ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ 'କେଶରୀ-୨' ଗତ ଏପ୍ରିଲ ୧୮ ତାରିଖ ଗୁଡ୍‌ ଫ୍ରାଇଡେ' ଅବସରରେ ରିଲିଜ୍‌ ହୋଇଯାଇଛି । ଏହି ଫିଲ୍ମକୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି । ସାର୍‌ ଶଙ୍କରନ୍‌ ନାୟର ଚରିତ୍ର ଦର୍ଶକଙ୍କୁ ପ୍ରଭାବିତ କରିଥିବା ଦେଖିବାକୁ ମିଳୁଛି । ଫିଲ୍ମ ଶେଷ ହେବା ପରେ ହଲ୍‌ରେ ଭାରତ ମାତା କି ଜୟ ନାରା ଦେଉଛନ୍ତି ଦର୍ଶକ । କେଶରୀ-୨ ରିଲିଜ୍‌ ହେବାର ପ୍ରଥମ ଦିନରେ ୭.୭ କୋଟି ଟଙ୍କା କଲେକ୍ସନ କରିଥିଲା । ଏହାପରେ ଦ୍ୱିତୀୟ ଦିନରେ ବି ୯.୫ କୋଟି ଟଙ୍କା ଆୟ କରିଛି । ଏବେ ସୁଦ୍ଧା ଫିଲ୍ମଟି ଆଶାନୁରୂପ କଲେକ୍ସନ କରୁଛି । ଧୀରେ ଧୀରେ ଆହୁରି ଲୋକପ୍ରିୟ ହେବ ବୋଲି ଅନୁମାନ କରାଯାଉଛି । ପ୍ରଥମ ଦିନର କଲେକ୍ସନ୍‌ ତୁଳନାରେ ଦ୍ୱିତୀୟ ଦିନ ୨୮.୫୭ ପ୍ରତିଶତ ଆୟ ବୃଦ୍ଧି ପାଇଛି । ତେବେ ଏହି ଫିଲ୍ମ ଅକ୍ଷୟ କୁମାରଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ଆଣିଛି । ଲଗାତାର ଗୋଟିଏ ପରେ ଗୋଟିଏ ଫିଲ୍ମ ଫ୍ଲପ୍‌ ହେବା ପରେ କେଶରୀ-୨କୁ ଏବେ ସକରାତ୍ମକ ପ୍ରତିକ୍ରିୟା ମିଳୁଛି  । 

Advertisment
keshari
keshari Photograph: (google)

ପ୍ରଥମ ସପ୍ତାହରେ ୪୬.୫୪ କୋଟି ଟଙ୍କା କଲେକ୍ସନରେ ପହଞ୍ଚିଛି 'କେଶରୀ-୨' । ଦ୍ବିତୀୟ ସପ୍ତାହରେ ହଲରେ ନିଜର ଦବଦବା ବଜାୟ ରଖିଥିବା ଏହି ସିନେମା ଅଷ୍ଠମ ଦିନରେ ୭୦ କୋଟିରୁ ଅଧିକ ପାର୍ କରିବ ବୋଲି ଆଶା ରହିଛି । ଟ୍ରେଣ୍ଡ୍ ରିପୋର୍ଟ ୱେବସାଇଟ୍ ସେକନିଲ୍କ ମୁତାବକ , ଅକ୍ଷୟ କୁମାରଙ୍କ ଅଭିନୀତ ଏହି ଫିଲ୍ମ ଅଷ୍ଟମ ଦିନରେ ୪.୧୫ କୋଟି ଟଙ୍କାର ନେଟ୍ କଲେକ୍ସନ୍ ପାର୍ କରିଛି । ବର୍ତ୍ତମାନ ୮ ଦିନର ସର୍ବମୋଟ୍ କଲେକ୍ସନ୍ ୫୦.୨୫ କୋଟି ଟଙ୍କା ହୋଇଛି । କିନ୍ତୁ ଏହି ଆକଳନ ଏପର୍ଯ୍ୟନ୍ତ ଠିକ୍ କି ଭୁଲ୍ ଏହାର ସୂଚନା ଆସିନାହିଁ । 

ଏହା ପୂର୍ବରୁ ଖିଲାଡି କୁମାରଙ୍କ ‘ସ୍କାଏ ଫୋର୍ସ’ ନାମକ ଏକ ସିନେମା ପ୍ରେକ୍ଷାଳୟକୁ ଆସିଥିଲା ଯାହା ଅଷ୍ଟମ ଦିନରେ ମାତ୍ର ୩ କୋଟି ଟଙ୍କାର କଲେକ୍ସନ୍ କରିଥିଲା । ତେବେ କେଶରୀ-୨ ସିନେମାରେ ମୁଖ୍ୟ ଭୂମିକାରେ ଅକ୍ଷୟ କୁମାର, ଆର ମାଧୱନ ଏବଂ ଅନନ୍ୟା ପାଣ୍ଡେ ନଜର ଆସିଛନ୍ତି । ଏହି ଫିଲ୍ମଟି ଜାଲିଆନାୱାଲା ବାଗ୍‌ ନରସଂହାର ପରେ ହୋଇଥିବା ଆଇନଗତ ଲଢ଼େଇ ଉପରେ ଆଧାରିତ, ଯେଉଁଥିରେ ଅକ୍ଷୟ କୁମାର ଶଙ୍କରନ୍ ନାୟର ଭୂମିକାରେ ଅଭିନୟ କରିଛନ୍ତି । ଆର୍‌ ମାଧୱନ୍ ନିଭେଲ୍‌ ମ୍ୟାକ୍‌ନ୍‌ଲି ଚରିତ୍ରରେ ନଜର ଆସିଛନ୍ତି । ଅନନ୍ୟା ପାଣ୍ଡେ ଦିଲ୍‌ରିତ୍‌ ଗିଲ୍‌ ଭୂମିକାରେ ଅଭିନୟ କରି ପ୍ରଥମଥର ପାଇଁ ଦର୍ଶକଙ୍କ ମନ ଜିଣିଛନ୍ତି । କରନ ସିଂହ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ନିର୍ଦ୍ଦେଶକ ଭାବରେ ଏହା ତାଙ୍କର ପ୍ରଥମ ଫିଲ୍ମ । ଫିଲ୍ମଟି ୧୫୦ କୋଟି ବଜେଟ୍‌ରେ ତିଆରି ହୋଇଛି ।