କନକ ବ୍ୟୁରୋ: ଶୂନ୍ୟକାଳରେ ଉଠିଲା ଲଘୁ ଖଣିଜ ଲୁଟ୍ ପ୍ରସଙ୍ଗ । ଆଲୋଚନା କରିବାକୁ ଦାବି କଲେ ବରିଷ୍ଠ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ବିଧାୟକ କହିଲେ,ଆମର ରାଜସ୍ବହାନୀ ହେଉଛି ଏବଂ ପଡ଼ୋଶୀ ରାଜ୍ୟମାନେ ଆମର ସମ୍ପତ୍ତି ଲୁଟ୍ କରି ନେଉଛନ୍ତି । ବାଲି ଏବେ ରାଜ୍ୟରେ ମିଳୁନାହିଁ । ଅନେକ ସ୍ଥାନରେ କାମ ଠପ୍ ହୋଇଯାଇଛି ଏବଂ ସମସ୍ତ ବିଧାୟକମାନେ ମଧ୍ୟ ଏହା ଉପଲବ୍ଧି କରୁଛନ୍ତି । ତେଣୁ ଗୃହରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ରାଜା । କହିଛନ୍ତି, ରାଜସ୍ବ ସଚିବ, ଶିଳ୍ପ ସଚିବ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଡାକନ୍ତୁ ଏବଂ ଏନେଇ ଏକ ଆଲୋଚନା ହେଉ । ଆଲୋଚନା କରି ଯେଉଁ ରାଜସ୍ବ ହାନି ହେଉଛି ତାହାକୁ ରୋକିବାକୁ ବ୍ୟବସ୍ଥା କରନ୍ତୁ ।
ସେପଟେ, ବିଜେଡି ବିଧାୟକ ଗଣେଶ୍ୱର ବେହେରା ସମାନ ପ୍ରସଙ୍ଗ ଉଠାଇ, ମୁଖ୍ୟମନ୍ତ୍ରୀ ଖଣି ଚୋରି ରୋକିବା ପାଇଁ କ’ଣ ପଦକ୍ଷେପ ନେଇଛନ୍ତି ସେନେଇ ଗୃହରେ ଘୋଷଣା କରିବାକୁ ଦାବି କରିଛନ୍ତି । ଏହାସହ ସରକାର ଏଥିପାଇଁ ଟାସ୍କ ଫୋର୍ସ ଗଠନ କରିବାକୁ ଦାବି କରିଛନ୍ତି ଗଣେଶ୍ବର ।
ସରକାରୀ ଦଳର ସଦସ୍ୟଙ୍କୁ ଟାଣିଲେ ବିଜେଡି ବିଧାୟକ
ବିଧାନସଭାରେ ବିଧାୟକ କହିଛନ୍ତି, ରାଜ୍ୟ ସରକାର ଏକ ଦମ୍ଭୋକ୍ତି ଦେଖାଇଥିଲେ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯିବ । ହେଲେ ତାହା ବଦଳରେ ଏବେ ପୂର୍ଣ୍ଣ ସହନଶୀଳତା ହୋଇଯିବା ପରି ମନେ ହେଲାଣି । ସୁନାର ଓଡ଼ିଶା ଲୁଟ୍ ହେଉଛି । ଦୁର୍ନୀତି ରୋକା ଯାଇପାରୁନାହିଁ । ଲଘୁଖଣିଜ ପଦାର୍ଥ ବ୍ୟାପକ ମାତ୍ରାରେ ଲୁଟ୍ ହେଉଛି । ଖଣି ବିଭାଗ ସଚିବଙ୍କୁ ଚିଠି ଲେଖିଥିଲି, କେନ୍ଦ୍ରାପଡ଼ାରେ ଏକ ଲଘୁଖଣିଜ ଲୁଟ୍ ହେଉଛି, ହେଲେ କୌଣସି ଫଳାଫଳ ମିଳିଲା ନାହିଁ କହି ନିଜର ଉଦବେଗ ପ୍ରକାଶ କରିଛନ୍ତି ଗଣେଶ୍ବର । ଲଘୁଖଣିଜ ଲୁଟ୍ ହେବାର କାରଣ କହି ଶ୍ରୀବେହେରା କହିଛନ୍ତି, ଖଣି ଲିଜ୍ ଦିଆଯାଉନାହିଁ । ବିନା ଟିପିରେ ଖଣିଜ ଉଠାଯାଉଛି।
କେତେକ ନିର୍ଦ୍ଦିଷ୍ଟ ବ୍ୟକ୍ତି, ସରକାରୀ ଦଳର ଜଣେ ଜଣେ ବ୍ୟକ୍ତି ବିଶେଷ ଦୁର୍ନୀତିରେ ଲିପ୍ତ । ସରକାର ରାଜସ୍ବ ଲୁଟ୍ ପାଇଁ ବିଭିନ୍ନ ପଦକ୍ଷେପ ନେଉଛୁ ବୋଲି କହୁଛନ୍ତି ହେଲେ ତାହା କେବଳ କଥାରେ ରହିଗଲା ପରି ମନେ ହେଉଛି । ରାଜସ୍ୱ ଲୁଟ୍ ହେବ ଆଉ ଆମେ ଆଖି ବୁଜି ଦେବା କି ବୋଲି ପ୍ରଶ୍ନ କରିଛନ୍ତି । ମୁଖ୍ୟ ସଚିବ କହିବା ପରେ କାର୍ଯ୍ୟାନୁଷ୍ଠାନ ହେଉଛି କିନ୍ତୁ ମୂଳ ଅପରାଧୀ ଖସି ଯାଉଛନ୍ତି ବୋଲି ସେ ଅଭିଯୋଗ ବି କରିଛନ୍ତି । କାହିଁକି ଲଘୁ ଖଣିଜ ନିର୍ଦ୍ଦେଶାଳୟର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଶୋଇଛନ୍ତି ? ସରକାର ଏ ଦିଗରେ ନୀରବ କାହିଁକି ? ୬୩୬ ଲଘୁ ଖଣିଜ ଅଛି, ତା’ର ନିଲାମ କେବେ କରିବେ? ସରକାର ଏ ସଂକ୍ରାନ୍ତରେ ଠୋସ୍ ନିଷ୍ପତ୍ତି ନେବେ କି? ଦୁର୍ନୀତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କି? ସରକାର ଏକ ଟାସ୍କ ଫୋର୍ସ ଗଠନ କରିବେ କି? ଏମିତି କଡ଼ା ପ୍ରଶ୍ନ କରି ସରକାରଙ୍କୁ ଘେରିଛନ୍ତି ବିରୋଧୀ ।