ହରିୟାଣାର ୟୁଟ୍ୟୁବର୍ ତଥା ପାକିସ୍ତାନର ଗୁଇନ୍ଦାଗିରି କରୁଥିବା ଜ୍ୟୋତି ମଲହୋତ୍ରାଙ୍କ ଭିଡିଓ ଏବେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ୟୁଟ୍ୟୁବରେ ଏହି ଯୁବତୀ ଜଣକ ପାଖାପାଖି ୪୮୭ ଟି ଭିଡିଓ ଅପଲୋଡ୍ କରିଥିଲେ । ଏହିଥିରୁ ଗୋଟିଏ ଭିଡିଓ ପହଲଗାମ୍ ଆକ୍ରମଣର ଠିକ୍ ପରେ ପରେ ସେ ଅପଲୋଡ୍ କରିଥିଲେ । ସୂତ୍ର ମୁତାବକ ଏହି ଭିଡିଓକୁ ଦେଖିବା ପରେ ହିଁ ସୁରକ୍ଷା ଏଜେନ୍ସି ଜ୍ୟୋତିଙ୍କୁ ରାଡାରକୁ ନେଇଥିଲେ । ଠିକ ସେତିକି ବେଳେ ପଞ୍ଜାବର ମୋହାଲିରୁ ଗିରଫ ହୋଇଥିବା ପାକିସ୍ତାନୀ ଗୁଇନ୍ଦା ଜ୍ୟୋତିଙ୍କ ନାଁ ନେଇଥିଲେ । ତା’ପରେ ପୁଲିସର ସନ୍ଦେହ ସତ ସାବ୍ୟସ୍ତ ହେଲା ଏବଂ ହରିୟାଣାର ହିସାରରୁ ଯୁବତୀଙ୍କୁ ଗିରଫ କରାଗଲା । 

Advertisment
jyoti
jyoti Photograph: (google)

ମିଲେଟାରି ଇଣ୍ଟେଲିଜେନ୍ସ , ହିସାର ପୁଲିସ ଏବଂ କ୍ରାଇମ୍ ବ୍ରାଞ୍ଚ୍ ଜ୍ୟୋତିଙ୍କୁ ପଚରାଉଚରା କରିଥିଲେ ହେଁ ଏବେ ଏନଆଇଏର ଟିମ୍ ଯୁବତୀଙ୍କୁ ନିଜ କଷ୍ଟଡିକୁ ନେଇଛନ୍ତି । ସୂତ୍ର ମୁତାବକ ଜ୍ୟୋତି ମଲହୋତ୍ରା ପାକିସ୍ତାନର ଏହି ଅପରେସନରେ ସାମିଲ ଥିଲେ । ଏହି ଅପରେସନରେ କ୍ୟୁରେଟିଭ୍ ନରେଟିଭ୍ ସେଟ୍ କରାଯାଉଥିଲା । ଯେଉଁଥିରେ ସେହି ଭାରତୀୟଙ୍କୁ ସାମିଲ କରାଯାଉଥିଲା ଯେଉଁମାନଙ୍କର ଫଲୋଅର୍ସ ସୋସିଆଲ୍ ମିଡିଆରେ ଲକ୍ଷ ଲକ୍ଷ ସଂଖ୍ୟାରେ ଥିଲା । ଏହି ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସରଙ୍କ ଦାୟିତ୍ବ ଥିଲା ଯେ ସରକାର ବିରୋଧୀ ଏବଂ ସୁରକ୍ଷା ଏଜେନ୍ସିଙ୍କ ବିରୋଧରେ ଲୋକଙ୍କ ମନରେ ଅବିଶ୍ବାସ ସୃଷ୍ଟି କରିବା ଏବଂ ପାକିସ୍ତାନର ଚେହେରା ସଫାସୁତୁରା ଦେଖାଇବା । ପହଲଗାମ ଆତଙ୍କୀ ଆକ୍ରମଣ ପରେ ଜ୍ୟୋତି ଏକ ଭିଡିଓ ସେୟାର୍ କରିଥିଲେ ଯେଉଁଥିରେ ସେ ଆକ୍ରମଣ ପାଇଁ ସରକାର ଏବଂ ଭାରତୀୟ ଲୋକଙ୍କୁ ଦାୟିତ୍ବହୀନ ବୋଲି କହିଥିଲେ । ଭିଡିଓରେ ସେ କହିଥିଲେ ‘କଶ୍ମୀରର ଠାଏଁ ଠାଏଁ ସ୍ଥାନରେ ସେନାର ଛାଉଣୀ ରହିଛି , ଏତେ ସୁରକ୍ଷା ଭିତରେ ଏମିତି ଘଟଣା କେମିତି ଘଟିଲା । ଏଥିପାଇଁ କେବଳ ସରକାର କି ସୁରକ୍ଷା ଏଜେନ୍ସି ନୁହେଁ ପର୍ଯ୍ୟଟକ ମଧ୍ୟ ଦାୟୀ ।’ ଜ୍ୟୋତି ଉକ୍ତ ଭିଡିଓକୁ ଏମିତି ପ୍ରଦର୍ଶନ କରିଛନ୍ତି ଯେମିତି କଶ୍ମୀର ଯାଇ ସେହି ୨୬ ପର୍ଯ୍ୟଟକ ବହୁତ ବଡ଼ ପାପ କରିଦେଇଛନ୍ତି ।

ଭାରତର ସୁରକ୍ଷା ଏଜେନ୍ସିର କହିବାନୁସାରେ ପାକିସ୍ତାନ ଦ୍ବାରା କରାଯାଇଥିବା ଏ ହେଉଛି ଆଇଟି ୱାର୍ । ଯାହାର ସଂଚାଳନା ପାକିସ୍ତାନରେ ବସିଥିବା ଆତଙ୍କୀ କରୁଥିବା ବେଳେ ଭାରତରେ ଏମାନଙ୍କ ଗୋଟିଏ ଗୋଟିଏ ଏଜେଣ୍ଟ୍ ଛାଡ଼ିଥିଲେ । ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜାଣିବାକୁ ମିଳୁଛି ଯେ ଏହି ପୂରା ମାମଲାରେ ଭାରତର ୨୦ ରୁ ଅଧିକ ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସର ସାମିଲ ଥିଲେ । ଯେଉଁମାନଙ୍କୁ ଭିଡିଓ ପ୍ରସ୍ତୁତ କରିବା ପାଇଁ ପାକିସ୍ତାନରୁ ଟପିକ୍ ଦିଆଯାଉଥିଲା ।