କନକ ବ୍ୟୁରୋ : ବର୍ତ୍ତମାନ ସମୟରେ ଖାଦ୍ୟ ନାଁରେ ଆମେ ପ୍ରତିଦିନ ସ୍ଲୋ ପଏଜନ୍ ଖାଉଛେ । ଶୁଣିବାକୁ ଅଜବ ଲାଗୁଥିଲେ ବି ଏହି ଅପ୍ରିୟ ସତକୁ ମାନିବାକୁ ହିଁ ପଡ଼ିବ । ପରିବାଠାରୁ ଆରମ୍ଭ କରି ପ୍ରୋସେସ୍ଡ ଫୁଡ୍ ପର୍ଯ୍ୟନ୍ତ ସବୁଥିରେ ଭେଜାଲର ଯେମିତି ଏକ ପରସ୍ତ ପଡ଼ିଛି । ଆଜିର ସମୟରେ ଡାକ୍ତର ମଧ୍ୟ ଘରୋଇ ଖାଦ୍ୟ , ଜୈବିକ ପ୍ରକ୍ରିୟାରେ ଉତ୍ପାଦନ ପରିବା ଖାଇବାକୁ ପରାମର୍ଶ ଦେଇଥା’ନ୍ତି । ଏହିକ୍ରମରେ ଡାକ୍ତର ଚିନିଯୁକ୍ତ ପାନୀୟଠାରୁ ଦୂରେଇ ରହିବାକୁ ମଧ୍ୟ ସତର୍କ କରାଇଥା’ନ୍ତି । କିନ୍ତୁ ଆମେ ପ୍ରତିଦିନ କେତେ ଯେ ଚିନିଯୁକ୍ତ ପାନୀୟ ପିଉଛେ ତାହାର ଠିକଣା ନାହିଁ । ଯାହାର ଏକ ବଡ଼ ଉଦାହରଣ ହେଉଛି ORS । ଆଜ୍ଞା ହଁ ଆପଣ ଦୋକାନରୁ ଯେଉଁ ଫ୍ଲେବରଯୁକ୍ତ ORS ପିଉଛନ୍ତି ତାହା ଅସଲରେ ORS ହିଁ ନୁହେଁ । ଯାହାକୁ ପ୍ରମାଣିତ କରିବାକୁ ଯାଇ ହାଇଦ୍ରାବାଦର ଜଣେ ଶିଶୁରୋଗ ବିଶେଷଜ୍ଞ ଏକ ଦୀର୍ଘ ଦିନର ଲଢ଼େଇ ଲଢ଼ିଥିଲେ ।  ଫଳସ୍ବରୁପ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ (FSSAI) ଏକ ନିର୍ଦ୍ଦେଶ ଜାରି କରିଛି ଯେ କୌଣସି ଖାଦ୍ୟ ବ୍ରାଣ୍ଡ ଏହାର ଉତ୍ପାଦ ଉପରେ ‘ଓରାଲ୍ ରିହାଇଡ୍ରେସନ୍ ସଲ୍ଟ’ କିମ୍ବା ‘ORS’ ଶବ୍ଦ ବ୍ୟବହାର କରିପାରିବ ନାହିଁ । ଯେପର୍ଯ୍ୟନ୍ତ ଏହାର ଫର୍ମୁଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ସୁପାରିଶ କରାଯାଇଥିବା ମାନକକୁ କଠୋର ଭାବରେ ପାଳନ ନକରେ ।

Advertisment

ଅକ୍ଟୋବର ୧୪ ରେ ଜାରି କରାଯାଇଥିବା ଏହି ନିର୍ଦ୍ଦେଶନାମା ଅନୁଯାୟୀ, ବ୍ରାଣ୍ଡ ନାମ ସହିତ ‘ORS’ ବ୍ୟବହାର କରିବା ପାଇଁ ଖାଦ୍ୟ ବ୍ୟବସାୟୀ (FBO) ମାନଙ୍କୁ ପୂର୍ବରୁ ଦିଆଯାଇଥିବା ସମସ୍ତ ଅନୁମତିକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ପଡ଼ିବ । ଯଦି ଲେବଲରେ ଏକ ଡିସକ୍ଲେମର ଅନ୍ତର୍ଭୁକ୍ତ ଥାଏ ଯେ “ଉତ୍ପାଦଟି WHO ଦ୍ୱାରା ସୁପାରିଶ କରାଯାଇଥିବା ORS ଫର୍ମୁଲା ନୁହେଁ ।” ନିୟାମକ କହିଛନ୍ତି ଯେ ଏପରି ଲେବଲିଂ ‘ମିଥ୍ୟା, ପ୍ରତାରଣାପୂର୍ଣ୍ଣ, ଅସ୍ପଷ୍ଟ, ଏବଂ ତ୍ରୁଟିପୂର୍ଣ୍ଣ ନାମ କିମ୍ବା ଲେବଲ୍ ଘୋଷଣା ଦ୍ୱାରା ଗ୍ରାହକମାନଙ୍କୁ ଭ୍ରମିତ କରେ ଏବଂ ଅଧିନିୟମ ଅଧୀନରେ ଥିବା ଅନେକ ବ୍ୟବସ୍ଥାକୁ ଉଲ୍ଲଂଘନ କରେ ।

ତେବେ ଏନେଇ ଶିଶୁରୋଗ ବିଶେଷଜ୍ଞ ଶିବରଞ୍ଜନୀ ସନ୍ତୋଷଙ୍କ ଅହରହ ପ୍ରୟାସ ଶେଷରେ ସଫଳ ହୋଇଛି । ଯିଏ ପ୍ରାୟ ୧୦ ବର୍ଷ ପୂର୍ବରୁ ପ୍ରତାରଣାପୂର୍ଣ୍ଣ ମାର୍କେଟିଂ ପ୍ରଣାଳୀ ଉପରେ ପ୍ରଶ୍ନ କରିବା ଆରମ୍ଭ କରିଥିଲେ । ୨୦୨୨ ରେ ସେ ତେଲେଙ୍ଗାନା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରିଥିଲେ, ଯେଉଁଥିରେ ORS ମିଛ ବିଜ୍ଞାପିତ ପାନୀୟ ବିକ୍ରିକୁ ଚ୍ୟାଲେଞ୍ଜ କରାଯାଇଥିଲା ଯାହା WHO ଦ୍ବାରା ଆଦୃତ ଇଲେକ୍ଟ୍ରୋଲାଇଟ୍ ଏବଂ ଗ୍ଲୁକୋଜର ମାନକୁ ପୂରଣ କରୁନଥିଲା । WHO ୨୪୫ mOsm/L ର ମୋଟ ଓସମୋଲାରିଟି ସହିତ ଏକ ମାନକ ORS ନିର୍ଦ୍ଧାରଣ କରେ । ଏହି ରଚନାରେ ପ୍ରତି ଲିଟର ପାଣିରେ ୨.୬ ଗ୍ରାମ୍ ସୋଡିୟମ୍ କ୍ଲୋରାଇଡ୍, ୧.୫ ଗ୍ରାମ୍ ପୋଟାସିୟମ୍ କ୍ଲୋରାଇଡ୍, ୨.୯ ଗ୍ରାମ୍ ସୋଡିୟମ୍ ସାଇଟ୍ରେଟ୍, ଏବଂ ୧୩.୫ ଗ୍ରାମ୍ ଡେକ୍ସଟ୍ରୋଜ୍ ଆନ୍ହାଇଡ୍ରସ୍ (ଚିନି) ଅନ୍ତର୍ଭୁକ୍ତ । ଯଦି ଫାର୍ମାସ୍ୟୁଟିକାଲ୍ କମ୍ପାନୀ କଥା କହିବା ଏହାଦ୍ୱାରା ବିକ୍ରି ହେଉଥିବା ORS ରେ ଅଧିକ ଚିନି ଥାଏ । ତେବେ ଦୀର୍ଘ ୮ ବର୍ଷରେ ଲଢ଼େଇରେ ଏବେ କେବଳ ଏହି ମହିଳା ଡାକ୍ତର ନୁହଁନ୍ତି ପୂରା ଭାରତର ବିଜୟ ହୋଇଛି । ଡାକ୍ତର ଏହି ସତ୍ୟର ଲଢ଼େଇରେ ତାଙ୍କ ସହ ଥିବା ପ୍ରତିଟି ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଦେବା ସହ ଭାବବିହ୍ବଳ ମଧ୍ୟ ହୋଇଥିଲେ  ।