କନକ ବ୍ୟୁରୋ : ଆପଣଙ୍କ ଅଞ୍ଚଳରେ ଛେଳିର ଦାମ୍ କେତେ ? ପାଖାପାଖି ୧୫ ରୁ ୪୦ ହଜାର ଟଙ୍କା ମୂଲ୍ୟରେ ମିଳିଯାଉଥିବେ ନିଶ୍ଚୟ । କିନ୍ତୁ ଭୋପାଳର ନାରିୟଲଖେଡ଼ା ନାମକ ସ୍ଥାନରେ ରହୁଥିବା ସାହେବ ଅଲ୍ଲିଙ୍କ ଛେଳି ଫାର୍ମରେ ବିକ୍ରି ହେଉଥିବା ଛେଳିର ଦାମ୍ ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ । ଲକ୍ଷେ ଟଙ୍କାରୁ ଆରମ୍ଭ ହୁଏ ଏହି ଛେଳିର ଦାମ୍ । ସାଧାରଣ ଛେଳିଙ୍କ ପରି ନୁହେଁ ଏହି ଛେଳିଙ୍କୁ ଭିଆଇପି ଟ୍ରିଟମେଣ୍ଟ୍ ଦିଆଯାଇ ବଡ଼ କରାଯାଏ । ଏମାନଙ୍କ ଶରୀରର ଗଠନ ମଧ୍ୟ ଅନ୍ୟ ଛେଳିଙ୍କଠାରୁ ଭିନ୍ନ । ଛେଳିଙ୍କ ଯତ୍ନ ନେବା ପାଇଁ ୨ ଜଣ ଲୋକଙ୍କ ଆବଶ୍ୟକତା ପଡ଼େ । ଏମାନଙ୍କ ଓଜନ ୬୦ କିଲୋରୁ ୧ କ୍ବିଣ୍ଟାଲ୍ ପର୍ଯ୍ୟନ୍ତ ରହିଥାଏ ।
/kanak/media/media_files/2025/06/07/ec88omuUHkLTrZVkg1r5.jpg)
ଯେଉଁଠି ସାଧାରଣ ଛେଳିର ମୂଲ୍ୟ ୧୦ ରୁ ୧୫ ହଜାର ଟଙ୍କା ହୋଇଥାଏ । ସେଠାରେ ସାହେବ ଅଲ୍ଲିଙ୍କ ଖାସ୍ ଛେଳିର ମାସିକ ଖର୍ଚ୍ଚ ୧୦ ରୁ ୧୫ ହଜାର ଟଙ୍କା । ଏହି ଭିଆଇପି ଛେଳି ଜଳଖିଆରେ ଡ୍ରାଇଫ୍ରୁଟ୍ସ ଖାଏ । କାଜୁ, ବାଦାମ, ପିସ୍ତା, ଅଞ୍ଜିର ଖାଆନ୍ତି ଏହି ଛେଳି । ପ୍ରତିଦିନର ଖାଦ୍ୟ ଭିତରେ କ୍ଷୀର, ଲହୁଣୀ ଏବଂ ଗାଈର ଶୁଦ୍ଧ ଘିଅ ଖାଆନ୍ତି ଏହି ଛେଳି । ଦିନବେଳା ଦେଶୀ ଚଣା ଏବଂ ମକା ଖାଇଥା’ନ୍ତି ଛେଳି । ମାଲିକ ସାହେବ ଅଲ୍ଲି କୁହନ୍ତି ତାଙ୍କ ଛେଳି ଦେଶରେ ନୁହେଁ ବିଦେଶରେ ମଧ୍ୟ ବିକ୍ରି ହୁଅନ୍ତି । ଏହି ନିଆରା ଛେଳିକୁ କିଣିବା ପାଇଁ ଭୋପାଳ ବାହାରୁ ମଧ୍ୟ ଲୋକ ଆସିଥା’ନ୍ତି । ସମୟ କମ୍ ହେବା କାରଣରୁ ଲୋକ ଫ୍ଲାଇଟରେ ଆସି ଛେଳିକୁ ଦେଖି ପସନ୍ଦ କରିଯାଆନ୍ତି । ପରେ ମାଲିକ ଟଙ୍କା ନେଇ ଉପଯୁକ୍ତ ଠିକଣାରେ ଛେଳି ପହଞ୍ଚାଇ ଦିଅନ୍ତି । ବିଦେଶରୁ ଆସୁଥିବା ଗ୍ରାହକ ଛେଳିର ବାଟଖର୍ଚ୍ଚ ବାବଦକୁ ହିଁ ୫୦ ରୁ ୬୦ ହଜାର ଟଙ୍କା ଖର୍ଚ୍ଚ କରିଦିଅନ୍ତି । ବେଳେବେଳେ ବିଳାସପୂର୍ଣ୍ଣ ଗାଡ଼ିରେ ମଧ୍ୟ ଏହି ଛେଳିମାନଙ୍କୁ ପଠାଇ ଦିଆଯାଏ । ବର୍ତ୍ତମାନ ଅନଲାଇନରେ ହିଁ ଗ୍ରାହକ ଛେଳି ପସନ୍ଦ କରନ୍ତି ଏବଂ ଆଗୁଆ ବୁକିଂ କରି ପରେ ଛେଳି ମିଳିବା ପରେ ସମ୍ପୂର୍ଣ୍ଣ ଟଙ୍କା ଟ୍ରାନ୍ସଫର୍ କରନ୍ତି । ଦିଲ୍ଲୀ, ହାଇଦ୍ରାବାଦ ଏବଂ ମୁମ୍ବାଇ ସମେତ ବଡ଼ ବଡ଼ ସହରରେ ଏହି ଛେଳିମାନଙ୍କର ଚାହିଦା ରହିଛି ।
ମଣିଷଙ୍କ ଲମ୍ବ ଉଚ୍ଚର ଏହି ଛେଳି ଯଦି ଛିଡ଼ା ହୋଇପଡ଼ିବେ ତେବେ ୬ ରୁ ୭ ଫୁଟର ନଜର ଆସିବେ । ଏମାନଙ୍କ ଓଜନ ମଧ୍ୟ ୧ କ୍ବିଣ୍ଟାଲ୍ ପାଖାପାଖି ହୋଇଥାଏ । ସାହେବ ଅଲ୍ଲିଙ୍କ ପାଖରେ ବରବରା, କୋଟା, ପଞ୍ଜାବୀ ଏବଂ କାନେନ ସମେତ ଅନ୍ୟ ବ୍ରିଡର ଛେଳି ମଧ୍ୟ ଉପଲବ୍ଧ ରହିଛି ; ଯାହାର ମୂଲ୍ୟ ପାଖାପାଖି ୩ ରୁ ୪ ଲକ୍ଷ ଟଙ୍କା ହେବ । ନିକଟରେ ମୁମ୍ବାଇର ଜଣେ ବ୍ୟକ୍ତି ସାହେବଙ୍କ ଫାର୍ମରୁ ସାଢ଼େ ୬ ଲକ୍ଷ ଟଙ୍କା ଦେଇ ଛେଳିକୁ କିଣିଥିଲେ । ଏହା ପୂର୍ବରୁ ଗୋଟିଏ ଛେଳି ୧୨ ଲକ୍ଷ ଟଙ୍କାରେ ବିକ୍ରି ହୋଇସାରିଛି । ରୋଚକ କଥା ହେଉଛି ଫାର୍ମରେ ଏହି ଛେଳିମାନଙ୍କ ପାଇଁ କୁଲର୍ ଏବଂ ପଙ୍ଖାର ବ୍ୟବସ୍ଥା ମଧ୍ୟ କରାଯାଇଛି ।