କିଛି ଲୋକ ଫିଟନେଶ୍ ଫ୍ରିକ୍ ଥାଆନ୍ତି । ଶରୀରକୁ ସୁସ୍ଥ,ସବଳ ତଥା ମେଣ୍ଟେନ୍ ରଖିବା ପାଇଁ ନିୟମିତ ଜିମରେ କସରତ କରିବା ସହ ଖାସ୍ ଡାଏଟ୍ ମଧ୍ୟ ଫଲୋ କରନ୍ତି । କିନ୍ତୁ ଆମେରିକାରେ ଜଣେ ପୂର୍ବ ମଡେଲ୍ ରହିଛନ୍ତି ଯାହାଙ୍କ ଚମକୁଥିବା ତ୍ବଚା ଏବଂ ଫିଟନେଶର ରାଜ୍ ବିଷୟରେ ଯେ କେହିବି ଶୁଣୁଛନ୍ତି ହକ୍କାବକ୍କା ହୋଇ ରହୁଛନ୍ତି । ଆମେ କହୁଛୁ, ଆମେରିକାର ଏରିଜୋନା ସହରରେ ରହୁଥିବା ୫୯ ବର୍ଷୀୟ ପୂର୍ବ ମଡେଲ୍ ତଥା ହେଲ୍ଥ ଏକ୍ସପର୍ଟ ଟ୍ରଏ କେସିଙ୍କ ବିଷୟରେ । ଟ୍ରଏ ‘Rippedat50: A Journey to Self Love’ ନାମକ ପୁସ୍ତକ ମଧ୍ୟ ଲେଖିଛନ୍ତି । ସେ ଇଣ୍ଟରନେଟରେ ନିଜକୁ ‘ମିଷ୍ଟର୍ ହେଲ୍ଥନଟ୍’ ବୋଲି କୁହନ୍ତି । ବୟସ ବଢିଥିଲେ ବି ଯୁବକଙ୍କ ଭଳି ଫୁର୍ତ୍ତିବାନ୍ ଏବଂ ଫିଟ୍ ଦେଖାଯାଆନ୍ତି ଟ୍ରଏ କେସି ।
ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟ ଅନୁସାରେ, କେସିଙ୍କୁ ଯେତେବେଳେ ପଚରାଗଲା ଯେ ତାଙ୍କର ଚମକଦାର୍ ତ୍ବଚା ଏବଂ ଫିଟନେସର ରାଜ୍ କ’ଣ ? ସେ କହିଥିଲେ, ନିଜର ‘ପରିଶ୍ରା’ । ସେ ଗତ ୨ ଦଶନ୍ଧି ଧରି ନିଜର ପରିଶ୍ରା ପିଇ ଆସୁଛନ୍ତି । ସେ ନା କେବଳ ପରିଶ୍ରା ପିଉଛନ୍ତି ବରଂ ବଡି ଲୋସନ୍ ବୋଳିଲା ଭଳି ଦେହସାରା ବୋଳି ହେଉଛନ୍ତି । ଏଭଳି କରିବା ଦ୍ବାରା ତାଙ୍କ ତ୍ବଚା ଆହୁରି ଉଜ୍ଜ୍ବଳ ଦିଶୁଛି । କେସିଙ୍କ ମୁତାବକ, ଫିଟନେସ୍ ରହିବା ପାଇଁ ଏହା ଏକପ୍ରକାରର ପ୍ରାଚୀନ ପଦ୍ଧତୀ । ଷ୍ଟେମ୍ ସେଲ୍ସ , ଆଣ୍ଟିବଡିଜ୍ ଏବଂ ଆମିନୋ ଏସିଡ଼ର ଭଣ୍ଡାର ହେଉଛି ୟୁରିନ୍ । ଯାହା ଶରୀର ପାଇଁ ଖୁବ୍ ଲାଭଦାୟକ । ସେ କହିଛନ୍ତି , ମୁଁ ପ୍ରତିଦିନ ସକାଳୁ ସକାଳୁ ନିଜ ପରିଶ୍ରା ପିଇଥାଏ ଏବଂ ବେଳେବେଳେ ୟୁରିନ୍ ଫାଷ୍ଟ୍ ମଧ୍ୟ କରେ । ଯାହାଦ୍ବାରା ମୋ ପେଟ ମଧ୍ୟ ଫ୍ଲାଟ୍ ରହିଥାଏ ।
ତେବେ କେସିଙ୍କ ଏଭଳି ଟିପ୍ପଣୀକୁ ଖାରଜ କରିଛନ୍ତି ବୋର୍ଡ ସାର୍ଟିଫାଇଡ୍ ଇଣ୍ଟରନାଲ୍ ମେଡିସିନ୍ ଫିଜିସିୟନ୍ ଏବଂ ‘ଏଜଲେସ୍ ରିଭୋଲ୍ୟୁସନ୍’ ର ଲେଖକ ଡା. ମାଇକଲ୍ ଅଜିଜ୍ । ସେ କହିଛନ୍ତି , ୟୁରିନରେ ଷ୍ଟେମ୍ ସେଲ୍ସ କମ୍ ହୋଇଥାଏ ଏବଂ ଏନିମାରେ ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ । ଡା. ମାଇକଲ୍ ଅଜିଜ୍ ପୂର୍ବ ମଡ଼େଲଙ୍କ ପରିଶ୍ରା ଟିପ୍ସକୁ ଗ୍ରହଣ ନ କରିବା ପାଇଁ ଲୋକଙ୍କୁ କହିଛନ୍ତି କାରଣ ପରିଶ୍ରା ପିଇଲେ ସଂକ୍ରମଣ ହେବାର ଭୟ ରହିଥାଏ ।