କନକ ବ୍ୟୁରୋ : ଭାରତୀୟ ଖାଦ୍ୟରେ ପିଆଜର ବହୁଳ ବ୍ୟବହାର ହୋଇଥାଏ । ଏମିତିକି ପିଆଜର ପେଣ୍ଠସ୍ଥଳୀ ବୋଲି ମଧ୍ୟ ମହାରାଷ୍ଟ୍ରର ନାସିକକୁ କୁହାଯାଏ । ତେବେ ଖାଲି ଖାଦ୍ୟର ସ୍ୱାଦ ବଢ଼ାଏ ନାହିଁ ପିଆଜ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଖୁବ ଲାଭଦାୟକ । ଆୟୁର୍ବେଦ ଅନୁସାରେ ପିଆଜ ଔଷଧୀୟ ଗୁଣରେ ଭରପୂର ଏବଂ ଏହାକୁ ଖାଇବା ଦ୍ୱାରା ଶରୀରକୁ ଅଗଣିତ ଲାଭ ମିଳିଥାଏ । ବଜାରରେ ଦେଶୀ ପିଆଜ ଏବଂ ଲାଲ ପିଆଜ ବହୁଳ ଭାବରେ ବିକ୍ରି ହୁଏ । ଦେଶୀ ପିଆଜ ହାଲୁକା ରଙ୍ଗର ହୋଇଥିବା ବେଳେ ଲାଲ ପିଆଜ ଗାଢ଼ ରଙ୍ଗର ହୋଇଥାଏ । ଉଭୟ ପିଆଜ ଖାଦ୍ୟରେ ବ୍ୟବହାର ହୋଇଥାଏ । କିଛି ଲୋକ ଦେଶୀ ପିଆଜକୁ ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ବୋଲି ଭାବୁଥିବା ବେଳେ ଅନ୍ୟ କିଛି ଖାଉଟି ନାଲି ପିଆଜକୁ ଅଧିକ ଲାଭଦାୟକ ବୋଲି ମାନନ୍ତି । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଏହି ଦୁଇଟି ପିଆଜ ମଧ୍ୟରୁ କେଉଁଟି ସ୍ୱାସ୍ଥ୍ୟ ପାଇଁ ପ୍ରକୃତରେ ଭଲ?

Advertisment
onion
onion Photograph: (Google)

ତେବେ ପିଆଜରେ ଥିବା ପ୍ରାକୃତିକ କ୍ୱେରସେଟିନ୍, ଫ୍ଲାଭୋନଏଡ୍ସ ଏବଂ ଫେନୋଲିକ୍ ଏସିଡ୍ ଶରୀରର ଆଭ୍ୟନ୍ତରକୁ ସଫା ରଖେ । ଥକ୍କାପଣ, ପାଚନ ସମସ୍ୟା ଏବଂ ପୁରୁଣା ଯନ୍ତ୍ରଣାକୁ କମାଇଥାଏ ପିଆଜ । ଅନେକ ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛି ଯେ ପିଆଜ ଅକ୍ସିଡେଟିଭ୍ ଚାପକୁ ହ୍ରାସ କରିବାରେ ସାହାଯ୍ୟ କରେ । ଦେଶୀ ଏବଂ ନାଲି ପିଆଜ ଉଭୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଯଦି ଏହାକୁ ଠିକ୍ ଉପାୟରେ ସେବନ କରାଯାଏ । ତେବେ ଦେଶୀ ପିଆଜ ଆକାରରେ ଛୋଟ, ରଙ୍ଗରେ ଗୋଲାପୀ ଏବଂ ତୀବ୍ର ଗନ୍ଧର ହୋଇଥାଏ । ଏଥିରେ ସଲଫର, କ୍ୱେର୍ସେଟିନ୍ ଏବଂ ଆନ୍ଥୋସାୟାନିନ୍ ପ୍ରଚୁର ପରିମାଣରେ ଥାଏ, ଯାହା ଏହାର ତୀବ୍ର ଗନ୍ଧ ଏବଂ ଔଷଧୀୟ ଗୁଣର ସଂକେତ ଦେଇଥାଏ । ଦେଶୀ ପିଆଜ ଆଭ୍ୟନ୍ତରର ଯନ୍ତ୍ରଣା କମାଇବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ମଜବୁତ କରେ ଏବଂ ଶରୀରର ପ୍ରାକୃତିକ ଡିଟକ୍ସ ପ୍ରକ୍ରିୟାକୁ ସପୋର୍ଟ କରିବାରେ ସାହାଯ୍ୟ କରେ । ଆୟୁର୍ବେଦରେ ଦେଶୀ ପିଆଜକୁ କାଶ ପାଇଁ ଏକ ଘରୋଇ ଉପଚାର ଭାବରେ ମଧ୍ୟ ବ୍ୟବହାର କରାଯାଏ । ଦେଶୀ ପିଆଜ ରସ ଏବଂ ମହୁ ମିଶାଇ ପିଇବା ଦ୍ୱାରା କାଶରୁ ମୁକ୍ତି ମିଳିଥାଏ ।

ନାଲି ପିଆଜ କଥା ଯଦି କହିବା ଏହା ଆକାରରେ ବଡ଼ ଏବଂ ଏହାର ସ୍ୱାଦ ସାମାନ୍ୟ ମିଠା । ଏହି ପିଆଜର ବେଷ୍ଟ୍ କ୍ବାଲିଟି ହେଉଛି ଏହାକୁ କଞ୍ଚା ଖାଇବା ଦ୍ୱାରା ଶରୀରକୁ ଅଧିକ ଲାଭ ମିଳିଥାଏ । କଞ୍ଚା ନାଲି ପିଆଜ ଆଣ୍ଟିଅକ୍ସିଡାଣ୍ଟ ବଜାୟ ରଖେ । ଏହି ପିଆଜରେ କ୍ୱେରସେଟିନ୍ ଏବଂ ଆନ୍ଥୋସାୟାନିନ୍ ମଧ୍ୟ ଭରପୂର, ଯାହା ଯନ୍ତ୍ରଣାକୁ କମ୍ କରେ ଏବଂ ଏହା ହୃଦୟ ପାଇଁ ମଧ୍ୟ ବହୁତ ଲାଭଦାୟକ । ନାଲି ପିଆଜକୁ ରାଇତା, ସାଲାଡ କିମ୍ବା ଚଟଣିରେ ମିଶାଇ ଖାଇହେବ । ତେବେ ଯଦି ଆପଣ ଭାବୁଛନ୍ତି ଯେ ଖାଦ୍ୟରେ ଦେଶୀ ପିଆଜ ବାଛିବା ଉଚିତ କି ନାଲି, ତେବେ ଏହାର ଉତ୍ତର ହେଉଛି ଉଭୟ । ଉଭୟର ସନ୍ତୁଳିତ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଦେଶୀ ପିଆଜ ରୋଗ ପ୍ରତିରୋଧକ ଶକ୍ତି ପାଇଁ ଭଲ ଥିବା ବେଳେ ନାଲି ପିଆଜ ହଜମ ପ୍ରକ୍ରିୟାକୁ ଉନ୍ନତ କରେ ।