ସରଳ ଚେହେରା କିନ୍ତୁ ଧ୍ରୁତ ବୁଦ୍ଧି । ଚିକ୍କଣିଆ କଥା କହି କେମିତି ସାମ୍ନା ଲୋକକୁ କାବୁକୁ ଆଣିହେବ ତାଙ୍କୁ ଖୁବ୍ ଜଣା । ସେଥିପାଇଁ ତ ଭାରତରେ ଜଣେ ସାମାନ୍ୟ ବ୍ଲଗର୍ ପାକିସ୍ତାନରେ ଭିଆଇପି ଟ୍ରିଟମେଣ୍ଟ୍ ପାଉଥିଲେ । ଏଠାରେ ଆମେ ଆଉ କାହା କଥା ନୁହେଁ ୟୁଟ୍ୟୁବର୍ ଜ୍ୟୋତି ମାଲହୋତ୍ରାଙ୍କ ବିଷୟରେ କହୁଛୁ । ମୁହଁରେ ମିଶ୍ରି ଘୋଳିଲା ପରି କଥା କହି ଦିଲ୍ଲୀରୁ ଆରମ୍ଭ କରି ଅମ୍ବାଲା ଏବଂ ଲାହୋରରୁ ଆରମ୍ଭ କରି କରାଚୀ ପର୍ଯ୍ୟନ୍ତ ବନ୍ଧୁ ଗୋଟାଇଥିଲେ ଏହି ଧ୍ରୁତ ଯୁବତୀ । ସୂତ୍ର ମୁତାବକ ପାକିସ୍ତାନ ଦୂତାବାସର ଅଧିକାରୀ ଦାନିଶଙ୍କୁ ବି ଏହି ଯୁବତୀ ପ୍ରଥମେ ନିଜ ଜାଲରେ ଫସାଇଥିଲେ ଏବଂ ତାଙ୍କ ସାହାଯ୍ୟରେ ଭିସା ହାସଲ କରିଥିଲେ । କିନ୍ତୁ ପରେ ପାକ୍ ଅଧିକାରୀଙ୍କ ଜାଲରେ ସେ ନିଜେ ହିଁ ଫସିଗଲେ । ପାକିସ୍ତାନରେ ପହଞ୍ଚିବା ପରେ ସେ ଦାନିଶଙ୍କ ସହଯୋଗରେ ଅନେକ ଗୁଇନ୍ଦା ଏଜେନ୍ସି ଏବଂ ଅଧିକାରୀଙ୍କ ସଂପର୍କରେ ଆସିଥିଲେ । ସୂତ୍ରରୁ ଜାଣିବାକୁ ମିଳୁଛି ଯେ ଜ୍ୟୋତି ପାକିସ୍ତାନରେ ଏମିତି ବ୍ୟବହାର ଦେଖାଉଥିଲେ ଯେ ପାକ୍ ଅଧିକାରୀ ତାଙ୍କ ଆଗପଛରେ ବୁଲୁଥିଲେ । 

Advertisment
JYOTI SPY
JYOTI SPY Photograph: (google)

ଜ୍ୟୋତିଙ୍କ ପିତା ହରିଶ ମାଲହୋତ୍ରା କହିଛନ୍ତି ୨୦୨୦ ପୂର୍ବରୁ ସେ ଦିଲ୍ଲୀରେ ୨୦ ହଜାର ଟଙ୍କାର ଦରମାରେ ଚାକିରି କରୁଥିଲେ । କିନ୍ତୁ ୧୨ ହଜାର ଟଙ୍କାର ଏକ ଫ୍ଲାଟରେ ବିଳାସପୂର୍ଣ୍ଣ ଜୀବନ ବଞ୍ଚୁଥିଲେ । ଫ୍ଲାଟରେ ତାଙ୍କ ମାସିକ ବିଜୁଳି ବିଲ୍ ୪ ରୁ ୫ ହଜାର ଟଙ୍କା ଆସୁଥିଲା । ଏତେ କମ ଦରମା ଥିବା ସତ୍ତ୍ବେ ବଡ଼ ବଡ଼ ହୋଟେଲରେ ଖାଇବା ଭଳି ବିଳାସପୂର୍ଣ୍ଣ ଜୀବନ ସେ ବଞ୍ଚୁଥିଲେ । ଜ୍ୟୋତି ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିଲେ ବୋଲି ବାପା ଏଯାଏଁ ବିଶ୍ବାସ କରିପାରୁନାହାନ୍ତି । ଝିଅ କେଉଁ କେଉଁ ଦେଶ ବୁଲିଛି ଏହା ବି ଜାଣିନାହାନ୍ତି ବାପା । ଝିଅ ଭିଡିଓ କରି ୟୁଟ୍ୟୁବରେ ପୋଷ୍ଟ୍ କରେ ଏବଂ ସେଥିରୁ ରୋଜଗାର କରେ ବୋଲି ଜାଣିଛନ୍ତି ବାପା । ପୂର୍ବରୁ ଚାକିରି କରୁଥିଲେ ହେଁ ଲକଡାଉନ୍ ସମୟରେ ସେ ଭିଡିଓ କରିବା ଆରମ୍ଭ କରିଥିଲେ । ବାପା ହରିଶ ଏବେବି ନିଜ ଝିଅକୁ ନିର୍ଦ୍ଦୋଷ ବୋଲି କହୁଛନ୍ତି ।

 

ଅପରେସନ୍ ସିନ୍ଦୂର ବେଳେ ଭାରତର ଗୁଇନ୍ଦା ଏଜେନ୍ସି ଖୁବ ସକ୍ରିୟ ଥିଲା । ସୂତ୍ର ମୁତାବକ ସେତେବେଳେ ଗୋଟିଏ ମେସେଜକୁ ଟ୍ରାପ୍ କରାଯାଇଥିଲା । ଏହି ମେସେଜ ହିସାରରୁ ପାକିସ୍ତାନ ପଠାଯାଇଥିଲା । ଯାହାକୁ ଫଲୋ କରି ସ୍ଥାନୀୟ ପୁଲିସ ସାହାଯ୍ୟରେ ଜ୍ୟୋତି ମାଲହୋତ୍ରାଙ୍କ ଘରର କବାଟ ପିଟିଥିଲେ ମିଲେଟାରି ଇଣ୍ଟେଲିଜେନ୍ସ ଏବଂ ବିଳମ୍ବ ନ କରି ଯୁବତୀଙ୍କୁ ସଙ୍ଗେ ସଙ୍ଗେ ଥାନାକୁ ଅଣାଯାଇଥିଲା । ଜ୍ୟୋତିଙ୍କ ସରଳ ମୁହଁ ଦେଖି ପ୍ରଥମେ ସ୍ଥାନୀୟ ପୁଲିସ ଏହାକୁ ବିଶ୍ବାସ କରୁନଥିଲା କିନ୍ତୁ ମୋବାଇଲ୍ ଡିଟେଲ୍ସ , ଫଟୋ , ଭିଡିଓ , ସ୍ନାପଚାଟ୍ ଏବଂ ଟେଲିଗ୍ରାମ୍ ଚାଟିଂ ଦେଖି ପୁଲିସର ଆଖି ଟେରା ହୋଇଯାଇଥିଲା । ଜ୍ୟୋତିକୁ ଗିରଫ କରି କୋର୍ଟରେ ହାଜର କରିବା ପରେ ପଚରାଉଚରା ପାଇଁ ପାଞ୍ଚ ଦିନ ରିମାଣ୍ଡରେ ନେଇଛି ପୁଲିସ । ଯୁବତୀଙ୍କ ବନ୍ଧୁ ଅରମାନକୁ ମଧ୍ୟ ଗିରଫ କରାଯାଇ ୬ ଦିନ ରିମାଣ୍ଡରେ ନିଆଯାଇଛି । ଏହି କ୍ରମରେ ହରିୟାଣା ପାନିପତରୁ ନୋମାନ୍ ଇଲାହି ଏବଂ କେଥଲରୁ ଦେବେନ୍ଦ୍ର ସିଂ ଢିଲ୍ଲୋଙ୍କୁ ଗିରଫ କରାଯାଇଛି ।