କନକ ବ୍ୟୁରୋ : ପିଲାବେଳେ ପାଠ ବହିରେ ପଢି ଆସୁଥିଲେ ‘ତଟକା ପରିବା ଖାଇବା ନିରୋଗ ଆମେ ରହିବା ।’ ସବୁଜ ତଟକା ପରିବା ସ୍ବାସ୍ଥ୍ୟ ପାଇଁ ଭାରି ଭଲ । ଭିଟାମିନରେ ଭରପୂର ପରିବା ଖାଇବା ପାଇଁ ଡ଼ାକ୍ତର ମଧ୍ୟ ପରାମର୍ଶ ଦେଇଥା’ନ୍ତି । ପ୍ରତିଟି ପରିବା ଦେହ ପାଇଁ ମହୌଷଧୀ ଭଳି କାମ କରିଥା’ନ୍ତି । ପରିବା ଭିତରେ ସଜନା ଛୁଇଁକୁ ଅଧିକ ପ୍ରାଧାନ୍ୟ ଦିଆଯାଏ । ସଜନା ଶାଗ ମଧ୍ୟ ଔଷଧୀୟ ଗୁଣରେ ଭରପୁର । ମୋରିଙ୍ଗା ପାଉଡର୍ କୁହାଯାଉଥିବା ସଜନା ଶାଗର ଗୁଣ୍ଡ ରୋଗୀମାନଙ୍କୁ ଖାଇବାକୁ ଦିଆଯାଏ । ଏହାର ବ୍ୟବହାର ଅନେକ ଔଷଧରେ ମଧ୍ୟ ହୋଇଥାଏ । କ୍ୟାଲସିୟମରେ ଭରପୂର ସଜନା ଛୁଇଁ ଛୋଟପିଲା ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଲାଭଦାୟକ ହୋଇଥାଏ । ଏହାଦ୍ବାରା ହାଡ଼କୁ ମଜବୁତ ରଖେ । ଆୟୁର୍ବେଦର ଛାତ୍ର ଦର୍ଶନ ପଟେଲ୍ କୁହନ୍ତି ସଜନା ଛୁଇଁକୁ ଆୟୁର୍ବେଦରେ ‘ଶିଗରୁ’ ବୋଲି କୁହାଯାଏ । ସଜନା ଶାଗର ପତ୍ରରେ ମିନେରାଲ୍ସର ଗୁଣ ରହିଥାଏ ଏବଂ ଏହାର ଫୁଲ ମଧ୍ୟ ଶରୀର ପାଇଁ ଭାରି ଭଲ । ଏହାର ମଞ୍ଜି ଏବଂ ପତ୍ର ଭିଟାମିନ୍ ଏବଂ ମିଲେରାଲ୍ସରେ ଭରପୂର ଥାଏ । ଏଥିରେ ଭିଟାମିନ୍ A, ଭିଟାମିନ୍ C , ନିକୋଟେନିକ୍ ଏସିଡ୍ ଏବଂ ଏମିନୋ ଏସିଡ୍ ମଧ୍ୟ ମିଳିଥାଏ । ପୋଷକ ତତ୍ତ୍ବ ଏବଂ ଖଣିଜ ପଦର୍ଥର ଗନ୍ତାଘର ହୋଇଥିବାରୁ ଏହାକୁ ସ୍ବାସ୍ଥ୍ୟର ଗହଣା ବୋଲି ମଧ୍ୟ କୁହାଯାଏ । 

Advertisment

ସଜନା ଛୁଇଁରେ କ୍ୟାଲସିୟମ୍ , ମ୍ୟାଗ୍ନେସିୟମ୍ ଏବଂ ଆଇରନ୍ ଭଳି ତତ୍ତ୍ବ ରହିଥାଏ ଯାହା ହାଡ଼କୁ ମଜବୁତ କରିବାରେ ସାହାଯ୍ୟ କରେ । ଏହାଛଡ଼ା ଏଥିରୁ ମିଳୁଥିବା ଭିଟାମିନ୍ ସି ଇମ୍ୟୁନିଟି ସିଷ୍ଟମକୁ ମଧ୍ୟ ମଜବୁତ କରେ । ସଜନା ଛୁଇଁରେ ଆଣ୍ଟିଅକ୍ସିଡେଣ୍ଟ୍,ଆଣ୍ଟି-ଇନଫ୍ଲିମେଟରୀ ଏବଂ ଏକ୍ସପେକ୍ଟୋରେଣ୍ଟ୍ ଗୁଣ ମିଳିଥାଏ ଯାହା ଡାଏବେଟିସ୍,କାଶ,କୋଲେଷ୍ଟ୍ରୋଲ୍ ଏବଂ ଥାଇରଏଡ୍ ଭଳି ସମସ୍ୟାକୁ ନାଶ କରିବାର ସାମର୍ଥ୍ୟ ରଖେ । ଆୟୁର୍ବେଦ ଅନୁସାରେ ସଜନା ଛୁଇଁ ଚକ୍ଷୁରୋଗ , ତ୍ବଚା ରୋଗ ପାଇଁ ମଧ୍ୟ ଖୁବ୍ ଲାଭଦାୟକ ହୋଇଥାଏ । ଏହାର ପତ୍ର ଏବଂ ମୂଳକୁ କ୍ୟାନ୍ସର ଭଳି ମାରାତ୍ମକ ରୋଗର ଉପସମ ପାଇଁ ମଧ୍ୟ ବ୍ୟବହାର କରାଯାଏ । ଖାସ୍ କରି ଓଭାରିଆନ୍ କ୍ୟାନ୍ସରରେ ଏହାର ଭଲ ପରିଣାମ ଦେଖିବାକୁ ମିଳେ । ସଜନା ଛୁଇଁ ବା ଶାଗର ସୁପ୍ ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରେ ।