ଆଜିର ସମୟରେ ସିନେମା ଅପେକ୍ଷା ଲୋକ ୱେବ୍ ସିରିଜ୍ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି । ଯଦି ଆପଣ ବି ଜଣେ ସିନେପ୍ରେମୀ ତା’ହେଲେ କେବେ ନା’ କେବେ ୱେବ୍‌-ସିରିଜ୍ ଦେଖିବାକୁ ଇଚ୍ଛା କରିଥିବେ । କିଛି ଲୋକ କୋରିଆନ୍ ଡ୍ରାମା ଦେଖିବାକୁ ମଧ୍ୟ ପସନ୍ଦ କରିଥା’ନ୍ତି । ଅଧିକାଂଶ କେ-ଡ୍ରାମା ରୋମାଣ୍ଟିକ୍ ପ୍ଲଟ୍‌କୁ ନେଇ ପ୍ରସ୍ତୁତ ହୋଇଥାଏ । କିନ୍ତୁ ନେଟ୍‌ଫ୍ଲିକ୍ସରେ ରିଲିଜ୍ ହୋଇଥିବା ଏମିତି ଏକ ସିରିଜ୍ ଯାହା କେବଳ ନିସ୍ୱାର୍ଥପର ପ୍ରେମକୁ ନୁହଁ ଗ୍ରାମ୍ୟ ଜୀବନଶୈଳୀ, ପରସ୍ପର ଭିତରେ ଭଲପାଇବା, ସନ୍ତାନଙ୍କ ପ୍ରତି ମାତାପିତାଙ୍କ ତ୍ୟାଗ, ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ମାନ, ପ୍ରେମ ଏବଂ ବାର୍ଦ୍ଧକ୍ୟ ସମୟରେ ମାତାପିତାଙ୍କ ପ୍ରତି ସନ୍ତାନଙ୍କ କର୍ତ୍ତବ୍ୟ ଆଦିକୁ ଦର୍ଶାଉଛି । ଏହି କେ-ଡ୍ରାମା ୱେବସିରିଜର ନାଁ ହେଉଛି ‘When Life Gives You Tangerines’ । 

Advertisment
k drama
k drama Photograph: (google)

ଏହି କୋରିଆନ୍ ଡ୍ରାମାରେ ନା’ ତ କୌଣସି ଆକ୍ସନ୍ ଅଛି ନା ଗ୍ଲାମର୍ । ଗାଳିଗୁଲଜ , ହିଂସାଠୁ ଦୂରରେ ଥିବା ଏହି ୱେବ୍‌ ସିରିଜକୁ ନେଟଫ୍ଲିକ୍ସରେ IMDb ରେ ୯.୩ ରେଟିଙ୍ଗ୍ ମିଳିଛି । ଓଟିଟିରେ ଟ୍ରେଣ୍ଡ୍ କରୁଥିବା ଏହି କେ-ଡ୍ରାମାକୁ ଦେଖି ସିନେପ୍ରେମୀ ଭୂରି ଭୂରି ପ୍ରଶଂସା କରୁଛନ୍ତି ଯାହାର ଉଦାହରଣ ଏହାର ରେଟିଙ୍ଗରେ ଦେଖିବାକୁ ମିଳିଛୁ । ଏହା ପୂର୍ବରୁ Queen of Tears ଏବଂ Squid Game ସବୁଠୁ ହାଇ ରେଟିଙ୍ଗର ଡ୍ରାମା ଥିଲା କିନ୍ତୁ When Life Gives You Tangerines ରିଲିଜ୍ ହେବା ପରେ ଲୋକ ଏହି ଡ୍ରାମାକୁ ଅଧିକ ପସନ୍ଦ କରୁଛନ୍ତି । 

kdrama
kdrama Photograph: (google)

ଆପଣ ଭାବୁଥିବେ ଏହି ଡ୍ରାମାରେ ଏମିତି କ’ଣ ଅଛି ଯେ ଲୋକ ଏହାକୁ ଏତେ ପସନ୍ଦ କରୁଛନ୍ତି । ଡ୍ରାମାରେ ସାଧାରଣ ଜୀବନକୁ ଅତି ସୁନ୍ଦର ଭାବରେ ଚିତ୍ରଣ କରାଯାଇଛି । ଦାମୀ ଉପହାର, ବିଳାସବ୍ୟସନ ଜୀବନ ବିନା କେମିତି ନିଜ ପ୍ରିୟ ମଣିଷଙ୍କ ସହ ପୂରା ଜୀବନ ବିତାଇ ପାରିବ ଏହା ହେଉଛି ଡ୍ରାମାର ବିଷୟବସ୍ତୁ । ଯେଉଁଥିରେ ନିସ୍ବାର୍ଥପର ପ୍ରେମର ଭାବକୁ ଅତି ସରଳ ଭାବେ ଚିତ୍ରିତ କରାଯାଇଛି । ବିନା ଚାକଚକ୍ୟରେ କେମିତି ସାଧାରଣ ଜୀବନ ଜିଇଁ ହେବ ଏବଂ ଜୀବନରେ ଝଡ଼ଝଞ୍ଜା ଆସିଲେ କେମିତି ପରିବାର ସହ ମିଶି ଲଢ଼େଇ କରିହେବ ଏହା ହିଁ ଡ୍ରାମାକୁ ଜୀବନ୍ତ କରିଛି ଯାହା ଲୋକଙ୍କ ମନକୁ ମଧ୍ୟ ଜିଣିଛି । ସିରିଜ୍‌ର କାହାଣୀ ୧୯୫୦ରୁ ଆରମ୍ଭ କରି ୨୦୦୦ ମସିହା ଭିତରେ ରହିଛି । ପ୍ରତିଟି ସିନ୍‌ରେ ଅଭିନେତା ଏବଂ ଅଭିନେତ୍ରୀଙ୍କ ଜୀବନ୍ତ ଅଭିନୟ ସିନେପ୍ରେମୀଙ୍କୁ ବାନ୍ଧି ରଖିବାର କାମ କରୁଛି । ମୋଟାମୋଟି ଭାବେ କହିବାକୁ ଗଲେ ଏହି କେ-ଡ୍ରାମାରେ ଅନେକ ଶିକ୍ଷଣୀୟ ବାର୍ତ୍ତା ରହିଛି ଯାହା ପ୍ରତ୍ୟେକଙ୍କୁ ଦେଖିବା ଦରକାର । ଡ୍ରାମାର ୧୬ଟି ଏପିସୋଡ୍‌କୁ ଆପଣ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଦେଖିପାରିବେ ।