କନକ ବ୍ୟୁରୋ : ଦେଶର ଅର୍ଥନୈତିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଗତ ଛଅ ମାସ ମଧ୍ୟରେ ଆରବିଆଇ ବିଦେଶରେ ଥିବା ୬୪,୦୦୦ କିଲୋଗ୍ରାମ ଅର୍ଥାତ ୬୪ ଟନ୍ ସୁନା ଭାରତ ପ୍ରତ୍ୟାବର୍ତ୍ତନ କରିଛି । ଏହାକୁ ଭାରତର ଅର୍ଥନୈତିକ ସ୍ୱାଧୀନତା ଏବଂ ସମ୍ପତ୍ତିକୁ ସୁରକ୍ଷିତ ରଖିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ବୋଲି କୁହାଯାଉଛି । ତେବେ ସାଧାରଣରେ ପ୍ରଶ୍ନ ଉଠୁଛି ବର୍ତ୍ତମାନ ବିଦେଶରୁ ସୁନା ଫେରାଇ ଆଣିବାର କାରଣ କ'ଣ ? ଏହି ପ୍ରଶ୍ନକୁ ଯଦି ଆଲୋକପାତ କରିବା ତେବେ ଭୂରାଜନୈତିକ ଉତ୍ତେଜନା ଏହାର ଏକ ପ୍ରମୁଖ କାରଣ ହୋଇପାରେ । ସାରା ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯୋଗୁଁ ଅନେକ ଦେଶ ପ୍ରତିବନ୍ଧକ ଭଳି ପରିସ୍ଥିତିର ସମ୍ମୁଖିନ ହେଉଛନ୍ତି । ଟାରିଫ୍ ଯୁଦ୍ଧ ଭଳି ପରିସ୍ଥିତିରେ ନିଜ ଦେଶରେ ନିଜର ସୁନା ରହିବା ସବୁଠାରୁ ସୁରକ୍ଷିତ ବୋଲି ଆକଳନ କରାଯାଉଛି । 

Advertisment

‘ଓଡ଼ିଆ ଖାଦ୍ୟ’ ପ୍ରେମରେ ବଲିଉଡ୍ ଅଭିନେତ୍ରୀ : କହିଲେ ‘I Love Odia Food’ , ଲାଇମ୍ ଲାଇଟ୍ ନେଲା ଛେନାପୋଡ଼

gold
gold Photograph: (google)

ଆରବିଆଇର ନିୟମ ଅନୁସାରେ ଘରୋଇ ଭଣ୍ଡାରରେ ସୁନା ସଂରକ୍ଷଣ କରିବା ଦ୍ୱାରା ବିଶ୍ୱ ସଙ୍କଟ କିମ୍ବା ବାଣିଜ୍ୟ କଟକଣା ପରିସ୍ଥିତିରେ ଦେଶରେ ଆର୍ଥିକ ଶକ୍ତି ବଜାୟ ରହିବ ଏବଂ କୌଣସି ଦେବାଳିଆ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିବ ନାହିଁ । ଏହା ଏକପ୍ରକାର ଆର୍ଥିକ ସ୍ବତନ୍ତ୍ରତା ଆଡ଼କୁ ପଦକ୍ଷେପ ଅର୍ଥାତ୍ ରିଜର୍ଭ ବ୍ୟାଙ୍କ କୌଣସି ଆର୍ଥିକ ସହାୟତା ବିନା ନିଜର ଆର୍ଥିକ ନିଷ୍ପତ୍ତି ନେଇପାରିବ । ରୁଷ, ଇରାନ ଏବଂ ଭେନେଜୁଏଲା ଭଳି ଦେଶ ଉପରେ ପାଶ୍ଚାତ୍ୟ ପ୍ରତିବନ୍ଧକ ଲଗାଇବା ପରେ ଭାରତ ଏଭଳି ବିପଦ ପରିସ୍ଥିତିର ସାମ୍ନା କରିବାକୁ ଚାହୁନାହିଁ । ଯେଉଁ କାରଣରୁ ବିଦେଶରୁ ସୁନା ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି । 

ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୨୦୨୫ ଶେଷ ସୁଦ୍ଧା, RBI ପାଖରେ ମୋଟ ୮୮୦.୮ ଟନ୍ ସୁନା ଅଛି, ଯେଉଁଥିରୁ ବର୍ତ୍ତମାନ ଭାରତରେ ୫୭୫.୮ ଟନ୍ ସୁନା ଗଚ୍ଛିତ ଅଛି । ଏହି ସମୟରେ ପ୍ରାୟ ୨୯୦.୩ ଟନ୍ ବ୍ୟାଙ୍କ ଅଫ୍ ଇଂଲଣ୍ଡ ଏବଂ ବ୍ୟାଙ୍କ ଫର ଇଣ୍ଟରନ୍ୟାସନାଲ୍ ସେଟେଲମେଣ୍ଟ୍ସ (BIS) ଭଳି ବିଦେଶୀ ସଂସ୍ଥା ପାଖରେ ଅଛି । ୩୧ ମାର୍ଚ୍ଚ, ୨୦୨୪ ସୁଦ୍ଧା ଏହି ସଂଖ୍ୟା ୮୨୨.୧୦ ଟନ୍ ଥିଲା ଏବଂ ଗୋଟିଏ ବର୍ଷରେ ସୁନାର ମାତ୍ରା ୫୭.୪୮ ଟନ୍ ବୃଦ୍ଧି ପାଇଛି । ତେବେ RBI ଏହି ବହୁମୂଲ୍ୟ ସୁନାକୁ ସୁରକ୍ଷିତ ସଂରକ୍ଷଣ କରିବା ପାଇଁ 'ଗୋଲ୍ଡ ଭଲ୍ଟ' ସୃଷ୍ଟି କରିଛି, ଯାହା ମୁମ୍ବାଇ ଏବଂ ନାଗପୁରରେ ଅଛି । 

ଶିମିଳପାଳ ଅଭୟାରଣ୍ୟ ମଡେଲକୁ ଆପଣେଇବ ମହାରାଷ୍ଟ୍ର, ବାଘ ଉପରେ ୨୪ ଘଣ୍ଟିଆ ନଜର ରଖିବା ଟେକ୍ନୋଲୋଜି ଦେଖି ହେଲେ ତାଜୁବ

ମାର୍ଚ୍ଚ ୨୦୨୩ ରୁ ଏପର୍ଯ୍ୟନ୍ତ RBI ବିଦେଶରୁ ମୋଟ ୨୭୪ ଟନ୍ ସୁନା ଭାରତକୁ ଫେରାଇ ଆଣିଛି । ବିଶ୍ୱସ୍ତରୀୟ ଅନିଶ୍ଚିତତା ଭିତରେ ରିଜର୍ଭ ବ୍ୟାଙ୍କ ସୁନା କିଣିବା ଏବଂ ଫେରାଇ ଆଣିବାର ଖବର ସହିତ ସୁନା ଚାହିଦା ବୃଦ୍ଧି ପାଇଛି । ଗତବର୍ଷ ମଧ୍ୟରେ ସୁନା ମୂଲ୍ୟ ୫୨% ବୃଦ୍ଧି ପାଇଛି । ଅକ୍ଟୋବର ୨୦ ତାରିଖରେ ସୁନା ମୂଲ୍ୟ ପ୍ରତି ଆଉନ୍ସ ୪,୩୮୧.୨୧ ଡଲାରର ସର୍ବକାଳୀନ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା ।