ଟ୍ରେଣ୍ଡର ଦୁନିଆରେ ଯେତେବେଳେ ବି କିଛି ନୂଆ ଭାଇରାଲ୍ ହୁଏ ସୋସିଆଲ୍ ମିଡିଆ ୟୁଜରଙ୍କ ପ୍ରଥମ ପସନ୍ଦ ପାଲଟିଯାଏ । ସେ ଇନଷ୍ଟାରେ ଭାଇରାଲ୍ ହେଉଥିବା ଗୀତ ହେଉ କି କୌଣସି ଡ୍ୟାନ୍ସ ଷ୍ଟେପ୍ ସବୁକୁ ଫଲୋ କରିବାକୁ ପସନ୍ଦ କରନ୍ତି ୟୁଜର୍ସ । ଏଇ ଯେମିତି ଘିବଲି ଏଆଇ ଇମେଜ୍ ନାମକ ଏକ ନୂଆ ଟ୍ରେଣ୍ଡର ଆରମ୍ଭ ହୋଇଥିଲା । ସୋସିଆଲ୍ ମିଡିଆରେ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସଭିଏଁ ଘିବଲି ଏଆଇ ଇମେଜ୍ ମାୟାରେ ବାୟା ହେଲେ । କାର୍ଟୁନଠାରୁ ଆରମ୍ଭ କରି କମିକ୍ ପର୍ଯ୍ୟନ୍ତ ଫଟୋ ସବୁକୁ ‘କ୍ୟୁଟ୍’ କ୍ୟାପ୍ସନ୍ ଦେଇ ପୋଷ୍ଟ୍ କଲେ । ତେବେ ଏହାରି ଭିତରେ ଘିବଲି ଷ୍ଟାଇଲରେ ଫଟୋ ତିଆରି କରୁଥିବା ଏଆଇର ଏକ ନୂଆ କାରନାମା ସାମ୍ନାକୁ ଆସିଛି । ଏଆଇ ଆପ୍ ChatGPT ଏବେ ନକଲି ଆଧାର କାର୍ଡ ଏବଂ ପାନ୍ କାର୍ଡ ତିଆରି କରିବାରେ ଲାଗିପଡିଛି । ଏହି ନକଲି ଆଧାର କାର୍ଡ ଦେଖିବାକୁ ଅବିକଳ ଅସଲି ପରି । 

Advertisment
ghibli 444
ghibli 444 Photograph: (google)

କିଛି ଦିନ ପୂର୍ବରୁ ChatGPT ଘିବଲି ଷ୍ଟାଇଲ୍ ଫଟୋ ତିଆରି କରି ଲୋକଙ୍କୁ ଖୁବ୍ ମନୋରଞ୍ଜନ ଦେଲା । ଏହି ଫିଚର୍ ଆସିବା କ୍ଷଣି ସୋସିଆଲ୍ ମିଡିଆ ୟୁଜର୍ ଏହାର ଭରପୂର ଫାଇଦା ଉଠାଇଲେ । ଏମିତିକି ବିଭିନ୍ନ ପ୍ଲାଟଫର୍ମରେ ମାଳ ମାଳ ଘିବଲି ଫଟୋ ଦେଖି ୟୁଜର୍ କହିଲେ ,‘ବନ୍ଦ କର ଆଉ କେତେ ଘିବଲି ଫଟୋ ପୋଷ୍ଟ୍ କରିବ ।’ କିନ୍ତୁ ଏହି ଟ୍ରେଣ୍ଡର ମାନିଆ ଯେମିତି ଥମିବାର ନାଁ ନେଉନି । ଆଉ ଏହାରି ଭିତରେ ଠକେଇ ମାମଲା ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଘିବଲି ଫଟୋ ପାଇଁ ୟୁଜର୍ ଯେମିତି ନିଜ ଫଟୋ ସେୟାର୍ କଲେ । ଠିକ୍ ସେମିତି ଏଆଇ ମଧ୍ୟ ଏବେ ନକଲି ଆଧାର କାର୍ଡ ଏବଂ ପାନ୍ କାର୍ଡ ସେୟାର୍ କରୁଛି । ChatGPT କୁ ଅର୍ଡର ଦେଲେ ସେ କାହାର ବି ନକଲି ଆଧାର କାର୍ଡ ପ୍ରସ୍ତୁତ କରି ସେୟାର୍ କରୁଛି । 

ChatGPT ଯେମିତି ନିଜ ଇମେଜ୍ ଜେନେରେଟରକୁ ସାମ୍ନାକୁ ଆଣିଲା ଲୋକ ମେଣ୍ଢାଶାଳରେ ମେଣ୍ଢା ପଶିଲା ପରି ଗୋଟିଏ ପରେ ଗୋଟିଏ ଘିବଲି ଫଟୋ ତିଆରି କଲେ । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ସପ୍ତାହେ ଭିତରେ ୭୦୦ ମିଲିୟନ୍ ଘିବଲି ଫଟୋ ଏଆଇ ଇମେଜ୍ ଜରିଆରେ ଜେନେରେଟ୍ କରାଯାଇଛି । କିନ୍ତୁ ମୁଣ୍ଡବ୍ୟଥାର କଥା ହେଉଛି ଏହି ଫଟୋରୁ କିଛି ଏବେ ନକଲି ଆଧାର କାର୍ଡ ହୋଇ ସାମ୍ନାକୁ ଆସିଛି । ସୋସିଆଲ୍ ମିଡିଆରେ ୟୁଜର୍ସ ନିଜ ଅସଲି ଏବଂ ନକଲି ଆଧାର କାର୍ଡ ସହ ଫଟୋ ସେୟାର୍ କରିଛନ୍ତି । ChatGPT ର ସାହାଯ୍ୟରେ ୟୁଜର୍ସ ଆଧାର କାର୍ଡ ସହ ପାନ୍ କାର୍ଡ ମଧ୍ୟ ତିଆରି କରୁଛନ୍ତି । ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ୟୁଜର୍ ଏଆଇ ଜରିଆରେ ପାନ୍ କାର୍ଡ ଏବଂ ଆଧାର କାର୍ଡର ଫଟୋ ତିଆରି କରି ପୋଷ୍ଟ୍ କରୁଛନ୍ତି ଏବଂ ଲେଖୁଛନ୍ତି ଏଆଇ ତୁରନ୍ତ ପାନ୍ ଏବଂ ଆଧାର କାର୍ଡ ପ୍ରସ୍ତୁତ କରିଦେଉଛି । ଏହା ଭବିଷ୍ୟତ ପାଇଁ ବଡ଼ ବିପଦ ହୋଇ ଆସିବନି ତ ?