ଉତ୍ତରପ୍ରଦେଶର କାନପୁରରେ ବୁଲା କୁକୁରଙ୍କର ଦୌରାତ୍ମ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଲୋକଙ୍କ ମନରେ ଆତଙ୍କ ଖେଳାଇଛନ୍ତି କୁକୁର । ଏହାରି ଭିତରେ କାକାଦେବ ନବୀନ ନଗରରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ମଙ୍ଗଳବାର ରାତିରେ ସ୍କୁଟିରେ ଯାଉଥିବା ବେଳେ ଜଣେ ଯୋଗ ଶିକ୍ଷୟିତ୍ରୀଙ୍କୁ ବୁଲା କୁକୁରଙ୍କ ଦଳ ଆକ୍ରମଣ କରିଥିଲେ । ସ୍କୁଟିର ନିୟନ୍ତ୍ରଣ ବିଗିଡ଼ିବାରୁ ଶିକ୍ଷୟିତ୍ରୀ ତଳେ କଚାଡି ହୋଇପଡ଼ିଲେ । ଦୁର୍ଭାଗ୍ୟବଶତଃ ମହିଳା ଜଣକ ହେଲମେଟ୍ ପିନ୍ଧିନଥିଲେ । ମୁଣ୍ଡରେ ଗଭୀର ଆଘାତ ଲାଗିବା କାରଣରୁ ଘଟଣାସ୍ଥଳରେ ହିଁ ମହିଳାଙ୍କର ମୃତ୍ୟୁ ହୋଇଗଲା । ମୃତ ମହିଳାଙ୍କ ସ୍ବାମୀ ଭାବବିହ୍ବଳ ହୋଇ କହିଲେ , ସ୍ତ୍ରୀର ଇଚ୍ଛା ଥିଲା କୁମ୍ଭମେଳା ଯାଇ ବୁଡ଼ ପକାଇବାକୁ କିନ୍ତୁ ଏବେ ଗଙ୍ଗାରେ ଅସ୍ଥି ବିସର୍ଜନ କରିବାକୁ ମୁଁ ଯିବି ।
୫୨ ବର୍ଷିୟା ମୃତ ମହିଳାଙ୍କ ନାଁ ଅନ୍ନପୂର୍ଣ୍ଣା ସିଂ ସେ କାନପୁରର କାକାଦେବଠାରେ ଯୋଗଶିକ୍ଷା ଦେଉଥିଲେ । ଘଟଣା ଦିନ ରାତି ୧୦ ଟାରେ ସେ କାମ ସାରି ଘରକୁ ଫେରୁଥିଲେ । ଆଉ ଠିକ୍ ସେହି ସମୟରେ ବୁଲା କୁକୁରମାନେ ତାଙ୍କ ଉପରେ ଅଚାନକ ଆକ୍ରମଣ କଲେ , ନିୟନ୍ତ୍ରଣ ହରାଇ ଅନ୍ନପୂର୍ଣ୍ଣା ସ୍କୁଟି ସମେତ ତଳକୁ ଖସିପଡ଼ିଲେ । ଅନ୍ନପୂର୍ଣ୍ଣାଙ୍କ ସ୍ବାମୀ ନଗର ନିଗମର ବେପରୁଆ କାମକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କାନପୁରରେ ଦେଢଲକ୍ଷରୁ ଅଧିକ ବୁଲାକୁକୁର ବୁଲୁଛନ୍ତି । ଏହାପୂର୍ବରୁ ୨୦୦ ଲୋକଙ୍କୁ କୁକୁର କାମୁଡ଼ି ସାରିଲେଣି ଏତଦ୍ ବାଦ ବି ନଗର ନିଗମ କାହିଁକି ଏ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ପ୍ରଶ୍ନ ଉଠୁଛି ।