କନକ ବ୍ୟୁରୋ : ରାଜ୍ୟରେ ହେବନି ବିଦ୍ୟୁତ୍‌ କାଟ । ଗୃହରେ ଏନେଇ ଉତ୍ତର ରଖିଛନ୍ତି ମନ୍ତ୍ରୀ । କହିଛନ୍ତି, ଆମ ସରକାରରେ ବିଦ୍ୟୁତ୍‌ କାଟ ବିଲକୁଲ ନାହିଁ । ଯଦି କୌଣସି ସଂସ୍ଥା, ଅଫିସର ବିଦ୍ୟୁତ୍‌ କାଟ କରିବେ ତେବେ ତୁରନ୍ତ ନିଆଯିବ କାର୍ଯ୍ୟାନୁଷ୍ଠାନ । ଗୋଟିଏ ପଟେ ମନ୍ତ୍ରୀ କହୁଛନ୍ତି ରାଜ୍ୟରେ ବିଜୁଳି କାଟ୍‌ ହେବ ନାହିଁ ହେଲେ ଗ୍ରାଉଣ୍ଡରେ କିନ୍ତୁ ଚିତ୍ର ଭିନ୍ନ । ଖରାଦିନ ଆରମ୍ଭରୁ ହିଁ ଅନେକ ସମୟରେ ବିଜୁଳି କାଟ୍‌ ହେଉଥିବାର ଚିତ୍ର ସାମ୍ନାକୁ ଆସିଛି ।          

Advertisment

ଖାସ୍‌ କରି ସ୍ୱାଭିମାନ ଅଞ୍ଚଳର ପାପରମେଟଲା ପଞ୍ଚାୟତବାସୀ ନାହିଁନଥିବା ଅସୁବିଧାର ସାମ୍ନା କରୁଛନ୍ତି । ଖରା ଗରମ ସାଙ୍ଗକୁ ବିଦ୍ୟୁତ୍‌ ବିଚ୍ଛିନ୍ନ ଲୋକଙ୍କୁ ନାକେଦମ୍‌ କଲାଣି । ସ୍କୁଲରେ ଆଉଟପାଉଟ ହେଉଛନ୍ତି ଛାତ୍ରଛାତ୍ରୀ । ଆବାସିକ ବିଦ୍ୟାଳୟରେ ପାଠପଢ଼ା ସହ ପାଣି ପାଇଁ ବହୁ ଅସୁବିଧା ଭୋଗୁଛନ୍ତି । ବିଦ୍ୟୁତ୍‌ ବିତରଣକାରୀ ସଂସ୍ଥା ଟାଟା ପାୱାରର  ଜୁଲମ୍ ବିରୋଧରେ ଗ୍ରାମବାସୀ ମେଳି ବାନ୍ଧୁଛନ୍ତି । 

ମାସକୁ ମାସ ବିଲ୍‌ ଦେଉନଥିବା ସଂସ୍ଥା ଏକାଥରେ ଧରେଇ ଦେଇଛି ୨୦ ହଜାର ଟଙ୍କାର ବିଦ୍ୟୁତ୍‌ ବିଲ୍‌ । ଗରିବ ଶ୍ରମିକ ଶ୍ରେଣୀର ଲୋକମାନେ ଏକା ଥରକେ ଏତେ ଟଙ୍କା ଦେଇପାରୁନାହାନ୍ତି । ମାସକୁ କିଏ ହଜାରେ, କିଏ ୨ରୁ ୩ ହଜାର ଟଙ୍କା ଜମା କରୁଛନ୍ତି । ତଥାପି ସଂପୃକ୍ତ ସଂସ୍ଥା ବିଜୁଳି ବିଚ୍ଛିନ୍ନ କରିଦେଇଥିବା ଅଭିଯୋଗ ହୋଇଛି । ପାପରମେଟଲା ପଞ୍ଚାୟତର ରୁମା, ଡୋଳିଆମ୍ବା,ଗନ୍ଧିଗୁଡ଼ାର ଗ୍ରାମବାସୀ ବିଦ୍ୟୁତ ସେବା ନପାଇ ହନ୍ତସନ୍ତ ହେଉଛନ୍ତି । ତେବେ ପ୍ରଶାସନ ସ୍ୱାଭିମାନ ଅଞ୍ଚଳର ନିରୀହ ଆଦିବାସୀଙ୍କ କଥା ଶୁଣି ସମାଧାନର ବାଟ ବାହାର କରୁ ଏବଂ ଟାଟା ପାୱାର ତୁରନ୍ତ ବିଦ୍ୟୁତ ସଂଯୋଗ କରିବାକୁ ଦାବି ହୋଇଛି । ଏପଟେ ମନ୍ତ୍ରୀଙ୍କ କଡ଼ା ଚେତାବନୀ ପରେ ସେମାନେ ବିଜୁଳି ସଂଯୋଗ ପାଉଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା ।