ବାଂଲାଦେଶର ଦିନାଜପୁରର ଗୋଟିଏ ପୋଖରୀ ଭିତରୁ ମିଳିଛି ଭଗବାନ ବିଷ୍ଣୁଙ୍କ ପ୍ରତିମା । ମାଟି ଭିତରୁ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ବାହାରିବାକୁ ନେଇ ସାରା ଅଞ୍ଚଳରେ ଚର୍ଚ୍ଚା ଖେଳିଯାଇଛି । ତେବେ ଏ ଘଟଣା ପ୍ରଥମଥର ନୁହଁ ଯେଉଁଠି ମାଟି ତଳୁ ପ୍ରଭୁ ନାରାୟଣଙ୍କର ମୂର୍ତ୍ତି ମିଳିଛି । ଗତ ୪ ବର୍ଷ ଭିତରେ ଦେଶର ଚାରୋଟି ଭିନ୍ନ ଭିନ୍ନ ସ୍ଥାନରେ ଭଗବାନଙ୍କ ପ୍ରତିମା ମିଳିବାର ଖବର ସାମ୍ନାକୁ ଆସିଛି ।
/kanak/media/media_files/2025/04/08/QNcjHEqFsj1XhLHvRnyr.jpg)
ବାଂଲାଦେଶ ଖବରକାଗଜ ଓଲୋ ମୁତାବକ , ଦିନାଜପୁର ନବାବଗଞ୍ଜର ଏକ ପୋଖରୀ ଖୋଳା ଚାଲିଥିବା ସମୟରେ ମାଟି ଭିତରୁ ୨୯ ଇଞ୍ଚ୍ ଲମ୍ବ ଏବଂ ୧୩ ଇଞ୍ଚ୍ ଚଉଡ଼ାର ଭଗବାନ ବିଷ୍ଣୁଙ୍କ ପ୍ରତିମା ବାହାରିଛି । ମୂର୍ତ୍ତି ବାହାରିବା କ୍ଷଣି ଆଖପାଖରେ ଲୋକଙ୍କ ଗହଳି ଜମିଥିଲା । ରିପୋର୍ଟ ମୁତାବକ , ୨୭ କିଲୋ ଓଜନର ଏହି ମୂର୍ତ୍ତିରେ ଭଗବାନ ବିଷ୍ଣୁ ଏବଂ ମା’ ଲକ୍ଷ୍ମୀଙ୍କ ମୁଖ ରହିଛି । ରୋଚକ କଥା ହେଉଛି ପୋଖରୀ ଖୋଳିବା ପାଇଁ ଜେସିବିର ସାହାଯ୍ୟ ନିଆଯାଇଥିଲା । କିନ୍ତୁ ଜେସିବି ମେସିନ୍ ମୂର୍ତ୍ତିର କୌଣସି ଅଂଶକୁ କ୍ଷତି ପହଞ୍ଚାଇ ପାରିନାହିଁ । ସ୍ଥାନୀୟ ପୁଲିସ୍ ମୂର୍ତ୍ତି ସବୁକୁ ରକ୍ଷଣାଗାରକୁ ପଠାଇ ଦେଇଛି । ପୁରାତତ୍ତ୍ବ ବିଭାଗ ଏହାର ଯାଞ୍ଚ୍ କରି ସୂଚନା ଦେବେ ଯେ ଏହି ମୂର୍ତ୍ତି କେତେ ଶତାବ୍ଦୀର ।
/kanak/media/media_files/2025/04/08/Bpn1bTOFtLCDWaPJ1zSp.jpg)
ଏହାପୂର୍ବରୁ ୨୦୨୩ ରେ ବାଂଲାଦେଶର ଫରିଦପୁରରେ ୩୨ କିଲୋ ଓଜନର ଏକ ମୂର୍ତ୍ତି ମିଳିଥିଲା । ୨୦୨୧ ଅଗଷ୍ଟ ମାସରେ ୧୦୦୦ ବର୍ଷ ପୁରୁଣା ଭଗବାନ ନାରାୟଣଙ୍କ ମୂର୍ତ୍ତି ମିଳିଥିଲା । ବର୍ତ୍ତମାନ ଯେଉଁଠୁ ମୂର୍ତ୍ତିଟି ମିଳିଛି ସେଠାରେ ପୂର୍ବରୁ ରାଜମହଲ ଥିବା କଥା କୁହାଯାଉଛି । ଶତାବ୍ଦୀ ପୂର୍ବରୁ ଏଠାରେ ହିନ୍ଦୁ ଧର୍ମର ରାଜା ଶାସନ କରୁଥିବାର ପ୍ରମାଣ ମିଳେ ଯେ ପ୍ରଭୁ ନାରାୟଣଙ୍କ ଉପାସକ ଥିଲେ । ୧୯୪୭ ପୂର୍ବରୁ ବାଂଲାଦେଶ ଭାରତର ଅଂଶ ଥିଲା । ୧୯୪୭-୭୧ ପର୍ଯ୍ୟନ୍ତ ପାକିସ୍ତାନ ଅଧିନରେ ଚାଲି ଆସିଥିଲା ବାଂଲାଦେଶ ଏବଂ ୧୯୭୧ ରେ ବାଂଲାଦେଶ ସ୍ବତନ୍ତ୍ର ରାଷ୍ଟ୍ର ରୂପେ ମାନ୍ୟତା ପାଇଥିଲା । ପ୍ରଥମେ ସେଠାରେ ବଙ୍ଗାଳୀ ହିନ୍ଦୁ ପରିବାର ବସବାସ କରୁଥିଲେ ଯେଉଁମାନେ ଭଗବାନ ବିଷ୍ଣୁଙ୍କୁ ପୂଜା କରୁଥିଲେ । ଦେଶରୁ ବଙ୍ଗାଳୀ ହିନ୍ଦୁଙ୍କ ସଂଖ୍ୟା କମିବା ସଙ୍ଗେ ସଙ୍ଗେ ଭଗବାନଙ୍କ ମୂର୍ତ୍ତି ମଧ୍ୟ ମାଟି ଭିତରେ ମିଶିଗଲା । ବର୍ତ୍ତମାନ ମାଟି ଖୋଳିଲେ ମିଳୁଛି ପ୍ରଭୁଙ୍କ ମୂର୍ତ୍ତି ।