କନକ ବ୍ୟୁରୋ : ଧାଁ ଦଉଡ଼ ଜୀବନ ଭିତରେ ଲୋକଙ୍କ ପାଖରେ ସମୟର ଭାରି ଅଭାବ । ତେଣୁ ସମୟ ବଞ୍ଚାଇବା ପାଇଁ ସର୍ଟକଟ୍ ବାଟକୁ ଆପଣାଇଲେ ଲୋକ । ଆଉ ସମସ୍ତେ ଜାଣନ୍ତି ଯେ ସର୍ଟକଟ୍ ବାଟ ସିନା ଦେଖିବାକୁ ସୁନ୍ଦର ହେଲେ ଆଗକୁ କେତେ ବିପଦ ଆଣିଦେବ ତାହା କିଏ ଜାଣେ । ଏହି ସର୍ଟକଟ୍ ବାଟରୁ ଅନେକ ଖାଦ୍ୟ ପଦାର୍ଥର ଆବିଷ୍କାର ମଧ୍ୟ ହେଲା ଯେମିତିକି ଫାଷ୍ଟ୍ ଫୁଡ୍ , ୨ ମିନିଟରେ ତିଆରି ହେଉଥିବା ନୁଡଲ୍ସ ଆଉ ଖାଦ୍ୟ ତିଆରି କରିବାକୁ ଇଚ୍ଛା ନହେଲେ ମୋବାଇଲରୁ ଫୁଡ୍ ଅର୍ଡର । କିଛି ଟଙ୍କା ଦେଇଦେଲେ ଘରକୁ ଡେଲିଭରି ବୟ ଆସି ଖାଦ୍ୟ ପୁଡ଼ିଆ ଦେଇ ଚାଲିଯିବେ । ପଲିଥିନ୍ ଭିତରେ ଗୋଟିଏ କଳାଡ଼ବାରେ ସୁଆଦିଆ ଗରମ ଗରମ ଖାଦ୍ୟ ବାହାର କରି ଆମେ ବଡ଼ ମଜାରେ ଖାଇଥାଉ । କିନ୍ତୁ ଆପଣ କ’ଣ ଜାଣିଛନ୍ତି କି ଆପଣ ଖାଦ୍ୟ ନୁହେଁ ଜହର ଖାଉଛନ୍ତି ? ଆଜ୍ଞା ହଁ , ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସମ୍ପୂର୍ଣ୍ଣ ରୂପେ ସତ । 

Advertisment

ସାଧାରଣତଃ ଖାଦ୍ୟ ପ୍ୟାକେଜିଂ ପାଇଁ ବ୍ୟବହୃତ ପ୍ଲାଷ୍ଟିକ୍ ବାକ୍ସଗୁଡ଼ିକ ପ୍ଲାଷ୍ଟିକ୍ ରେଜିନ୍‌ରେ କାର୍ବନ କଳା ରଙ୍ଗ ମିଶ୍ରଣ କରି ତିଆରି କରାଯାଏ । ଏହି ରଙ୍ଗ ପ୍ଲାଷ୍ଟିକକୁ କଳା ରଙ୍ଗ ଦେଇଥାଏ । ତେଣୁ ଯେତେବେଳେ ଆମେ ଏହି ପାତ୍ରରେ ଖାଦ୍ୟ ଖାଉ, ସେତେବେଳେ ଏଥିରେ ଥିବା କିଛି ରାସାୟନିକ ପଦାର୍ଥ ଖାଦ୍ୟ ସହିତ ମିଶିଯାଏ ଏବଂ ଶରୀରରେ ପ୍ରବେଶ କରେ , ଯାହା ପରେ କ୍ଷତିକାରକ ହୋଇଥାଏ । ଏହି ପ୍ଲାଷ୍ଟିକ୍ ଡବା ରେ ଅତ୍ୟଧିକ ଗରମ ଖାଦ୍ୟ ସଂରକ୍ଷଣ କରିବା କିମ୍ବା ମାଇକ୍ରୋୱେଭ୍‌ରେ ଗରମ କରିବା ଦ୍ୱାରା କର୍କଟ ରୋଗ ହେବାର ଆଶଙ୍କା ବଢ଼ିଯାଏ ।
 
ଏକ ଗବେଷଣାରୁ ଜଣାପଡ଼ିଛି ଯେ କଳା ପ୍ଲାଷ୍ଟିକରେ ଥିବା କାର୍ବନର କଳାରଙ୍ଗ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । କାର୍ବନ କଳା ପ୍ଲାଷ୍ଟିକରେ ଥିବା ପଲିସାଇକ୍ଲିକ୍ ଆରୋମାଟିକ୍ ହାଇଡ୍ରୋକାର୍ବନକୁ ଇଣ୍ଟରନ୍ୟାସନାଲ୍ ଏଜେନ୍ସି ଫର୍ ରିସର୍ଚ୍ଚ ଅନ୍ କ୍ୟାନସର ଦ୍ୱାରା କର୍କଟ ରୋଗ ସୃଷ୍ଟିକାରୀ ବୋଲି କୁହାଯାଇଛି, ଯାହା କର୍କଟ ରୋଗର ବିପଦ ସୃଷ୍ଟି କରେ । କେବଳ ଏତିକି ନୁହେଁ ଏହା ଶ୍ୱାସକ୍ରିୟା ସମସ୍ୟା ମଧ୍ୟ ସୃଷ୍ଟି କରିପାରେ । ଯଦି ଆପଣ ମଧ୍ୟ ସେହି ଲୋକମାନଙ୍କ ମଧ୍ୟରୁ ଜଣେ ଯେଉଁମାନେ ପ୍ରାୟତଃ ଏହି କଳାଡ଼ବାରେ ଖାଦ୍ୟ ଖାଆନ୍ତି, ତେବେ ଆଜି ହିଁ ଏହି ଅଭ୍ୟାସକୁ ପରିବର୍ତ୍ତନ କରନ୍ତୁ ।
 
କଳା ପ୍ଲାଷ୍ଟିକରେ ଅନେକ କ୍ଷତିକାରକ ରାସାୟନିକ ପଦାର୍ଥ ଥାଏ । ଏହି ବିପଦପୂର୍ଣ୍ଣ ରାସାୟନିକ ପଦାର୍ଥ ମଧ୍ୟରୁ ଗୋଟିଏ ହେଉଛି "ଏଣ୍ଡୋକ୍ରାଇନ୍ ଡିସପ୍ରେଟିଂ" ଯାହା ମଣିଷ ଶରୀର ପାଇଁ ବିଷ ସଦୃଶ । କାରଣ ଏହା ଆମ ଶରୀରରେ ପ୍ରବେଶ କରି ହରମୋନ୍ ସନ୍ତୁଳନକୁ ବ୍ୟାଘାତ କରେ , ହରମୋନକୁ ଖରାପ କରିଥାଏ । ତେଣୁ ଦୀର୍ଘ ସମୟ ଧରି ଏହାକୁ ବ୍ୟବହାର କଲେ ଏଥିରେ ଥିବା ରାସାୟନିକ ପଦାର୍ଥ କର୍କଟ ରୋଗ ସୃଷ୍ଟି କରିପାରେ । 
ବ୍ୟୁରୋ ରିପୋର୍ଟ : କନକ ଡିଜିଟାଲ୍