ମହାକାଳଙ୍କ ନଗରୀ ଉଜ୍ଜୟିନୀର ନଗର ନିଗମ ସୀମାରେ ମଦକୁ ବ୍ୟାନ୍ କରାଯାଇଛି । ଯାହାର ପ୍ରଭାବ ବିଶ୍ବ ପ୍ରସିଦ୍ଧ କାଳ ଭୈରବ ମନ୍ଦିର ଉପରେ ମଧ୍ୟ ଦେଖିବାକୁ ମିଳିଛି । ଖାସ୍ କଥା ହେଉଛି ଭଗବାନ କାଳ ଭୈରବଙ୍କୁ ଭୋଗ ସ୍ବରୂପ ମଦିରା ପାନ କରାଯାଇଥାଏ ତେଣୁ ଭକ୍ତ ବାବାଙ୍କ ପାଇଁ ମଦ ନେଇ ଯାଇଥା’ନ୍ତି । ବାବାଙ୍କୁ ମଦିରା ଭୋଗ ଲଗାଇବା ପାଇଁ ମନ୍ଦିର ବାହାରେ ୨ ଟି ମଦ ଦୋକାନ ମଧ୍ୟ ଥିଲା ଯାହାକୁ ଏବେ ବନ୍ଦ କରି ଦିଆଯାଇଛି । ଏନେଇ ଜିଲ୍ଲାପାଳ ନୀରଜ୍ କୁମାର ସିଂ କହିଛନ୍ତି, କାଳ ଭୈରବ ମନ୍ଦିରରେ ଯଦି କୌଣସି ଭକ୍ତ ବାହାରୁ ମଦିରା କିଣି ବାବାଙ୍କୁ ଚଢ଼ାଇବା ପାଇଁ ଆଣନ୍ତି ତେବେ ତାହାକୁ ଗ୍ରହଣ କରାଯିବ । କିନ୍ତୁ ମନ୍ଦିର ପରିସରରେ ମଦ ବିକ୍ରି ହେବ ନାହିଁ ।

Advertisment
Ujjain
Ujjain Photograph: (google)

ଆପଣଙ୍କୁ ଏଠାରେ କହିରଖୁଛୁ କି, ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଡ଼. ମୋହନ ଯାଦବ ଏପ୍ରିଲ୍ ୧ ତାରିଖରୁ ସୀମାରେ ମଦ ବ୍ୟାନ୍ କରିଛନ୍ତି । ଉଜ୍ଜୟିନୀର ନଗର ନିଗମ ସୀମାରେ ୧୭ ଟି ମଦ ଦୋକାନ ଏବଂ ୧୧ ଟି ବାର୍ ଥିଲା । ଯାହାକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରି ଦିଆଯାଇଛି । ନିର୍ଦ୍ଦେଶର ପାଳନ ପାଇଁ ସହରର ପ୍ରତିଟି ମଦ ଦୋକାନ ବାହାରେ ପୁଲିସର କଡ଼ା ପ୍ରହରା ଦେଖିବାକୁ ମିଳୁଛି । ଏମିତିକି ଯିବା ଆସିବା କରୁଥିବା ଗାଡ଼ିର ବି କଡ଼ାକଡ଼ି ଚେକିଂ ହେଉଛି । 

Mohan yadav
Mohan yadav Photograph: (google)

ମଦ ଦୋକାନ ବନ୍ଦ ହେବାକୁ ନେଇ ଜିଲ୍ଲା କଲେକ୍ଟର କହିଛନ୍ତି , ୧୭ଟି ମଦ ଦୋକାନରୁ ୨୬୨ କୋଟି ଟଙ୍କାର ରାଜସ୍ବ ପ୍ରାପ୍ତ ହେଉଥିଲା । ଏହି ସବୁ ଦୋକାନକୁ ଏବେ ସହର ବାହାର ଗ୍ରାମୀଣ ଅଞ୍ଚଳରେ ସିଫ୍ଟ କରାଯାଉଛି । ଯେଉଁ କାରଣରୁ ରାଜସ୍ବ ସହ ବ୍ୟବସାୟରେ ମଧ୍ୟ କୌଣସି କ୍ଷତି ହେବ ନାହିଁ । ଧାର୍ମିକ ସହର ଉଜ୍ଜୟିନୀରେ ଯେଭଳି ମଦ ବନ୍ଦ ହେବ ସେଥିପାଇଁ ପୁଲିସ୍ ପ୍ରଶାସନ ଅଣ୍ଟା ଭିଡିଛି ।  

ban
ban Photograph: (google)

ମଦ ବନ୍ଦର ଆଦେଶକୁ ଲାଗୁ କରିଥିବାରୁ ଉଜ୍ଜୟିନୀବାସୀଙ୍କ ମୁହଁରେ ହସ ଖେଳିଯାଇଛି । ଯେଉଁଠି ମଦ ଦୋକାନ ଥିଲା ତା’ ଆଖପାଖରେ ରହୁଥିବା ଲୋକ ଏହି ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି । ଲୋକଙ୍କ କହିବାନୁସାରେ ପାଖରେ ମଦ ଦୋକାନ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଅନେକ ମଦ୍ୟପ ମନ୍ଦିର ବାହାରେ ବସି ମଦ ପିଉଥିଲେ ଏହାଦ୍ବାରା ମହିଳା ଏବଂ ଯୁବତୀଙ୍କୁ ହଇରାଣ ହେବାକୁ ପଡୁଥିଲା । ଉଜ୍ଜୟିନୀ ସହରବାସୀ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।