କନକ ବ୍ଯୁରୋ: ରାତି ପାହିଲେ ପୂର୍ଣ୍ଣମୀ । ମହାକୁମ୍ଭରେ ବୁଡ଼ ପକାଇବାକୁ କୋଟି କୋଟି ଶ୍ରଦ୍ଧାଳୁ ପ୍ରୟାଗରାଜ ଅଭିମୁଖେ । ଶ୍ରଦ୍ଧାଳୁ ସଂଖ୍ୟାରେ ବସ୍, ଟ୍ରେନ୍, ପ୍ଲେନ୍ ଓ ପ୍ରାଇଭେଟ୍ କାର୍ ସତେ ଯେମିତି ଫିକା ପଡ଼ିଯାଇଛି । କାରଣ କୋଟି କୋଟି ଲୋକ ଏକା ସାଙ୍ଗରେ ପ୍ରୟାଗରାଜ ଯାଉଥିବାରୁ ଗାଡ଼ି ମିଳୁନି । ସବୁଠୁ ଅଧିକ ଭିଡ଼ ଦେଖିବାକୁ ମିଳିଛି ଟ୍ରେନ୍ରେ । ଏମିତିରେ ବି ଟ୍ରେନ୍ରେ ନିଇତି କୋଟି କୋଟି ଲୋକ ଯାତ୍ରା କରନ୍ତି ହେଲେ କୁମ୍ଭ ପାଇଁ ଏହି ସଂଖ୍ୟାରେ ଅହେତୁକ ବୃଦ୍ଧି ପାଇବାରେ ଲାଗିଛି । ଯେଉଁଠି ପ୍ରତିଦିନ ଭାରତୀୟ ରେଳରେ ଅଢେଇ କୋଟି ଲୋକ ଯାତ୍ରା କରୁଥିବା ଦେଖାଯାଉଥିଲା ତାହା ଏବେ ୩ କୋଟିରୁ ଉର୍ଦ୍ଧ୍ବରେ ପହଞ୍ଚିଥିବା କୁହାଯାଉଛି । ଏମିତି ପରିସ୍ଥିତିରେ ଜେନେରାଲ ବଗିର ଅବସ୍ଥା ତ ଯାହା ହେଉଛି ହେଉଛି ଏସି ବଗିରେ ବି ଛିଡ଼ା ହେବାକୁ ଜାଗା ନାହିଁ ।
ପ୍ରୟାଗରାଜରେ ସାଂଘାତିକ ଭିଡ଼
ଷ୍ଟେସନରେ ଚାଲିବାକୁ ଜାଗା ନାହିଁ
ରାତିଦିନ ୨୪ ଘଂଟା ଆସ୍ଥା ଓ ବିଶ୍ବାର ବୁଡ଼ ପକାଉଛନ୍ତି ଶ୍ରଦ୍ଧାଳୁ
ପ୍ରୟାଗରାଜରେ ସାଂଘାତିକ ଭିଡ଼ ଦେଖିବାକୁ ମିଳୁଛି । ରାତିଦିନ ୨୪ ଘଂଟା ସେଠାରେ ଧର୍ମ, ଆସ୍ଥା ଓ ବିଶ୍ବାସର ବୁଡ଼ ପକାଇବାକୁ ଶ୍ରଦ୍ଧାଳୁଙ୍କ ଆଗମନ ହେଉଛି । ପାଖାପାଖି ମାସେ ହେବ ଏମିତି ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି । କଥା ହେଲା ଟ୍ରେନ୍ରେ ଯେଉଁମାନଙ୍କର ଟିକେଟ୍ କନଫର୍ମ ହୋଇଛି ସେମାନେ ବି ନାନାପ୍ରକାର ଅସୁବିଧାର ସାମ୍ନା କରୁଛନ୍ତି । କାରଣ ଯେଉଁମାନଙ୍କର ଟିକେଟ୍ କନଫର୍ମ ହୋଇନି ସେମାନେ ବି ରିଜର୍ଭବେଶନ ବଗିରେ ଚଢି ଯାତ୍ରା କରୁଛନ୍ତି । ଯେଉଁମାନେ ସଂରକ୍ଷିତ ବଗିରେ ଚଢିପାରୁନାହାନ୍ତି ସେମାନେ ଜେନେରାଲ ଶ୍ରେଣୀରେ ଧକ୍କା ଖାଇ ଯାତ୍ରା କରୁଥିବା ଦେଖିବାକୁ ମିଳିଛି ।
ଟ୍ରେନ୍ରେ ସିଟ୍ ମିଳିବା ସ୍ବପ୍ନ
ଜଣଙ୍କ ଉପରେ ଜଣେ ବସିକି କରୁଛନ୍ତି ଯାତ୍ରା
ମହାକୁମ୍ଭରେ ପ୍ରବଳ ଭିଡ଼ । ଏମିତିରେ ବି ଗତକାଲିଠୁ ୩୦୦ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଜାମ ଥିଲା । ଅର୍ଥାତ୍ ଘରୋଇ ଗାଡ଼ି ଗୁଡ଼ିକ ଗୋଟିଏ ଜାଗାରେ ଘଂଟା ଘଂଟା ଧରି ଛିଡ଼ା ହୋଇଥିଲା । ଏମିତି ସ୍ଥିତିରେ ରେଲୱେ ଉପରେ ଅଧିକାଂଶ ଲୋକ ନିର୍ଭର କରୁଥିଲେ । ତେଣୁ ଟ୍ରେନ୍ରେ ସ୍ଥିତି କଣ ହୋଇଥିବ ତାହା ସ୍ପଷ୍ଟ ଅନୁମେୟ । ସେପଟେ ଯାତ୍ରୀ କହୁଛନ୍ତି, ଆମେ ଘରୋଇ ଗାଡ଼ିରେ ଭଡ଼ା ଦେଇ ଯାତ୍ରା କରିବା ସମ୍ଭବ ନୁହେଁ । ତେଣୁ ଟ୍ରେନ୍ ହିଁ ଏକମାତ୍ର ଭରସା ।
ଅସନ୍ତୋଷ ଝାଡିଲେ ଯାତ୍ରୀ
ଅସମ୍ଭାଳ ଭିଡ଼କୁ ନେଇ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । କହିଛନ୍ତି, ଏମିତି ଜାମ୍ ହେଲେ ସ୍ଥିତି ଭୟଙ୍କର ହେବ । ଆମେ ଠିକ୍ରେ ଛିଡ଼ା ବି ହୋଇପାରୁନୁ । ରେଳ ମନ୍ତ୍ରଣାଳୟ ପକ୍ଷରୁ ନିତିଦିନ ପ୍ରୟାଗରାଜ ଯାଉଥିବା ଟ୍ରେନ୍ରେ ସେମିତି କୌଣସି ବ୍ୟବସ୍ଥା କରାଯାଇନି କି ସ୍ପେଶାଲ ଟ୍ରେନ୍ରେ ବି କିଛି କରାଯାଇନି । ଏମିତି ସ୍ଥିତିରେ ଦଳାଚକଟା ହେବ ନାହିଁ ତ କଣ ହେବ ବୋଲି ଓଲଟି ପ୍ରଶ୍ନ କରିଛନ୍ତି ଯାତ୍ରୀ ।
୧୪ ପର୍ଯ୍ୟନ୍ତ ବନ୍ଦ ହେଲା ସଂଗମ ଷ୍ଟେସନ
ଅତ୍ୟଧିକ ଭିଡ଼ ଲାଗି ରେଲୱେ କର୍ତ୍ତୃପକ୍ଷ ସଂଗମ ଷ୍ଟେସନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ଏନେଇ ନୋଟିସ୍ ମଧ୍ୟ ଜାରି କରାଯାଇଛି । କୁହାଯାଇଛି କି, ଅତ୍ୟଧିକ ଭିଡ଼ ଲାଗି ଏମିତି ନିଷ୍ପତ୍ତି ନେବାକୁ ପଡ଼ିଲା । ଭିଡ଼ ନିୟନ୍ତ୍ରଣ ହେଲେ ପୁଣି ଥରେ ସଂଗମ ଷ୍ଟେସନ ସ୍ବାଭାବିକ ଭାବରେ କାମ କରିବ । ମୋଟ୍ ଉପରେ କୁମ୍ଭରେ ଭୟଙ୍କର ଜାମ ହେବା ପରେ ରେଲୱେ କର୍ତ୍ତୃପକ୍ଷ ଏମିତି ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚାରେ ।