କନକ ବ୍ୟୁରୋ : କୁହନ୍ତି ପେଟ ଶାନ୍ତି ଥିଲେ ହୃଦୟ ଶାନ୍ତି । ଅର୍ଥାତ ଖାଇବାଟା ଯଦି ଜମିଗଲା ଦିନସାରା ଭାରି ଭଲରେ କଟେ । ଆଉ ପ୍ରତିଟି ଓଡ଼ିଆ ଏହି କଥାକୁ ବହୁତ ଭଲରେ ଜାଣିଥିବେ । ସେ ଖରାବେଳିଆ ଦହି ପଖାଳ ସାଙ୍ଗରେ ବାଇଗଣ ଚଟଣୀ ପାଗ ହେଉ କି ଶୀତଦିନିଆ ଗରମ ଗରମ ଘିଅଅନ୍ନ ଭାତ ସଙ୍ଗେ ଆଳୁ ଚୁନଚୁନି ଭଜା । ଟଙ୍କ ତୋରାଣୀ , ବାଡ଼ିଆ ଡାଲମା , ଛେନାପୋଡ଼, ଚୂଡ଼ା କଦମ୍ବା ,ଦହି ପାଚେଡ଼ି , ଦହିବରା, ଛେନାଝିଲ୍ଲୀ,ରସାବଳୀ, ରସଗୋଲା , ଏବଂ ପିଠାର ତ କଥା ହିଁ ଅଲଗା । ମୋଟାମୋଟି କହିବାକୁ ଗଲେ ଓଡ଼ିଆ ଖାଦ୍ୟ ପ୍ରେମରେ ଯିଏ ଥରେ ପଡ଼ିଛି ତାକୁ ଆଉ କିଛି ରୁଚିନି ।  ଯେଉଁଠି କୋଟି ଓଡ଼ିଆଙ୍କ ମଉଡ଼ମଣୀ ଛପନ ପଉଟି ଭୋଗ ନ ଭୁଞ୍ଜିଲେ ତୃପ୍ତ ହୁଅନ୍ତି ନାହିଁ ସେହି ରାଜ୍ୟର ଲୋକ କେମିତି ଖାଇବା ପ୍ରିୟ ହେବେନି ! ଓଡ଼ିଶାର ଖାଦ୍ୟ ଯେମିତି ସୁସ୍ବାଦୁ ଓଡ଼ିଆ ଲୋକଙ୍କ ମନ ବି ସେମିତି ସୁନ୍ଦର । ଆଉ ଏହି କଥା ଆମେ କହୁନୁ ଆଜ୍ଞା ଓଡ଼ିଶାର ଆତିଥ୍ୟକୁ ଅଙ୍ଗେ ନିଭାଇଥିବା ଜଣେ ବଲିଉଡ୍ ଅଭିନେତ୍ରୀ ଓଡ଼ିଶା ଏବଂ ଓଡ଼ିଆ ଲୋକଙ୍କ ପାଇଁ ଏଭଳି କଥା କହି ଏବେ ସୋସିଆଲ୍ ମିଡିଆରେ ବାଃ ବାଃ ସାଉଁଟିଛନ୍ତି ।

Advertisment

୧୦୦ ପ୍ରତିଶତ ଲଗାଇବାକୁ କହୁଥିଲେ ୧୦ପ୍ରତିଶତ କମାଇଲେ: ଚୀନ୍ ଉପରୁ ୧୦ପ୍ରତିଶତ ଟାରିଫ୍ କମାଇଲେ ଟ୍ରମ୍ପ !

Interview
Interview Photograph: (google)

ଆମେ କହୁଛୁ ବଲିଉଡ୍ ଅଭିନେତ୍ରୀ ଗିରିଜା ଓକ୍ ଙ୍କ ବିଷୟରେ । ଯାହାଙ୍କ ନିକଟରେ ଏକ ଫିଲ୍ମ ରିଲିଜ୍ ହୋଇଥିଲା ‘ଇନ୍ସପେକ୍ଟର ଝେଣ୍ଡେ’ , ଯେଉଁଥିରେ ସେ ଅଭିନେତା ମନୋଜ ବାଜପେୟୀଙ୍କ ପତ୍ନୀ ଭୂମିକାରେ ନଜର ଆସିଥିଲେ । ସିନେମାରେ ମନୋଜଙ୍କ ଅଭିନୟ ଯେମିତି ଜବରଦସ୍ତ ଥିଲା ଗୀରିଜାଙ୍କ ଅଭିନୟ ମଧ୍ୟ ଲୋକଙ୍କୁ ଭାରି ପସନ୍ଦ ଆସିଥିଲା । ନିଜର କମିକ୍ ସେନ୍ସ ଏବଂ ଜଣେ ସାଧାରଣ ଗୃହିଣୀଙ୍କ ଜୀବନ କେମିତି ହୋଇଥାଏ ତାହା ପରଦାରେ ନିଖୁଣ ଢ଼ଙ୍ଗରେ ପ୍ରଦର୍ଶିତ କରିଥିଲେ ଅଭିନେତ୍ରୀ ଗୀରିଜା । ନିକଟରେ ଜାତୀୟ ଗଣମାଧ୍ୟମ ‘ଲଲନଟପ୍’ ରେ ତାଙ୍କର ଏକ ଇଣ୍ଟରଭ୍ୟୁ ହୋଇଥିଲା । ଯେଉଁଥିରେ ସାକ୍ଷାତକାର ନେଉଥିବା ଅଧିକାରୀ ସୌରଭ୍ ଦ୍ବିୱେଦି ଅଭିନେତ୍ରୀ ଗିରିଜାଙ୍କୁ କିଛି ପ୍ରଶ୍ନ ପଚାରିଥିଲେ। ଯେଉଁଥିରେ ଖାଦ୍ୟ କଥା ଆସିଥିଲା । ଅଭିନେତ୍ରୀ ସେତେବେଳେ କହିଥିଲେ ‘‘ଆମେ ସବୁବେଳେ କାଶ୍ମୀରି,ବଙ୍ଗାଳୀ,ଦକ୍ଷିଣ ଭାରତ,ପଞ୍ଜାବୀ ଖାଦ୍ୟ ବିଷୟରେ ଚର୍ଚ୍ଚା କରୁଛେ । କିନ୍ତୁ କେବେ ଓଡ଼ିଶାର ଖାଦ୍ୟ କଥା ଆଗକୁ ଆସିନି । ମତେ ଲାଗେ ଓଡ଼ିଶାର ଖାଦ୍ୟ ସବୁଠୁ ବେଷ୍ଟ୍ । ମୋର ଜଣେ ସାଙ୍ଗ ଓଡ଼ିଶାରେ ରୁହନ୍ତି ରାକେଶ ବେହେରା , ମୁଁ ଯେତେବେଳେ ବି ଓଡ଼ିଶା ଯାଏ ତାଙ୍କ ମା’ଙ୍କ ହାତରନ୍ଧା ଖାଏ । ବାଃ ସେ ଖାଇବା ଏତେ ଭଲ ଯେ ମୁଁ କେବଳ ଓଡ଼ିଆ ଖାଦ୍ୟ ଖାଇବି ବୋଲି ସକାଳୁ କିଛି ଖାଇନଥାଏ ।’’ ଏହି କଥାବାର୍ତ୍ତା ଭିତରେ ସୌରଭ୍ ଦ୍ବିୱେଦି କହିଥିଲେ ଯେ ‘‘ଖାଲି ଖାଦ୍ୟ ନୁହେଁ ଓଡ଼ିଆ ଲୋକ ମଧ୍ୟ ବହୁତ ଭଲ । ମୁଁ ଯେତେବେଳେ ବି ଭୁବନେଶ୍ବର ଯାଏ ସାମ୍ବାଦିକ ବନ୍ଧୁମାନଙ୍କ ସହ ଭେଟ ହୁଏ ସେମାନେ ମତେ ବିଭିନ୍ନ ସ୍ଥାନକୁ ନେଇଯାଆନ୍ତି ଏବଂ ବହୁତ ସୁଆଦିଆ ଖାଦ୍ୟ ଖାଇବାକୁ ଦିଅନ୍ତି । ଆତିଥେୟତାରେ ଓଡ଼ିଶା ଲୋକଙ୍କୁ କେହି ପାରିବେନି । ଆପଣ ଛେନାପୋଡ଼ ଖାଇଛନ୍ତି ନା ନାହିଁ ?’’ ଏହି ପ୍ରଶ୍ନରେ ଗିରିଜା କହିଥିଲେ , ‘‘ ହଁ ହଁ ମୁଁ ଛେନାପୋଡ଼କୁ କେମିତି ଭୁଲିଯିବି । ଛେନାପୋଡ଼ର ପୋଡ଼ା ଅଂଶରେ ମୋର ଅହେତୁକ ଦୁର୍ବଳତା । ମୁଁ ଛେନାପୋଡ଼ ଖାଇବାକୁ ଭାରି ଭଲ ପାଏ ।’’ 

ତେବେ ଅଭିନେତ୍ରୀଙ୍କ ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଖାସ୍ କରି ଓଡ଼ିଆ ଖାଦ୍ୟ ଏବଂ ଓଡ଼ିଆଙ୍କ ପ୍ରଶଂସା କରି ସାରା ଓଡ଼ିଶାର ହୃଦୟ ଜିଣିନେଇଛନ୍ତି ଅଭିନେତ୍ରୀ ଗିରିଜା ।