ଆପଣ ଯଦି ସିନେପ୍ରେମୀ ତାହେଲେ କୁମ୍ଭମେଳାରେ ହଜିଯାଇଥିବା ଅନେକ କାହାଣୀକୁ ନେଇ ତିଆରି ହୋଇଥିବା ସିନେମା ଦେଖିଥିବେ । କିନ୍ତୁ ସତସତିକା କୁମ୍ଭମେଳାରେ ବୁଲୁ ବୁଲୁ ବହୁ ଦିନରୁ ଦେଖିନଥିବା କେଉଁ ପରିଚିତ ମୁହଁକୁ ଯଦି ଦେଖିବେ ତାହେଲେ ଆପଣଙ୍କ ରିଆକ୍ସନ୍ କ’ଣ ହେବ ? କିଛି କ୍ଷଣ ପାଇଁ ତାଜୁବ୍ ହୋଇଯିବେ ନହେଲେ ଖୁସିରେ ମନଟା ଝୁମିଉଠିବ । ଠିକ୍ ଏମିତି ହିଁ କିଛି ଘଟିଛି କୁମ୍ଭମେଳାରେ ଡ୍ୟୁଟିରେ ଥିବା ଜଣେ ପୁଲିସ୍ ଅଫିସରଙ୍କ କ୍ଷେତ୍ରରେ । ଡ୍ୟୁଟି କରୁଥିବା ବେଳେ ପୁଲିସକର୍ମୀ ଜଣକ ନିଜ ୩୬ ବର୍ଷ ତଳର କ୍ଲାସମେଟଙ୍କୁ ଅଚାନକ ଭେଟିଥିଲେ । ଆଉ ତାପରେ ଦୁହିଁଙ୍କ ମଧ୍ୟରେ ଯେଉଁ କଥାବାର୍ତ୍ତା ହେଲା ଏହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ସବୁଠାରୁ ମଜା କଥା ହେଉଛି ପୁଲିସକର୍ମୀ ଜଣକ ଯେତେବେଳେ କହୁଛନ୍ତି , ‘ପାଠ ପଢିଲା ବେଳେ ଏ ମ୍ୟାଡାମ୍ ଆମକୁ ଚାହୁଁ ବି ନଥିଲେ ।’
फायर ऑफिसर संजीव कुमार सिंह 1988 के बाद अपनी क्लासमेट रश्मि से प्रयागराज महाकुंभ में मिले। पूरी चर्चा सुनिए ❤️ pic.twitter.com/xZqAgb6sl3
— Sachin Gupta (@SachinGuptaUP) February 25, 2025
ପୁଲିସ୍ ଅଧିକାରୀଙ୍କ ନାଁ ସଂଜୀବ କୁମାର ବୋଲି ଜଣାପଡିଥିବା ବେଳେ ତାଙ୍କ ମହିଳା ମିତ୍ରଙ୍କ ନାଁ ରଶ୍ମି ଗୁପ୍ତା ବୋଲି ଜଣାପଡିଛି । ସଂଜୀବଙ୍କ ଡ୍ୟୁଟି ମହାକୁମ୍ଭରେ ଲାଗିଥିବା ବେଳେ ରଶ୍ମି ସଙ୍ଗମରେ ବୁଡ଼ ପକାଇବାକୁ ପ୍ରୟାଗରାଜ ଆସିଥିଲେ । ସଙ୍ଗମସ୍ଥଳରେ ଦୁହିଁଙ୍କ ଅଚାନକ ଦେଖା ହେଲା ଆଉ ତାପରେ ଢେରସାରା କଥା । ସଂଜୀବ ରଶ୍ମିଙ୍କୁ ମହାକୁମ୍ଭ ବ୍ୟବସ୍ଥା ବିଷୟରେ ପଚାରିଲେ , ଯେଉଁ ପ୍ରଶ୍ନରେ ରଶ୍ମି ବ୍ୟବସ୍ଥା ଠିକ୍ ହେବା କଥା କହିବା ସହ ସୁବିଧା କରିବା ପାଇଁ ସଂଜୀବଙ୍କୁ ଧନ୍ୟବାଦ ଦେଲେ । ଏହା ସହ ସେ ଯୁବ ସମୟକୁ ମନେ ପକାଇ କହିଲେ , ‘ସଂଜୀବ ପାଠ ପଢିଲା ସମୟରେ ବହୁତ ଚୁପଚାପ୍ ରହୁଥିଲେ ବର୍ତ୍ତମାନ ତାଙ୍କ ବ୍ୟକ୍ତିତ୍ବରେ ଅନେକ ପରିବର୍ତ୍ତନ ହୋଇଛି ।’ ଏହି କଥାରେ ମଜା ଉଡ଼ାଇ ସଂଜୀବ କହିଥିଲେ , ‘ଏବେ ତ ୫୫ ରୁ ଅଧିକ ବୟସ ହେଲାଣି ଯଦି ସ୍କୁଲ୍ ଟାଇମରେ ହିଁ ଆପଣ ଏବଂ ଅନ୍ୟ ମହିଳା ମିତ୍ର ଯଦି ଆମକୁ ଏ କଥା କହିଥାନ୍ତେ ତାହେଲେ ସେ ସମୟ ଭଲରେ କଟିଥାନ୍ତା । ସେତେବେଳେ ଏ ମ୍ୟାଡାମ୍ ଆମକୁ ଚାହୁଁ ବି ନଥିଲେ , ଆମକୁ ଭୈରବ ବାବାଙ୍କ ଭକ୍ତ ଭୂତ/ ପିଶାଚ ବୋଲି ଭାବୁଥିଲେ ବୋଧେ । ମ୍ୟାଡାମଙ୍କ ମହିଳା ଗ୍ୟାଙ୍ଗ୍ ଆମକୁ ହାଲୋ/ହାଏ ମଧ୍ୟ କହୁନଥିଲେ । ଏବେ ପ୍ରଶଂସା କରୁଛନ୍ତି । କିଛି କଥା ନାହିଁ ମୁଁ ମିଛ ପ୍ରଶଂସା ବି ସ୍ବୀକାର କରୁଛି ।’
ସଂଜୀବଙ୍କ ଏଭଳି କଥାରେ ରଶ୍ମି କହିଥିଲେ ,‘ବୟସ ସହ ପରିପକ୍ବତା ମଧ୍ୟ ଆସିଥାଏ । ଏବେ ଜଣାପଡୁଛି କ’ଣ ଭଲ , କ’ଣ ଖରାପ ।’ ଏହି କଥାରେ ସଂଜୀବ କହିଥିଲେ , ‘ଆମେ ତ ଏବେ ବି ବୋକା ଅଛୁ । କିନ୍ତୁ ମ୍ୟାଡାମ୍ ଜଣେ ଶିକ୍ଷୟିତ୍ରୀ ସେଥିପାଇଁ ପରିପକ୍ବ ଅଛନ୍ତି । ଏତେ ବର୍ଷ ପରେ ମହାକୁମ୍ଭରେ ରଶ୍ମିଙ୍କ ସହ ଦେଖାହେଲା ଏବେ ବି ସେ ଏତେ ପ୍ରେମରେ ଆମକୁ ବେଇଜ୍ଜତ କଲେ ଭଲ ଲାଗିଲା ।’ ଦୁଇ ବନ୍ଧୁଙ୍କ ଏହି କଥାବାର୍ତ୍ତାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଭିଡିଓଟିକୁ ଏଯାଏଁ ଲକ୍ଷାଧିକ ଲୋକ ଦେଖିସାରିଛନ୍ତି । ୟୁଜର୍ସଙ୍କ ଭିତରୁ କେହି କହୁଛନ୍ତି , ପୁଲିସବାବୁ ତ ନିଜ ହୃଦୟର କଥା କହିଦେଲେ । ଆଉ କେହି ଲେଖିଲେ , ଏ ମହାକୁମ୍ଭ ନିଜ ଲୋକଙ୍କୁ ଛଡ଼ାଇନାହିଁ , ମିଶାଇଦେଲା ।