କନକ ବ୍ୟୁରୋ: ବିଧାନସଭାରେ ଉଠିଲା ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣା । ଗୃହରେ ଏନେଇ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । କହିଛନ୍ତି, ନବ ଦାସ ହତ୍ୟାକାଣ୍ଡରେ  ସେତେବେଳର ସରକାର ନ୍ୟାୟ ଦେଇ ପାରିନଥିଲେ । ଯେଉଁଭଳି ତଦନ୍ତ ହେବାର କଥା, ନ୍ୟାୟ ମିଳିବାର କଥା ସେମାନେ ଦେଇ ପାରିଲେନି । ତଦନ୍ତକୁ ନେଇ ନବଙ୍କ ତାଙ୍କ ପରିବାର ଅସହମତି ପ୍ରକାଶ କରିଥିଲେ । ଆମ ସରକାରକୁ ଲେଖିକି ଦେବା ପରେ ଆଜିଠାରୁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି । ତାଙ୍କ ଘରେ କ୍ରାଇମବ୍ରାଞ୍ଚ ପହଞ୍ଚିଛି ଏବଂ ଷ୍ଟେଟମେଣ୍ଟ ରେକର୍ଡ କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି । 

Advertisment

ଆଜି ସକାଳୁ ନବ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଥିଲା । ଝାରସୁଗୁଡ଼ା ସରବାହାଲ ଘରେ ୨ ଜଣିଆ ଟିମ୍ ପହଞ୍ଚିଥିଲା । ନବଙ୍କ ପୁଅ ଓ ଝିଅଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍ । ଦୀପାଳି ଓ ବିଶାଳ ଦାସଙ୍କ ବୟାନ ରେକର୍ଡ କରାଯାଇଥିଲା । ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ୨ ଜଣିଆ ଟିମ ପଚରାଉଚରା କରିଥିଲା । ପୂର୍ବରୁ ହାଜର ପାଇଁ ନୋଟିସ କରିଥିଲା କ୍ରାଇମବ୍ରାଞ୍ଚ । ହେଲେ ହାଜର ନହୋଇ ଘରେ ବୟାନ ରେକର୍ଡ ପାଇଁ ମାଗିଥିଲେ ସମୟ ।

ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ରାଜ୍ୟର ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା ନେଲା ନୂଆ ମୋଡ଼ । ସିବିଆଇ ତଦନ୍ତ ପାଇଁ ଲିଖିତ ଆବେଦନ କରିବାକୁ ଚାହୁଁଥିଲେ ସ୍ୱର୍ଗତ ନବ ଦାସଙ୍କ ପରିବାର । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଇ-ମେଲ କରିଥିଲେ ନବ ଦାସଙ୍କ ପତ୍ନୀ । ପୂର୍ବରୁ ସିବିଆଇ ତଦନ୍ତ ପାଇଁ ପରିବାର ଲୋକଙ୍କୁ ଲିଖିତ ଭାବେ ଦେବାକୁ ପଡିବ ବୋଲି ରାଜ୍ୟ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ । ପ୍ରାୟ ୨ ମାସ ତଳେ ନବ ଦାସଙ୍କ ପୁଅ ଓ ଝିଅ ସିବିଆଇ ତଦନ୍ତ ଚାହୁଁଥିବା ଗଣମାଧ୍ୟମରେ କହିଥିଲେ । ପରେ ପରେ ପରିବାର ପକ୍ଷରୁ ଏ ସଂକ୍ରାନ୍ତରେ ଲିଖିତ ଆବେଦନ କରାଯାଇଛି । ଗତ ୧୧ ତାରିଖରେ ସ୍ୱର୍ଗତ ନବ ଦାସଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଥିବା ଖବର ମିଳିଛି । ସିବିଆଇ ତଦନ୍ତ ପାଇଁ ଲିଖିତ ଆବେଦନ କରିବାକୁ ଚାହୁଁଥିବାରୁ ଶ୍ରୀମତି ଦାସ ଉକ୍ତ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତକାର ପାଇଁ ସମୟ ମାଗିଥିଲେ ।

ଏନେଇ ସ୍ୱର୍ଗତ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଯିବାରୁ ଆବେଦନ ପ୍ରସଙ୍ଗକୁ ସ୍ୱୀକାର କରିବା ସହ ଉଭୟ ଇ-ମେଲ ଓ ଚିଠି ପଠାଇ ସାକ୍ଷାତକାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମୟ ମାଗିଥିବା ଜଣାଇଛନ୍ତି । ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ଏହାରି ଭିତରେ ୨ ବର୍ଷ ବିତିଛି । ଏପଟେ ମାମଲାର କ୍ରାଇମବ୍ରାଞ୍ଚର ତଦନ୍ତ ସନ୍ଦେହ ପରିସରରୁ ମୁକୁଳି ପାରୁନାହିଁ । ବର୍ତ୍ତମାନର ଶାସକ ଦଳ ନେତାମାନେ ମଧ୍ୟ ସେ ସମୟରେ କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ପ୍ରଶ୍ନ ଉଠାଇଥିଲେ । ଯାହାକୁ କେନ୍ଦ୍ର କରି ତଦନ୍ତକୁ ନେଇ କୌଣସି ଆପତ୍ତି ଥିଲେ କ୍ରାଇମବ୍ରାଞ୍ଚ ସମ୍ମୁଖରେ ହାଜର ହେବାକୁ ପୁଅ ବିଶାଳ ଦାସ ଓ ଝିଅ ଦୀପାଳି ଦାସଙ୍କୁ ନୋଟିସ ହୋଇଥିଲା ।

ହେଲେ ସେମାନେ ହାଜର ନହୋଇ ସମୟ ମାଗିଥିଲେ । ଏପରିକି ସିବିଆଇ ତଦନ୍ତ ଦାବି ଚାହୁଁଥିବା ଦୀପାଳି ଓ ବିଶାଳ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ । ହେଲେ ଆବେଦନ ପାଇଁ ବିଳମ୍ୱ ହେବାରୁ ବିଭିନ୍ନ ମହଲରେ ସମାଲୋଚନା ହେଉଛି । ଏହାରି ଭିତରେ ନବଙ୍କ ଫାଇଲ୍‌ ପୁଣି ଥରେ ଖୋଲିବ ଓ ଦୋଷୀ ଧରାପଡ଼ିବେ ବୋଲି ଆଶା ବଢିଛି ।