କନକ ବ୍ୟୁରୋ : ଅନେକ ବର୍ଷ ପୂର୍ବରୁ ଭାରତକୁ ‘ସୋନେ କି ଚିଡ଼ିଆ’ ବା ‘ସୁନାର ଭାରତ’ ବୋଲି କୁହାଯାଉଥିଲା । ଭାରତର ଭୂମିରେ ଏତେ ଖଣିଜ ପଦାର୍ଥ , ମୂଲ୍ୟବାନ ବସ୍ତୁ ଥିଲା ଯେ ଏହାକୁ ଲୁଣ୍ଠନ କରିବାକୁ ମୋଗଲଙ୍କଠାରୁ ଆରମ୍ଭ କରି ଇଂରେଜ ପର୍ଯ୍ୟନ୍ତ ସବୁ ଭାରତ ଭୂମିକୁ ଆସିଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଭାରତରେ ଭୂସମ୍ପତ୍ତି କହିଲେ ଖୁବ୍ କମ୍ । ଯଦିଓ ଭାରତର କେଉଁ ଆଭ୍ୟନ୍ତରରେ ଏବେବି ଭୂସମ୍ପତ୍ତି ଭର୍ତ୍ତି ହୋଇରହିଛି କିନ୍ତୁ ଯେଉଁଠି ଏହାର ସନ୍ଧାନ ବଡ଼ ବଡ଼ କମ୍ପାନି କରୁଛନ୍ତି ସେଇଠି ଲାଗିଯାଉଛି ଲୋଲୁପ ଦୃଷ୍ଟିର ନଜର । ଆଉ ଏହିଭଳି ଭାବରେ ଦିନକୁ ଦିନ ଶ୍ରୀହୀନ ହୋଇଚାଲିଛି ଭାରତ ଦେଶ । ତେବେ ପୂର୍ବରୁ ଅନେକ ଜାଗାରେ ଭୂସମ୍ପତ୍ତିର ସନ୍ଧାନ ମିଳିଥିବାବେଳେ ବର୍ତ୍ତମାନ ରାଜସ୍ଥାନର ଆଦିବାସୀ ବହୁଳ ଜିଲ୍ଲା ବାଂସୱାଡ଼ାରେ ମଧ୍ୟ ଲଗାତାର ତୃତୀୟ ବର୍ଷ ପାଇଁ ଗୋଲ୍ଡ ମାଇନର ଆବିଷ୍କାର ହୋଇଛି ।
/filters:format(webp)/kanak/media/media_files/2025/10/30/goldmine-2025-10-30-15-03-51.jpg)
ଅଧିକ ପଢ଼ନ୍ତୁ--କିସ୍ମିସ୍ ଭିଜା ପାଣିର ଅନେକ ଲାଭ ; ପିଇଲେ ମିଳିବ ଏହି ସବୁ ଫାଇଦା
ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ (GSI) ଦ୍ୱାରା କରାଯାଇଥିବା ତଦନ୍ତରେ ଜିଲ୍ଲାର କାଙ୍କରିଆ ଅଞ୍ଚଳର ଚାରୋଟି ଗ୍ରାମକୁ ଘେରି ରହିଥିବା ତିନି କିଲୋମିଟର ଅଞ୍ଚଳରେ ୧.୨୦ ଟନ୍ ସୁନା ଥିବା ଆକଳନ କରାଯାଇଛି । ଏହି ସ୍ଥାନରେ ତମ୍ବା, କୋବାଲ୍ଟ ଏବଂ ଅନ୍ୟାନ୍ୟ ବସ୍ତୁ ଗଚ୍ଛିତ ଥିବାର ମଧ୍ୟ ସୂଚନା ମିଳିଛି । GSI ର ପ୍ରାରମ୍ଭିକ ତଦନ୍ତ ପରେ ସରକାର ଏବେ ଏହି ଅଞ୍ଚଳର ଏକ ପୁଙ୍ଖାନୁପୁଙ୍ଖ ସର୍ଭେ କରିବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ଏଥିପାଇଁ ବିଭିନ୍ନ ଘରୋଇ କମ୍ପାନିଠାରୁ ଆବେଦନ ଆହ୍ୱାନ କରିଥିଲେ । ଆବେଦନର ଶେଷ ତାରିଖ ଅକ୍ଟୋବର ୧୪ ତାରିଖ ଥିଲା । ତେବେ ନଭେମ୍ବର ୩ ରେ ଆବେଦନ ଖୋଲାଯିବ । ତା'ପରେ ସର୍ବାଧିକ ବିଡରଙ୍କୁ କ୍ଷେତ୍ର ସର୍ଭେ କରିବା ପାଇଁ ଲାଇସେନ୍ସ ପ୍ରଦାନ କରାଯିବ ।
ବାଂସୱାଡ଼ାର କାଙ୍କରିଆ, ଡେଲୱାରା ରାବଣା, ଡେଲୱାରା ଏବଂ ଡୁଙ୍ଗରିଆପଡ଼ାରେ ତଦନ୍ତ କରାଯିବ । ପ୍ରାୟ ତିନି ବର୍ଷ ମଧ୍ୟରେ ସର୍ଭେ କାର୍ଯ୍ୟ ସମାପ୍ତ ହେବ ବୋଲି ଆଶା କରାଯାଉଛି । GSI ଦ୍ୱାରା ପ୍ରାରମ୍ଭିକ ତଦନ୍ତରେ ୧.୨୦ ଟନ୍ ସୁନା, ୧,୦୦୦ ଟନ୍ ତମ୍ବା ଏବଂ କୋବାଲ୍ଟ ଥିବା ସୂଚନା ମିଳିଛି । ସୂଚନା ଅନୁସାରେ GSI ବାଂସୱାଡ଼ାର ଭୁକିଆ ଏବଂ ଜଗପୁରା ଅଞ୍ଚଳରେ ୧୧୪.୮ ନିୟୁତ ଟନ୍ ସୁନା ଖଣି ଆବିଷ୍କାର କରିଥିଲା । ତଥାପି ଏହି ସ୍ଥାନରେ ଏପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇନାହିଁ । ବାଂସୱାଡ଼ାରେ ଆନୁମାନିକ ସୁନା ଖଣି ସହିତ ରାଜସ୍ଥାନ ନିରନ୍ତର ସୁନା ଉତ୍ପାଦନ କରିବାରେ ଦେଶର ଦ୍ୱିତୀୟ ରାଜ୍ୟ ହେବ । ଏହା ରାଜସ୍ଥାନକୁ ଦେଶର ୨୫ ପ୍ରତିଶତରୁ ଅଧିକ ସୁନା ଅଂଶ ଦେବ । ବର୍ତ୍ତମାନ କର୍ଣ୍ଣାଟକର ହୁଟି ଏବଂ କୋଲାର ଖଣିରୁ ସୁନା ଖନନ କରାଯାଉଛି । ରାଜସ୍ଥାନର ବାଂସୱାଡ଼ା ଆରାବତୀ ପର୍ବତମାଳାରେ ଅବସ୍ଥିତ । ଏଠାକାର ଭୌଗୋଳିକ ପଥର ୫,୦୦୦ ବର୍ଷରୁ ଅଧିକ ପୁରୁଣା । ବାଂସୱାଡ଼ାରେ ମାର୍ବଲ ମଧ୍ୟ ଖନନ କରାଯାଏ । ଏବେ ସୁନା ଖଣି ଆବିଷ୍କାର ହେବା ସହିତ ଅଞ୍ଚଳରେ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ ବୋଲି ସ୍ଥାନୀୟ ଲୋକଙ୍କର ଆଶା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/10/30/goldmine-pkg-t-2025-10-30-15-04-36.jpg)