କନକ ବ୍ୟୁରୋ : ଜଣେ ଆଦିବାସୀ ମହିଳା ଯାହାଙ୍କ ଆଖିରେ ଥିଲା ଜଜ୍ ହେବାର ସ୍ବପ୍ନ । ଯେଉଁଥିପାଇଁ ସେ ଜୋରସୋରରେ ପ୍ରସ୍ତୁତି ମଧ୍ୟ କରିଥିଲେ । ପରୀକ୍ଷା ଦେବା ପାଇଁ ପାହାଡ଼ିଆ ଅଞ୍ଚଳ ଛାଡ଼ି ୨୫୦ କି.ମି ଚେନ୍ନାଇ ପହଁଞ୍ଚିଥିଲେ । ଆଗରେ ଥିଲା ଅନେକ ଚ୍ୟାଲେଞ୍ଜ । କାରଣ ପରୀକ୍ଷା ଯେଉଁଦିନ ଥିଲା ଠିକ୍ ସେହିଦିନ ହିଁ ତାଙ୍କର ଡେଲିଭରି ଡେଟ୍ ଥିଲା । କିନ୍ତୁ ଦଇବର କୃପାକୁ ଦେଖନ୍ତୁ ପରୀକ୍ଷାର ୨ ଦିନ ପୂର୍ବରୁ ହିଁ ସେ ନିଜ ସନ୍ତାନକୁ ଜନ୍ମ ଦେଇଥିଲେ । ଆମେ କହୁଛୁ ତାମିଲନାଡୁ ଆଦିବାସୀ ସମ୍ପ୍ରଦାୟର ପ୍ରଥମ ମହିଳା ଯେ କେବଳ ଜଜ୍ ହେବାର ସ୍ବପ୍ନ ଦେଖିନଥିଲେ ବରଂ ସ୍ବପ୍ନକୁ ସାକାର ମଧ୍ୟ କରିଥିଲେ , ବି.ଶ୍ରୀପତି .. ।
/filters:format(webp)/kanak/media/media_files/2025/10/21/lady-judge-2025-10-21-16-34-24.jpg)
ତାମିଲନାଡୁ ତିରୁବନ୍ନାମଲାଇ ଜିଲ୍ଲା ଜବାଧୁ ଜନଜାତିରୁ ଆସୁଥିବା ଏହି ମହିଳା ୨୦୨୩ ନଭେମ୍ବରରେ ପରୀକ୍ଷା ଦେବାପାଇଁ ୨୫୦ କିଲୋମିଟର ଚେନ୍ନାଇ ଗସ୍ତ କରିଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁଦିନ ତାଙ୍କର ପରୀକ୍ଷା ଥିଲା ତା’ର ୨ ଦିନ ପୂର୍ବରୁ ସେ ଜଣେ ସନ୍ତାନର ଜଜନୀ ପାଲଟିଥିଲେ । କିନ୍ତୁ ଶ୍ରୀପତିଙ୍କର ଧୈର୍ଯ୍ୟ ଏବଂ ଦମ୍ଭକୁ ଦେଖନ୍ତୁ ଶିଶୁ ଜନ୍ମ ପରେ ବି ସେ ପରୀକ୍ଷା ଦେବା ପାଇଁ ୨୫୦ କି.ମିର ଯାତ୍ରା କଲେ । ଆଉ ଏଥିପାଇଁ ସ୍ବାମୀ ଓ ଶାଶୁଘର ଲୋକ ମଧ୍ୟ ଶ୍ରୀପତିଙ୍କ ପ୍ରତିଟି ପାଦରେ ତାଙ୍କର ସାଥ୍ ଦେଉଥିଲେ । ଶ୍ରୀପତି ବିଏ ଏବଂ ଏଲଏଲବି ପାଠ ପଢ଼ିବା ପୂର୍ବରୁ ହିଁ ତାଙ୍କର ବିବାହ ହୋଇଯାଇଥିଲା । ଯେଉଁଠି କମ୍ ବୟସରେ ବିବାହ ହେଲା ପରେ ନାରୀର ସ୍ବତନ୍ତ୍ର ଚିନ୍ତାଧାରା,ସ୍ବପ୍ନ ପୂରଣ କରିବାର ଆଶାରେ ଡୋରୀ ବନ୍ଧା ହୁଏ । ସେଠାରେ ଶ୍ରୀପତିଙ୍କ ବିବାହ ହେବା ସତ୍ତ୍ବେ ତାଙ୍କ ସ୍ବପ୍ନର ଉଡ଼ାଣକୁ ଡେଣା ଦେଇଥିଲେ ଶାଶୁଘର । ଧର୍ମପତ୍ନୀଙ୍କ ଉଚ୍ଚ ଆକାଂକ୍ଷାକୁ ପୂରଣ କରିଥିଲେ ସ୍ବାମୀ । ଆଉ ସମସ୍ତଙ୍କ ସହଯୋଗ ଏବଂ ନିଜର ଅଦମ୍ୟ ସାହସ ଯୋଗୁଁ ଶ୍ରୀପତି ପରୀକ୍ଷାରେ ସଫଳ ହୋଇଥିଲେ । ସଂକ୍ଷେପରେ କହିବାକୁ ଗଲେ ସ୍ବପ୍ନ ପାଇଁ ଶ୍ରୀପତି ନିଜ ଜୀବନକୁ ମଧ୍ୟ ଭ୍ରୁକ୍ଷେପ କଲେ ନାହିଁ । ସେ ସଫଳତାପୂର୍ବକ ପରୀକ୍ଷାରେ ପାସ୍ କଲେ ଏବଂ ନିଜ ସଂପ୍ରଦାୟରେ ପ୍ରଥମ ଆଦିବାସୀ ମହିଳା ସିଭିଲ୍ ଜଜ୍ ହେଲେ । ଗାଁ ଝିଅର ସଫଳତାର ଉତ୍ସବକୁ ବାଜା ବଜାଇ , ବାଣ ଫୁଟାଇ ପାଳନ କରିଥିଲା ପୂରା ଅଞ୍ଚଳ । ଶ୍ରୀପତିଙ୍କ ଏହି ଉପଲବ୍ଧିକୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ମଧ୍ୟ ଭୁରି ଭୁରି ପ୍ରଶଂସା କରିଥିଲେ । ସେ ନିଜ ଏକ୍ସ ହ୍ୟାଣ୍ଡଲରେ ଶ୍ରୀପତିଙ୍କ ଫଟୋ ଲଗାଇ ତାଙ୍କ କାହାଣୀ ପୂରା ବିଶ୍ବକୁ ଜଣାଇଥିଲେ । ସତରେ ଗୋଟିଏ ନୂତନ ଜୀବନକୁ ଦୁନିଆକୁ ଆଣିବା ସହ ନିଜ ସ୍ବପ୍ନର ମହଲକୁ ଗଢ଼ିଥିବା ଏହି ଅସଲ ଜୀବନର ନାୟିକାଙ୍କୁ ଆମର ଶତ ସଲାମ ।