାଏ ପରିବର୍ତ୍ତନ ହୋଇପାରେ । ଅବଶ୍ୟ କେତେ ଆସନ ମିଳିବ ସେନେଇ ଏକଜିଟ୍ ପୋଲ କିଛି ଖୁଲାସା କରିନି କିନ୍ତୁ ନେତା କହୁଛନ୍ତି ଦୁଇଟି ସିଟ୍ରେ ସେମାନଙ୍କ ପ୍ରାର୍ଥୀ ବିଜୟ ହେବେ । ଖାଲି ଏତିକି ନୁହେଁ ବରଂ ସେମାନେ କେଜ୍ରିୱାଲଙ୍କୁ ସମର୍ଥନ ଦେବେ ବୋଲି ବି ଘୋଷଣା କରିଛନ୍ତି ।
ଦିଲ୍ଲୀ ରାଜନୀତିରେ ବିଷମ ସ୍ଥିତି
ବିଜେପିକୁ ସଂଖ୍ୟା ଗରିଷ୍ଠତା ମିଳିବା ନେଇ ସଂକେତ
ଆପ ତୃତୀୟଥର ଲାଗି ସରକାର କରିବାକୁ ଦେଖୁଛି ସ୍ବପ୍ନ
ରାତି ପାହିଲେ ଦିଲ୍ଲୀ ଦଖଲ କରିବ କିଏ ସେନେଇ ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେବାରେ ଲାଗିବ । କିନ୍ତୁ ଏବେଠୁ ଚର୍ଚ୍ଚା ଜୋର ଧରିଛି । ଓୱେସୀଙ୍କ ଦଳର ନେତା ଯେଉଁ ଦାବି କରୁଛନ୍ତି ସେଥିରୁ ଗୋଟିଏ କଥା ସ୍ପଷ୍ଟ ଏଆଇଏମଆଇଏମ୍କୁ ଗୋଟିଏ କିମ୍ବା ଦୁଇଟି ଆସନ ମିଳିବ । ଏହାସହ ସେମାନେ କହିଛନ୍ତି, ଦିଲ୍ଲୀରେ ଏଥର ପରିବର୍ତ୍ତନ ହେବା ନେଇ ସଂକେତ ମିଳିଛି, ତେଣୁ ଆମ ଦଳକୁ ଜନତା ଭୋଟ୍ ଦେବେ ।
କେଜ୍ରିୱାଲଙ୍କୁ ସମର୍ଥନ ଦେବେ କି ଓୱେସୀ ?
ଏଆଇଏମଆଇଏମ୍ର ବରିଷ୍ଠ ନେତା କେଜ୍ରିୱାଲଙ୍କୁ ସମର୍ଥନ ଦେବା ନେଇ କହିବା ପରେ ଜୋର ଧରିଛି ରାଜନୀତି । କାରଣ ବରିଷ୍ଠ ନେତା କହିଛନ୍ତି ଦିଲ୍ଲୀରେ ସେମାନେ ଆପ୍ ସହ ମେଣ୍ଟ କରିବେ । କିନ୍ତୁ ନିଷ୍ପତ୍ତି ନେବେ ଦଳର ଅଧ୍ୟକ୍ଷ । ଦଳର ସଭାପତି ଯେଉଁ ନିଷ୍ପତ୍ତି ନେବେ ଆମେ ତାହାକୁ ପାଳନ କରିବୁ । କାରଣ ଉଭୟ ଦଳ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଏହା କି, ଦିଲ୍ଲୀ ନିର୍ବାଚନରେ ବିଜେପି ସରକାର ଟାମ୍ପରିଂ କରିଛି । ଅବଶ୍ୟ ଏହା ସତ କି ମିଛ ସେନେଇ କୌଣସି ଖବର ମିଳିନାହିଁ । କିନ୍ତୁ ଏହାକୁ ନେଇ ଦିଲ୍ଲୀ ରାଜନୀତିରେ ଜୋରଦାର ଚର୍ଚ୍ଚା ହେଉଛି । ସେପଟେ ଦିଲ୍ଲୀରେ ବିଜୟ ଉତ୍ସବ ପାଳନ କରିବା ଲାଗି ବିଜେପି କୁଆଡ଼େ ପ୍ରସ୍ତୁତି କରିଛି । ଏପଟେ କେଜ୍ରିୱାଲଙ୍କ ଘର ସାମ୍ନାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରିଛି ଦିଲ୍ଲୀ ପୋଲିସ । ଅପେକ୍ଷା ଆଉ ମାତ୍ର କିଛି ଘଂଟାକୁ । ସମୟ ଗଡ଼ିବା ଅନୁସାରେ ଦିଲ୍ଲୀ ଆସନରେ କିଏ ବସିବ ତାହା ପ୍ରମାଣ ହୋଇଯିବ ।