କନକ ବ୍ୟୁରୋ: ମହାରାଷ୍ଟ୍ରର ଔରଙ୍ଗଜେବଙ୍କ କବରକୁ ନେଇ ନାଗପୁରର ମହଲ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଛି । ଏହି ସମୟରେ ଦୁର୍ବୃତ୍ତମାନେ ଅନେକ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ । ପୋଲିସ୍‌ ଉପରକୁ ପଥର ମାଡ଼ କରିବା ସହ ସରକାରୀ ସମ୍ପତ୍ତିକୁ ନଷ୍ଟ କରିଥିଲେ । ପଥର ମାଡ଼ରେ ଡିସିପିଙ୍କ ସମେତ ଅନେକ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କର୍ତ୍ତୃପକ୍ଷ କର୍ଫ୍ୟୁ ଲାଗୁ କରିବା ସହ ହିଂସାପ୍ରବଣ ଅଞ୍ଚଳରେ ଅତିରିକ୍ତ ପୁଲିସ ଫୋର୍ସ ମୁତୟନ କରିଛନ୍ତି ।

Advertisment

ଏହି ଘଟଣାରେ ପୋଲିସ ୪୦ ଜଣ ଦୁର୍ବୃତ୍ତଙ୍କୁ ଅଟକ ରଖିଛି । କେନ୍ଦ୍ରୀୟ ନାଗପୁରର ଚିଟ୍‌ନିସ୍‌ ପାର୍କ ଅଞ୍ଚଳରେ ସୋମବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଏହି ହିଂସାକାଣ୍ଡ ଘଟିଥିଲା ଏବଂ ପୋଲିସ ଉପରକୁ ପଥର ମାଡ଼ କରାଯାଇଥିଲା । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ଔରଙ୍ଗଜେବଙ୍କ ସମାଧି ହଟାଇବା ପାଇଁ ଭିଏଚ୍‌ପି-ବଜରଙ୍ଗ ଦଳ ପକ୍ଷରୁ ଆନ୍ଦୋଳନ ଚାଲିଥିବା ବେଳେ ମୁସଲମାନ ସମ୍ପ୍ରଦାୟର ପବିତ୍ର ପୁସ୍ତକ ପୋଡ଼ି ଦିଆଯାଇଥିଲା ବୋଲି ଗୁଜବ ପ୍ରଚାର ହୋଇଥିଲା । ତେବେ ବଜରଙ୍ଗ ଦଳ ଏହି ଅଭିଯୋଗକୁ ଖଣ୍ଡନ କରି କହିଛି, ବିକ୍ଷୋଭକାରୀମାନେ ଔରଙ୍ଗଜେବଙ୍କ ପ୍ରତିମୂର୍ତ୍ତି ଜାଳିଥିଲେ । ଏହି ହିଂସାକାଣ୍ଡରେ ଡିସିପିଙ୍କ ସମେତ ୬ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଦୁର୍ବୃତ୍ତମାନେ ଡିସିପି ନିକେତନଙ୍କୁ କୁରାଢିରେ ଆକ୍ରମଣ କରିଥିଲେ ।

କ'ଣ ଥିଲା ପୂରା ଘଟଣା ?

ସାମାନ୍ୟ ଗୁଜବରୁ ନାଗପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ନାଗପୁର ପୋଲିସ କମିଶନର ଡକ୍ଟର ରବୀନ୍ଦ୍ର ସିଂଘଲ କହିଛନ୍ତି, ପରିସ୍ଥିତି ନିୟନ୍ତ୍ରଣରେ ଅଛି 
ଆମେ ଏତଲା ଦାୟର କରିଛୁ ,ରାତି ପ୍ରାୟ ସାଢ଼େ ୮ଟା ବେଳେ ଏହି ଘଟଣା ଘଟିଛି : କମିଶନର
ଘଟଣାରେ ପୋଲିସ ୪୦ ଜଣ ଦୁର୍ବୃତ୍ତଙ୍କୁ ଅଟକ ରଖିଛି
ସମଗ୍ର ଅଞ୍ଚଳରେ ଧାରା ୧୬୩ ଲାଗୁ କରାଯାଇଛି 

ସେପଟେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ନାଗପୁରରେ ଶାନ୍ତି ବଜାୟ ରଖିବାକୁ ଲୋକଙ୍କୁ ନିବେଦନ କରିଛନ୍ତି । 
ନାଗପୁରର ମହଲ ଅଞ୍ଚଳରେ ଯେଉଁଭଳି ପରିସ୍ଥିତି ଉପୁଜିଛି ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ଫଡନାଭିସ୍‌ କହିଛନ୍ତି । କିଛି ଲୋକ ପୋଲିସ ଉପରକୁ ପଥର ଫିଙ୍ଗିଥିଲେ, ମୁଁ ପରିସ୍ଥିତି ଉପରେ ନଜର ରଖିଛି କହିବା ସହିତ ଯଦି କେହି ଦଙ୍ଗା କରନ୍ତି, ପୋଲିସ ଉପରକୁ ପଥର ଫିଙ୍ଗିଥାନ୍ତି । ତେବେ ଏଭଳି ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।