Advertisment

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀଙ୍କ ପଶୁପ୍ରେମର ଉଦାହରଣ ଅନେକ ସମୟରେ ଦେଖିବାକୁ ମିଳେ । ମୋଦୀ କେତେବେଳେ ବାସଭବନରେ ବାଛୁରୀଙ୍କ ସହ ଖେଳୁଥିବାର ନଜର ଆସନ୍ତି ତ ଆଉ କେତେବେଳେ ସଫାରୀ ବୁଲି ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ନଜର ରଖନ୍ତି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାମନଗରରେ ଅବସ୍ଥିତ ବନତାରା ବନ୍ୟଜୀବ ଉଦ୍ଧାର କେନ୍ଦ୍ର ପରିଦର୍ଶନ କରିଥିଲେ । ଯାହାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ସିଂହ ଶାବକଙ୍କୁ ଗେଲ କରି କ୍ଷୀର ପିଆଉଥିବାର ନଜର ଆସିଛନ୍ତି । ବନତାରା ଆରମ୍ଭ କରିଥିବା ଅନନ୍ତ ଅମ୍ବାନୀ ନିଜେ ମୋଦୀଙ୍କୁ କେନ୍ଦ୍ର ପରିଦର୍ଶନ କରାଉଥିବା ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ବନତାରାରେ ବିଭିନ୍ନ ସୁବିଧା ଯାଞ୍ଚ କରିବା ସହ ବନ୍ୟଜୀବ ହସ୍ପିଟାଲ ମଧ୍ୟ ପରିଦର୍ଶନ କରିଛନ୍ତି । ସୂଚନାଯୋଗ୍ୟ ଯେ ଏଠାରେ ପଶୁମାନଙ୍କ ପାଇଁ MRI, CT ସ୍କାନ, ICU ଏବଂ ଅନ୍ୟାନ୍ୟ ଡାକ୍ତରୀ ସୁବିଧା ମଧ୍ୟ ରହିଛି । ବନତାରାରେ ପଶୁମାନଙ୍କ ପାଇଁ ବନ୍ୟଜୀବ ଆନାସ୍ଥେସିଆ, କାର୍ଡିଓଲୋଜି, ନେଫ୍ରୋଲୋଜି, ଏଣ୍ଡୋସ୍କୋପି, ଦନ୍ତ ଚିକିତ୍ସା, ଆଭ୍ୟନ୍ତରୀଣ ଚିକିତ୍ସା ସମେତ ଅନେକ ବିଭାଗ ରହିଛି ।

ବନତାରା ବନ୍ୟଜୀବ ଉଦ୍ଧାର କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ବଡ ଅଜଗର ସାପ, ଦୁଇ ମୁଣ୍ଡ ବିଶିଷ୍ଟ ସାପ, ଦୁଇ ମୁଣ୍ଡ ବିଶିଷ୍ଟ କଇଁଛ, ବିଶାଳ ଓଧ, ବୋଙ୍ଗୋ (ମୃଗ) ଏବଂ ସିଲ୍ ମଧ୍ୟ ଦେଖିଥିଲେ । ପ୍ରଧାନମନ୍ତ୍ରୀ ହାତୀମାନଙ୍କୁ ସେମାନଙ୍କ ଜାକୁଜି (ଗରମ ପାଣିର ବିଶାଳ କୁଣ୍ଡ) ରେ ଦେଖିଥିଲେ । ନିଜ ଗସ୍ତରେ ମୋଦୀ ଏସୀୟ ସିଂହ ଶାବକ, ଧଳା ସିଂହ ଶାବକ, କ୍ଲାଉଡେଡ୍ କଲରାପତରିଆ ଶାବକ ସହିତ ଅନେକ ପଶୁଙ୍କ ସହ ଖେଳିଥିଲେ । ରୋଚକ କଥା ହେଉଛି ମୋଦୀ ଯେଉଁ ସିଂହ ଶାବକଙ୍କ ସହ ଖେଳି କ୍ଷୀର ପିଆଇଥିଲେ ଏହି ସମସ୍ତ ସିଂହ ଦୁର୍ଲ୍ଲଭ ଏବଂ ବିଲୁପ୍ତପ୍ରାୟ ପ୍ରଜାତିର ଅଟନ୍ତି ।

ବନତାରା ହେଉଛି ପ୍ରସିଦ୍ଧ ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କର ପଶୁପ୍ରେମର ଏକ ବିଶାଳ ଉଦାହରଣ । ଗୁଜରାଟର ଜାମନଗରରେ ଏହାକୁ ୩ ହଜାର ଏକର ଜାଗାରେ ତିଆରି କରାଯାଇଛି । 'ବନତାରା' (ଷ୍ଟାର୍ ଅଫ୍ ଦି ଫରେଷ୍ଟ) ଅଧୀନରେ ପଶୁମାନଙ୍କୁ ଉଦ୍ଧାର କରାଯାଇ ସେମାନଙ୍କର ଯତ୍ନ ନିଆଯାଏ । ଏହା ଏକ ପ୍ରକାରର ପଶୁ ସଂରକ୍ଷଣ ଏବଂ ଉଦ୍ଧାର କେନ୍ଦ୍ର ଅଟେ । ଏଠାରେ ୨ ହଜାରରୁ ଅଧିକ ପ୍ରଜାତି ଏବଂ ୧.୫ ଲକ୍ଷରୁ ଅଧିକ ଉଦ୍ଧାର କରାଯାଇଥିବା ବିଲୁପ୍ତ ହେଉଥିବା ବିପଦଗ୍ରସ୍ତ ପଶୁ ରହୁଛନ୍ତି ।