ଆପଣ ଯଦି କୁକୁରପ୍ରେମୀ କିମ୍ବା ଘରେ ପୋଷା କୁକୁର ପାଳିଥିବେ ତାହେଲେ କୁକୁର ପ୍ରତି ଥିବା ସମ୍ବେଦନଶୀଳଭାବକୁ ଭଲଭାବରେ ଜାଣିପାରୁଥିବେ । ସ୍ବାର୍ଥପର ଦୁନିଆରେ ବିଶ୍ବାସର ବନ୍ଧୁ ବୋଲାଉଥିବା କୁକୁରର ବିଶ୍ବାସ ଜିତିବା ପାଇଁ କ’ଣ ଦରକାର ! କେବଳ କିଛି ବିସ୍କୁଟ୍ ଆଉ ଭଲପାଇବା । ଖାଇବା ଟିକେ ଦେଇଦେଲେ ଆଉ ଭଲରେ ଟିକେ ଆଉଁସିଦେଲେ ଘର ଛାଡ଼ନ୍ତିନି କୁକୁର । ଘର ଜଗିବାଠୁ ଆରମ୍ଭ କରି ସାଙ୍ଗରେ ଖେଳିବା ପର୍ଯ୍ୟନ୍ତ କହିବାକୁ ଗଲେ ନିଃସଙ୍ଗ ମଣିଷର ବେଷ୍ଟଫ୍ରେଣ୍ଡ ପାଲଟି ଯାଆନ୍ତି କୁକୁର । ପୋଷା କୁକୁରଙ୍କୁ ନେଇ ଅନେକ ସିନେମା ମଧ୍ୟ ପ୍ରସ୍ତୁତ ହୋଇଛି । ୭୭୭ ଚାର୍ଲି , ଭାଲାଟି , ପପି ,ଓଃ ମାଇଁ ଡଗ୍ , ଦ କଲ୍ ଅଫ୍ ଦି ୱାଇଲ୍ଡ୍ ଭଳି ସିନେମାରେ ମାଲିକ ପ୍ରତି କୁକୁରର ଅନାବିଳ ପ୍ରେମର ଉଦାହରଣ ଦେଖିବାକୁ ମିଳେ । ଏହି ସବୁ ସିନେମାରେ ମାଲିକ ପ୍ରତି କୁକୁର କେତେ ବିଶ୍ବସ୍ତ ତାହାର ଝଲକକୁ ଅତି ନିଖୁଣ ଭାବରେ ପ୍ରଦର୍ଶିତ କରାଯାଇଛି । ଯାହାକୁ ଦେଖିଲେ ଆପେ ଆପେ ଆଖିରୁ ଲୁହ ବାହାରି ଆସିବ । 

Advertisment
tiger dog
tiger dog Photograph: (google)

ସିନେମାରେ ଯେମିତି ମାଲିକ ପାଇଁ କୁକୁର ଜୀବନ ଦେବାକୁ ପଛାନ୍ତି ନାହିଁ । ଠିକ୍ ସମାନ ଭାବେ ବାସ୍ତବ ଜୀବନରେ ମଧ୍ୟ ମାଲିକଙ୍କୁ ବଞ୍ଚାଇବା ପାଇଁ ପୋଷା କୁକୁର ବାଘ ସଙ୍ଗେ ଲଢି ଜୀବନ ହାରିଛି । ଘଟଣାଟି ହେଉଛି ମଧ୍ୟପ୍ରଦେଶର ଉମରିୟା ଜିଲ୍ଲାରେ ଥିବା ବିଶ୍ବପ୍ରସିଦ୍ଧ ବାନ୍ଧବଗଡ଼ ଟାଇଗର୍ ରିଜର୍ଭ ନିକଟ ଗାଁ ଭରହୁତର । ଏହି ଗାଁରେ ରହୁଥିବା ଶିବମ୍ ବଡ଼ଗେୟା ଘରେ ଜର୍ମାନ୍ ସେଫର୍ଡ ବ୍ରିଡର ପୋଷା କୁକୁର ପାଳିଥିଲେ । ପ୍ରତିଦିନ ଭଳି ସେ ଘର ବାହାରେ କୁକୁର ସହ ଖେଳୁଥିଲେ କିନ୍ତୁ ଖେଳ ନିମିଷକ ମଧ୍ୟରେ କାଳ ହୋଇଆସିଲା । ବ୍ୟାଘ୍ର ଅଭୟାରଣ୍ୟ ନିକଟରେ ଥିବାରୁ ଦୁର୍ଭାଗ୍ୟକୁ ଗୋଟିଏ ବାଘ ଖାଦ୍ୟ ଅନ୍ବେଷଣରେ ଗାଁ ଆଡକୁ ମାଡ଼ିଆସିଲା । ଶିବମ୍ ଏବଂ ତାଙ୍କ ପୋଷାକୁକୁର ବେଣ୍ଟୋ କିଛି ବୁଝିବା ପୂର୍ବରୁ ବାଘଟି ଦ୍ରୁତଗତିରେ ଦୁହିଁଙ୍କ ଆଡ଼କୁ ମାଡ଼ିଆସିଲା । ବାଘଟି ଶିବମଙ୍କ ଉପରେ ଲମ୍ପ ମାରିବା ପୂର୍ବରୁ କୁକୁର ବେଣ୍ଟୋ ମାଲିକଙ୍କ ପ୍ରତି ଥିବା ପ୍ରେମର ପରାକାଷ୍ଠା ଦେଖାଇଲା । ବାଘକୁ ଭୟ ନ କରି ଜର୍ମାନ୍ ସେଫର୍ଡ କୁକୁରଟି ଲଢିବାକୁ ଲାଗିଲା ।

tiger 23
tiger 23 Photograph: (google)

ଏଥିମଧ୍ୟରେ ମାଲିକଙ୍କ ଜୀବନ ତ ବଞ୍ଚିଗଲା କିନ୍ତୁ କୁକୁରକୁ ଜଙ୍ଗଲ ଭିତରକୁ ଭିଡିନେଲା ବାଘ । ବେଣ୍ଟୋ ମଧ୍ୟ କୁକୁର ସହ ସଂଘର୍ଷ କରୁଥାଏ , କିଛି ମିନିଟର ସଂଘର୍ଷ ପରେ କୁକୁରକୁ କ୍ଷତାକ୍ତ କରି ବାଘଟି ଅଭୟାରଣ୍ୟକୁ ଫେରି ଯାଇଥିଲା । ବାଘ ଆକ୍ରମଣରେ ଗୁରୁତର ହୋଇଥିବା ବେଣ୍ଟୋକୁ ମାଲିକ ଶିବମ୍ ତତକ୍ଷଣାତ୍ ଜିଲ୍ଲା ମୁଖ୍ୟାଳୟ ପଶୁ ଚିକିତ୍ସକଙ୍କ ପାଖକୁ ନେଇଗଲେ । କିନ୍ତୁ ଚିକିତ୍ସା ଚାଲିଥିବା ସମୟରେ ବୀର ବେଣ୍ଟୋ ଆଖି ବୁଜିଥିଲା । ଜର୍ମାନ ସେଫର୍ଡ କୁକୁରର ମାଲିକଙ୍କ ପ୍ରତି ପ୍ରେମ ଏବଂ ଅଦମ୍ୟ ସାହସର ଏ ଖବର ଯିଏ ବି ଶୁଣିଲେ ସଲାମ୍ ବେଣ୍ଟୋ ବୋଲି କହିଲେ । 

ତେବେ ମାଲିକଙ୍କ ପ୍ରତି କୁକୁରଙ୍କ ଅନାବିଳ ପ୍ରେମର ଏ ପ୍ରଥମ ଖବର ନୁହେଁ । ଏହାପୂର୍ବରୁ ମଧ୍ୟ ଏମିତି ଅନେକ ଖବର ସାମ୍ନାକୁ ଆସିଛି । ସମ୍ବଲପୁର ବୁର୍ଲା ଅଞ୍ଚଳରେ ମଧ୍ୟ ମାଲିକ ପାଇଁ ଜୀବନ ଦେଇଥିଲା ପୋଷା କୁକୁର । ନାଗ ସାପକୁ ମାରି ନିଜେ ମରିଥିଲା । ମାଲିକ ଜୟ ନାରାୟଣ ପାତ୍ରଙ୍କ ଘରେ ପଶିଥିବା ନାଗସାପ ସହ ବିଦେଶୀ କୁକୁର ଜର୍ମାନ୍ ସେଫର୍ଡ ‘ବ୍ଲାକି’ ଲଢେଇ କରିଥିଲା । ଲଢେଇ ସମୟରେ ନାଗସାପ ଚୋଟ ପରେ ଚୋଟ ମାରୁଥାଏ କିନ୍ତୁ ପୋଷା କୁକୁର ସାପକୁ ମାଲିକଙ୍କ ଘରେ ପ୍ରବେଶ କରିବାକୁ ଦେଉନଥାଏ । ଏମିତିକି ସାପକୁ କାମୁଡି ରକ୍ତାକ୍ତ କରିଦେଇଥିଲା କୁକୁର । ଉଭୟ ସାପ ଓ କୁକୁର ଲଢେଇରେ ଦୁହିଁଙ୍କ ମୃତ୍ୟୁ ହୋଇଥିଲା ଆଉ ବଡ଼ ବିପଦରୁ ବଞ୍ଚିଯାଇଥିଲେ ଜୟ ନାରାୟଣଙ୍କ ପରିବାର ।