ସମଗ୍ର ପୃଥିବୀରେ ତମାଖୁ ସେବନ ତଥା ଧୂମପାନ ମୃତ୍ୟୁର ଏକ ପ୍ରମୁଖ କାରଣ ହୋଇ ଛିଡ଼ା ହୋଇଛି , ଯାହାକୁ ସଂପୂର୍ଣ୍ଣ ଭାବରେ ପ୍ରତିରୋଧ ତଥା ପ୍ରତିହତ କରିବା କେବଳ ନିଜ ଉପରେ ହିଁ ନିର୍ଭର କରିଥାଏ । ଏହି କାରଣରୁ ବିଶ୍ୱର ଅଧିକାଂଶ ବ୍ୟକ୍ତିଙ୍କ ଜୀବନ ଅକାଳରେ ଚାଲିଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଗବେଷଣାରୁ ଜଣାପଡିଛି ଯେ ଏହା ଦ୍ୱାରା ବିଶ୍ୱରେ ବର୍ଷକୁ ପାଖାପାଖି ୫୦ ରୁ ୬୦ ଲକ୍ଷ ଲୋକ ଏବଂ ଭାରତରେ ପ୍ରାୟ ୯ ରୁ ୧୦ ଲକ୍ଷ ଲୋକଙ୍କ ଜୀବନ ଚାଲିଯାଏ । ଖାଲି ସେତିକି ନୁହେଁ କ୍ରମାଗତ ଧୂମପାନ ଦ୍ୱାରା ବ୍ୟକ୍ତିର ବୟସ ମଧ୍ୟ ହ୍ରାସ ପାଇଥାଏ । ଅନ୍ୟ ଏକ ଚିନ୍ତାର ବିଷୟ ହେଉଛି ‘‘ପରୋକ୍ଷ ଧୂମପାନ’’। ସାଧାରଣତଃ ଧୂମପାନ କରୁଥିବା ବ୍ୟକ୍ତିର ସଂସ୍ପର୍ଶରେ ଆସୁଥିବା ଲୋକଙ୍କ ନିଶ୍ୱାସ-ପ୍ରଶ୍ୱାସ ମାଧ୍ୟମରେ ଧୂଆଁ ଶରୀର ଭିତରକୁ ପ୍ରବେଶ କରି ପ୍ରଭାବିତ କରିଥାଏ ।

Advertisment

ତେବେ ଏହା ସମୟ ସାପେକ୍ଷ । ଯଦି ଜଣେ ତମାଖୁ ବର୍ଜନ କରେ ତେବେ ସମୟକ୍ରମେ କର୍କଟରୋଗ ଭଳି ଏକ ବଡ଼ ସମସ୍ୟା ସବୁଦିନ ପାଇଁ ଦୂର ହୋଇ ଯାଇଥାଏ । ତେଣୁ ତମାଖୁ ବର୍ଜନ ସର୍ବଦା ଗ୍ରହଣୀୟ । ଖୁସିର କଥା ଯେ ସରକାରୀ ସ୍ତରରେ ତମାଖୁ ବର୍ଜନ ନିମନ୍ତେ ପ୍ରୋତ୍ସାହିତ କରାଯାଉଛି । ସର୍ବପ୍ରଥମେ ୧୯୭୫ ମସିହାରେ ପ୍ରଣୀତ ଏକ ଆଇନ ଦ୍ୱାରା ସିଗାରେଟ୍, ବିଡ଼ି ପ୍ୟାକେଟ୍ ଉପରେ ବୈଧାନିକ ସତର୍କତା ଉଲ୍ଲେଖ କରାଯିବା ବାଧ୍ୟତାମୂଳକ କରାଗଲା ।୨୦୦୪ରେ ଅନ୍ୟ ଏକ ସରକାରୀ ଆଇନ ଦ୍ୱାରା ସମଗ୍ର ତମାଖୁ ଜାତୀୟ ଦ୍ରବ୍ୟ ଉପରେ ବୈଧାନିକ ସତର୍କତା ବାଧ୍ୟତାମୂଳକ କରାଗଲା ଏବଂ ଶିକ୍ଷାନୁଷ୍ଠାନ ନିକଟରେ ଏ ସବୁର ବିକ୍ରି ନିଷେଧ କରାଗଲା । ୨୦୦୮ ମସିହାରେ ସର୍ବସାଧାରଣରେ ଧୂମପାନକୁ ନିଷିଦ୍ଧ କରାଗଲା । ବିଭିନ୍ନ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମରେ ତମାଖୁ ବିଜ୍ଞାପନକୁ ସଂପୂର୍ଣ୍ଣ ଭାବେ ବର୍ଜନ କରାଗଲା । କେନ୍ଦ୍ର ସରକାର ପ୍ରେକ୍ଷାଳୟ ମାନଙ୍କରେ ଚଳଚ୍ଚିତ୍ର ଆରମ୍ଭ ପୂର୍ବରୁ ତମାଖୁ ସେବନ ଜନିତ ସ୍ୱାସ୍ଥ୍ୟହାନି ଓ କର୍କଟ ରୋଗର ସଚେତନତା ବିଜ୍ଞାପନ ପ୍ରଦର୍ଶନ କରାଉଛନ୍ତି । ତମାଖୁ ବର୍ଜନର ସଚେତନତା ବାର୍ତ୍ତା ଦେଇ ପୁରୀ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ସଚେତନ କରାଇଛନ୍ତି ପଦ୍ମଶ୍ରୀ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ତେଣୁ ତମାଖୁ ସେବନର ଭୟାବହତାକୁ ହୃଦୟଙ୍ଗମ କରି ଏକ ନୂତନ ନିରୋଗ ଜୀବନ ଯାପନ କରିବାକୁ ଆମର ଅନୁରୋଧ ।