କନକ ବ୍ୟୁରୋ: ଲୋକସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଏମିତି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି । କାରଣ ନଡ୍ଡା କହିଛନ୍ତି, ଲୋକସଭାର ସଦସ୍ୟଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ଆବଶ୍ୟକତା ରହିଛି । କାରଣ ଅନେକଙ୍କ ଓଜନ ଅଧିକ ରହିଛି । ହେଲେ ନଡ୍ଡା ହଠାତ୍‌ ଏମିତି କାହିଁକି କହିଲେ ତାହାକୁ ନେଇ ପ୍ରଶ୍ନ ଉଙ୍କି ମାରୁଛି । ଗୃହରେ ପ୍ରଶ୍ନକାଳ ଚାଲୁଥିବା ବେଳେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଉଥିଲେ ନଡ୍ଡା । ଏହି ସମୟରେ ହଠାତ୍‌ ଓଜନର କଥା କହିଥିଲେ । ଖାଲି ଏତିକି ନୁହେଁ ବରଂ ସେ ଆହୁରି ମଧ୍ୟ କହିଥିଲେ ପ୍ରତି ସଦସ୍ୟଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ଆମେ ଚିନ୍ତିତ । ତେଣୁ ସ୍ପିକରଙ୍କୁ ବିନମ୍ର ଅନୁରୋଧ କରୁଛି କି, ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ଆବଶ୍ୟକତା ରହିଛି । 

Advertisment

ଲୋକସଭାରେ ପ୍ରତିକ୍ରିୟା ରଖିଲେ ଜେପି ନଡ୍ଡା
ସୋସିଆଲ ମିଡ଼ିଆରେ ବଢିଲା ଚର୍ଚ୍ଚା
ସ୍ପିକର କହିଲେ
ନିଜ ନିର୍ବାଚନମଣ୍ଡଳୀ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କର

ନଡ୍ଡା କହିଲେ, ଏଠିକାର ସଦସ୍ୟଙ୍କର ବି ସ୍ବାସ୍ଥ୍ୟ ପରୀକ୍ଷା ଜରୁରୀ


ଗୃହରେ ବିବୃତ୍ତି ରଖୁଥିଲେ ସ୍ବାସ୍ଥ୍ୟମନ୍ତ୍ରୀ । ସ୍ବାସ୍ଥ୍ୟ ପରି ଗମ୍ଭୀର ସମସ୍ୟାରେ ପୂରା ଦେଶ ଘାଂଟି ହେଉଥିବା ବେଳେ ପ୍ରତ୍ୟେକ ନେତା ନିଜ ଅଂଚଳର ଲୋକଙ୍କ ସ୍ବାସ୍ଥ୍ୟ ସମସ୍ୟାରେ ଯୁଝି ହେଉଛନ୍ତି । ତେଣୁ ଏମିତି ସ୍ଥିତିରେ ପ୍ରତି ନିର୍ବାଚନମଣ୍ଡଳୀର ନେତା ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧାରିବାର ଆବଶ୍ୟକତା ରହିଛି ବୋଲି ବାଚସ୍ପତି କହିଥିଲେ । ଆଉ ବାଚସ୍ପତିଙ୍କ ନିର୍ଦ୍ଦେଶ ମିଳିବା ପରେ ନଡ୍ଡା କହିଥିଲେ, କେବଳ ଗାଁର ଲୋକ ନୁହେଁ ବରଂ ନେତାଙ୍କର ବି ସ୍ବାସ୍ଥ୍ୟାବସ୍ଥା ଯାଂଚ୍‌ କରିବାର ଆବଶ୍ୟକତା ରହିଛି ।  

ସେପଟେ, ଦେଶରେ କର୍କଟ ଓ ଯକ୍ଷ୍ମା ସମେତ ବିଭିନ୍ନ ରୋଗର ସ୍କ୍ରିନିଂ ପାଇଁ ଚାଲିଥିବା ଅଭିଯାନ ବିଷୟରେ ସୂଚନା ଦେଇ ନଡ୍ଡା କହିଛନ୍ତି ଯେ ସରକାର ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ଅଧୀନରେ ୩୦ ବର୍ଷରୁ ଅଧିକ ବୟସର ସମସ୍ତ ନାଗରିକଙ୍କ ପାଇଁ ଏକ ସ୍ୱାସ୍ଥ୍ୟ ପରୀକ୍ଷା ଅଭିଯାନ ଆରମ୍ଭ କରାଯାଇଛି । ଏଥିରେ ଉଚ୍ଚ ରକ୍ତଚାପ, ମଧୁମେହ ଏବଂ କର୍କଟ ରୋଗର ମାଗଣା ସ୍କ୍ରିନିଂ କରାଯାଉଛି । 

ଖାଲି ଏତିକି ନୁହେଁ ବରଂ ମନ୍ତ୍ରୀ ଆହୁରି କହିଛନ୍ତି, ଅଭିଯାନ ଆରମ୍ଭ ହେବା ପରଠାରୁ ଏ ପର୍ଯ୍ୟନ୍ତ ୩୫ କୋଟି ଲୋକଙ୍କର ସ୍କ୍ରିନିଂ କରାଯାଇଛି ।  ଯେଉଁଥିରୁ ୪.୨ କୋଟି ଲୋକ ଉଚ୍ଚ ରକ୍ତଚାପରେ ପୀଡ଼ିତ ଏବଂ ୨.୬ କୋଟି ଲୋକ ମଧୁମେହରେ ପୀଡ଼ିତ ଥିବା ଜଣାପଡ଼ିଛି । ଠିକ୍‌ ସେହିପରି ୨୯.୩୫ କୋଟି ଲୋକଙ୍କ ମୁଖ କର୍କଟ ରୋଗର ଯାଞ୍ଚ କରାଯାଇଥିଲା, ଯେଉଁଥିରୁ ୧.୧୮ କୋଟି ଲୋକଙ୍କଠାରେ କର୍କଟ ରୋଗ ଚିହ୍ନଟ ହୋଇଥିଲା । ଦେଶରେ ଯକ୍ଷ୍ମା ନିରାକରଣ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ, ଏବେ ଏକ ମେସିନ୍ ସାହାଯ୍ୟରେ ଯକ୍ଷ୍ମା ସ୍କ୍ରିନିଂ ଆରମ୍ଭ କରାଯାଇଛି ଯାହା ଏକକାଳୀନ ୩୨ ଟି ନମୁନାକୁ ଅତି ସହଜରେ ସ୍କ୍ରିନିଂ କରିପାରିବ । 

ଏପଟେ, ପାଟନାର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ନିର୍ଦ୍ଦେଶକ ପଦବୀ ପୂରଣ ସମ୍ପର୍କରେ ପ୍ରଶ୍ନ କରିଥିଲେ ବିଜେପି ସାଂସଦ ମୀସା ଭାରତୀ । ପ୍ରଶ୍ନର ଉତ୍ତର ଦେଇ ନଡ୍ଡା କହିଛନ୍ତି, କୌଣସି କାରଣରୁ ଏମ୍ସ (ପାଟନା)ର ନିର୍ଦ୍ଦେଶକଙ୍କୁ ହଟାଇ ଦିଆଯାଇଛି । ଖୁବ୍‌ଶୀଘ୍ର ନୂଆ ନିର୍ଦ୍ଦେଶକଙ୍କୁ ନିଯୁକ୍ତ କରାଯିବ। ସେପଟେ ହେମାମାଳିନୀ ଅଭିଯୋଗ କରିଥିଲେ, ଆୟୁଷ୍ମାନ କାର୍ଡ ଥିବା ପରେ ବି ଅନେକ ରୋଗୀଙ୍କୁ ମେଡ଼ିକାଲରେ ଚିକିତ୍ସା ମିଳୁନି । ଏଥିପାଇଁ ସରକାର ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । 

ଘଟଣା ସମ୍ପର୍କରେ ନଡ୍ଡା କହିଛନ୍ତି ଯେ କିଛି ହସ୍ପିଟାଲରେ ରୋଗୀଙ୍କୁ ବେଡ୍ କିମ୍ବା କିଛି କାଗଜପତ୍ର ନଥିବା ବାହାନାରେ ଚିକିତ୍ସା ମନା କରାଯାଉଥିବାର ଖବର ଆସିଛି ।  କିନ୍ତୁ ମୁଁ ସ୍ପଷ୍ଟ କରିବାକୁ ଚାହେଁ, ଆୟୁଷ୍ମାନ ଯୋଜନାରେ ଦେଶର ୬୩ କୋଟିରୁ ଅଧିକ ଲୋକ ମାଗଣା ଚିକିତ୍ସା ସୁବିଧା ପାଉଛନ୍ତି ଏବଂ ଏହା ବିଶ୍ୱର ସବୁଠାରୁ ବଡ଼ ସ୍ବାସ୍ଥ୍ୟ ଯୋଜନା । ହେଲେ ନେତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବାର କଥା ବେଶ୍‌ ଚର୍ଚ୍ଚା ସାଉଣ୍ଟିଛି ।