କନକ ବ୍ୟୁରୋ: ବିଧାନସଭାର ଶୂନ୍ୟକାଳରେ ଉଠିଲା ନାରୀ ନିର୍ଯାତନା ପ୍ରସଙ୍ଗ । ଏନେଇ ଗୃହ କମିଟି ଗଠନ ପାଇଁ ଦାବି କଲେ କଂଗ୍ରେସ ବିଧାୟକ ଅଶୋକ ଦାସ । ୨୦୦୦ ରୁ ୨୦୨୪ ମଧ୍ୟରେ ରାଜ୍ୟରେ ୪୪ ହଜାର ୮୨୩ ମହିଳା ନିଖୋଜ ହୋଇଛନ୍ତି । ଏହା ପୂର୍ବ ସରକାରଙ୍କ ତଥ୍ଯ ଥିଲେ ବି ନୂଆ ସରକାରର ଏହି ୯ ମାସରେ ଅର୍ଥାତ୍ ଜୁନ ୨୦୨୪ ପରେ ୧୮ ହଜାର ନାରୀ ନିର୍ଯାତନା ମାମଲା ପଞ୍ଜିକରଣ ହୋଇଛି । ୫୪ ମହିଳା ଗଣ ଦୁଷ୍କର୍ମର ଶିକାର ହେଉଛନ୍ତି । ଦିନ ଦ୍ବିପ୍ରହରରେ ହତ୍ୟାକାଣ୍ଡ ହେଉଛି ।
ହୋଲି ଦିନ ମଦ ଦୋକାନ ଖୋଲା ରହିଲା, ଅନେକ ହତ୍ୟାକାଣ୍ଡ ବି ଘଟିଲା । ଏଭଳି ସ୍ଥିତି ପାଇଁ ଗୃହ କମିଟି ଗଠନ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଅଶୋକ ଦାସ । କଂଗ୍ରେସ ବିଧାୟକ ସିଏସ ରାଜନ ଏକ୍କା ବି ଗୃହ କମିଟି ଗଠନ ପାଇଁ ଦାବି କରିବା ସହ ପୂର୍ବ ସରକାରଙ୍କ ସମୟରେ ଘଟିଥିବା ମହିଳା ଅପରାଧ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ଆରମ୍ଭରୁ ନାରୀ ନିର୍ଯାତନା ପ୍ରସଙ୍ଗକୁ ନେଇ ସରକାରଙ୍କ ବିବୃତି ଦାବି କରି ଆସୁଛି କଂଗ୍ରେସ ।
ମୋଟ୍ ଉପରେ, ଭୁବନେଶ୍ୱର, କଟକ, ସମ୍ବଲପୁର, ଭଦ୍ରକ, ରାଉରକେଲା, ବାଲେଶ୍ୱରରେ ନାରୀ ନିର୍ଯାତନା ବିରୋଧରେ ରାଜ୍ୟ କଂଗ୍ରେସ ଗର୍ଜନ କରିଥିଲା । ମହିଳାଙ୍କ ପ୍ରତି ନିର୍ଯାତନା ବଢୁଥିବା ଅଭିଯୋଗ ଆଣିବା ସହ ମହିଳା ସୁରକ୍ଷା ଦାବିରେ ସାରା ରାଜ୍ୟରେ ଏଡିଏମ ଅଫିସ ଘେରାଉ କରିବା ସହ ବିକ୍ଷୋଭ କରିଥିଲେ ଦଳର ନେତା ଓ କର୍ମୀ । ପୁର୍ବରୁ ପଶ୍ଚିମ ଓ ଦକ୍ଷିଣରୁ ଉତ୍ତର ଚାରିଆଡେ ପ୍ରତିବାଦ କରିଥିଲା କଂଗ୍ରେସ । ବିଧାନସଭାରେ ନାରୀ ନିର୍ଯାତନାକୁ କେନ୍ଦ୍ର କରି କଂଗ୍ରେସ ହୋହଲ୍ଲା କରିଥିବାବେଳେ ପ୍ରତି ଜିଲ୍ଲାର ଜିଲ୍ଲାପାଳ ଅଫିସ ସମ୍ମୁଖରେ ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ପ୍ରତିବାଦ କରିଥିଲେ । ଏଥିରେ ଦଳର ପିସିସି ସଭାପତି ଭକ୍ତ ଦାସ ଓ ବରିଷ୍ଠ ନେତା ସାମିଲ ହୋଇ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଥିଲେ ।
୮ ମାସର ହିସାବ ଦେଲା କଂଗ୍ରେସ । ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ବି ଲୋଡ଼ିଲା । କଂଗ୍ରେସ ଅଭିଯୋଗ କରିଥିଲା, ରାଜ୍ୟରେ ମହିଳାଙ୍କ ପ୍ରତି ଶୋଷଣ ଓ ନିର୍ଯାତନା ବଢିଚାଲିଛି । ଏ ନେଇ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ବି ଲୋଡିଥିଲା ଦଳ । ୮ ମାସର ହିସାବ ଦେଇ କଂଗ୍ରେସ କହିଥିଲା, ୩, ୪୨୦ ମହିଳା ଓ ୮, ୪୩୦ ଶିଶୁ ନିଖୋଜ ଅଛନ୍ତି । ୫୪ଟି ଗଣଦୁଷ୍କର୍ମ ହୋଇଛି । ଆବାସିକ ସ୍କୁଲ ଦଶମ ଶ୍ରେଣୀର ଛାତ୍ରୀ ପରୀକ୍ଷା ହଲ୍ରେ ଶିଶୁ ଜନ୍ମ ଦେଲେ । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଷଷ୍ଠଶ୍ରେଣୀ ଛାତ୍ରୀ ଦୁଷ୍କର୍ମର ଶିକାର ପରେ ଗର୍ଭବତୀ ।
ଭକ୍ତ ଦାସ ପିସିସି ସଭାପତି ହେବା ପରେ ପ୍ରଥମ ଥର ଲାଗି ରାଜ୍ୟରେ ଆନ୍ଦୋଳନ କରିଥିଲା କଂଗ୍ରେସ । ପ୍ରଶ୍ନ ଉଠୁଛି, ପୁଣି ଲୋକଙ୍କ ବିଶ୍ୱାସଭାଜନ ହୋଇପାରିବ କି କଂଗ୍ରେସ ? ଏମିତି ସମୟରେ ବିଧାନସଭାରେ ବି ଲଗାତାର ଗୋଟିଏ ପ୍ରସଙ୍ଗକୁ ଉଠାଇ ହଲ୍ଲାବୋଲ କରିଛି କଂଗ୍ରେସ ।