ଓଡ଼ିଆ ଆଲବମରେ ଯେତେବେଳେ ଗୀତ ବାଜିଲା ଜହ୍ନ ରାଇଜରେ ଜାଗାଟେ କିଣିଛି , ସେତେବେଳେ କିଏ ଭାବିଥିଲା ଯେ ସତକୁ ସତ ଜହ୍ନରେ ମଧ୍ୟ ଜାଗା କିଣିହେବ । ବର୍ତ୍ତମାନ ସାରା ବିଶ୍ବର ବୈଜ୍ଞାନିକ ତଥା ଅନ୍ତରୀକ୍ଷ ଏଜେନ୍ସିଙ୍କ ସବୁଠୁ ବଡ଼ ସ୍ବପ୍ନ କେମିତି ମଣିଷ ଚନ୍ଦ୍ରରେ ସ୍ଥାୟୀ ରୂପରେ ରହିପାରିବ । ଆଉ ଏହି ସ୍ବପ୍ନକୁ ସାକାର କରିବା ପାଇଁ ନାସାଠୁ ଆରମ୍ଭ କରି ଇସ୍ରୋ ପର୍ଯ୍ୟନ୍ତ ସମସ୍ତେ ଜୋରସୋରରେ ଲାଗି ପଡ଼ିଛନ୍ତି । ଯଦି ଭବିଷ୍ୟତରେ ମଣିଷ ସତରେ ଚନ୍ଦ୍ରରେ ରହିବ ତା’ହେଲେ ପୃଥିବୀର ସ୍ବାଦ ମଧ୍ୟ ସାଙ୍ଗରେ ନେବାକୁ ପଡ଼ିବ । ଆଉ ଯେତେବେଳେ ଉତ୍ସବ , ଭୋଜିଭାତର ଆସର ଜମିବ ସେତେବେଳେ ଖୋଜାପଡ଼ିବ ଡ୍ରିଙ୍କ୍ସ । ଏହି ବିଚାରକୁ ନେଇ ଜାପାନର ନାମୀଦାମୀ କମ୍ପାନି ବ୍ରୁଅରୀ Asahi Shuzo 'ସାକେ' ନାମକ ଏକ ପାରମ୍ପରିକ ମଦ ତିଆରି କରୁଛି । ଯାହା ଚାଉଳରୁ ପ୍ରସ୍ତୁତ କରାଯାଏ । ଏହା ହେଉଛି ଜାପାନର ସଂସ୍କୃତି ସହ ଜଡ଼ିତ ମାଦକ ଦ୍ରବ୍ୟଯୁକ୍ତ ପାନୀୟ । ତେବେ ରୋଚକ କଥା ହେଉଛି ଏହି କମ୍ପାନି ଏବେ ଚନ୍ଦ୍ରରେ 'ସାକେ' ପ୍ରସ୍ତୁତ କରିବାର ଯୋଜନା କରୁଛି ।
/kanak/media/media_files/2025/04/15/U3TnNQvTYB712o6vXgU9.jpg)
ଫେବ୍ରୁଆରିରେ ଟୋକିଓ ସହରରେ ହୋଇଥିବା ଏକ ଖାସ୍ ଇଭେଣ୍ଟରେ କମ୍ପାନି Dassai Moon 'ସାକେ' ନାମକ ଏକ ବୋତଲ ଲଞ୍ଚ୍ କରିଥିଲା ଯାହା ଖାସ୍ କରି ସ୍ପେଶରେ ତିଆରି କରାଯିବ ବୋଲି ସୂଚନା ଦିଆଯାଇଥିଲା । ତାଜୁବର କଥା ହେଉଛି ୧୦୦ ଏମଏଲର ଗୋଟିଏ ବୋତଲର ଦାମ୍ ୧୧୦ ମିଲିୟନ୍ ୟେନ୍ ଅର୍ଥାତ ପାଖାପାଖି ୭.୩୮ ଲକ୍ଷ ଆମେରିକା ଡଲାର ଯାହା ଭାରତୀୟ ମୁଦ୍ରା ହିସାବରେ ୬ କୋଟି ଟଙ୍କା । ପ୍ରଥମଥର ପାଇଁ ଅନ୍ତରୀକ୍ଷରେ ତିଆରି ହେବାକୁ ଥିବା ଏହି ମଦ ଲଞ୍ଚ୍ ହେବା ପୂର୍ବରୁ ହିଁ ଚର୍ଚ୍ଚାରେ ଆସିଛି । କମ୍ପାନିର ପ୍ରେସିଡେଣ୍ଟ୍ ତଥା ସିଇଓ କାଜୁହିରୋ ସକୁରାଇଙ୍କ କହିବା ମୁତାବକ , ଆମେ ଗୋଟିଏ ଥର ପ୍ରୟାସ କରିବା ପାଇଁ ଏହି ମଦକୁ ପ୍ରସ୍ତୁତ କରୁନାହୁଁ ବରଂ ଆଗକୁ ଚନ୍ଦ୍ରରେ ଯେମିତି ଜୀବନ ସୁବିଧା ଏବଂ ସୁଖମୟ ହୋଇପାରିବ ସେଥିପାଇଁ ଚେଷ୍ଟା କରୁଛୁ । ଏହି ଖାସ୍ ମିଶନର ଆରମ୍ଭ ଇଣ୍ଟରନ୍ୟାସନାଲ୍ ସ୍ପେସ୍ ଷ୍ଟେସନ୍ (ISS)ରୁ ହେବ , ଯେଉଁଠାରୁ ଚନ୍ଦ୍ରର ଗ୍ରାଭିଟି କଣ୍ଡିସନକୁ ରିକ୍ରିଏଟ୍ କରାଯିବ । ଏଥିପାଇଁ ଏହାର ବ୍ରୁଇଙ୍ଗ୍ ଇକ୍ୟୁପମେଣ୍ଟ ଏବଂ ଜରୁରି ସାମଗ୍ରୀକୁ ସେପ୍ଟେମ୍ବର ଭିତରେ ଚନ୍ଦ୍ରକୁ ପଠାଯିବାର ବ୍ୟବସ୍ଥା କରାଯାଉଛି । ସେହିଠାରୁ ହିଁ ଚନ୍ଦ୍ରରେ 'ସାକେ' ତିଆରି ଆରମ୍ଭ ହେବ ।