କନକ ବ୍ୟୁରୋ : ସିନେମା କେଜିଏଫରେ ଏକ ଚମତ୍କାର ଡାଇଲଗ୍ ଥିଲା ‘ଏ ଦୁନିଆର ସବୁଠାରୁ ବଡ଼ ଯୋଦ୍ଧା ମା’ ।’ ମା’ ଶବ୍ଦ ଗୋଟିଏ କିନ୍ତୁ ଓଜନ ହିମାଳୟ ପର୍ବତ ଭଳି । କୁହନ୍ତି ଯାହାର ମା’ ନାହିଁ ତା’ର ସାହା ନାହିଁ । ସନ୍ତାନର ଅଳିଅଝଟକୁ ଜୀବନର ସର୍ବଶ୍ରେଷ୍ଠ ଅଳଙ୍କାର କରିପାରୁଥିବା ନାରୀ ହେଉଛି ମା’ । ନିଜ ପଣତକାନିର ଛାଇରେ ପିଲାଙ୍କୁ ଛୋଟରୁ ବଡ଼ କରୁଥିବା ମାନବୀୟ ଶକ୍ତିର ନାଁ ହେଉଛି ମା’ । ସେଇଥିପାଇଁ ତ ସମାଜ କହେ ନିରାକାର ଈଶ୍ବର ନିଜ ସନ୍ତାନଙ୍କ ସହ ଦେହ ଧାରଣ କରି ସବୁବେଳେ ରହିପାରନ୍ତି ନାହିଁ ତେଣୁ ସେ ପୃଥିବୀକୁ ମା’ରୂପୀ ମମତାମୟୀ ନାରୀ ଭେଟି ଦେଲେ । ଯାହାର ଋଣ କେଉଁ ସନ୍ତାନ କେବେ ସୁଝିପାରିବେ ନାହିଁ । ସନ୍ତାନର ସୁରକ୍ଷା ପାଇଁ ମା’ ସମାଜର ପାରମ୍ପରିକ ଧାରାକୁ ବି ଉଲ୍ଲଂଘନ କରିପାରେ , ଜୀବନ ନେଇ ବି ପାରେ ଏବଂ ଦେଇ ବି ପାରେ । ସେଇଥିପାଇଁ ତ ପ୍ରତିଟି ସନ୍ତାନ କୁହନ୍ତି ‘My Mom IS My Super Hero’। ଆଜି ଆମେ ଆପଣଙ୍କୁ ଏମିତି ହିଁ ଜଣେ ମା’ଙ୍କ କଥା କହିବାକୁ ଯାଉଛୁ ଯେ ନିଜ ଝିଅର ସୁରକ୍ଷା ପାଇଁ ଅସମ୍ଭବକୁ ମଧ୍ୟ ସମ୍ଭବ କରି ଦେଖାଇଥିଲେ । ନିଜ ଯୌବନ , ସମ୍ମାନର ତିଳେମାତ୍ର ଭୃକ୍ଷେପ ନକରି ନିଜ ଝିଅର ଭବିଷ୍ୟତ କଥା ଚିନ୍ତା କରିଥିଲେ । ଯାହାଙ୍କ ଜୀବନ କଥା ଜାଣିଲେ ଆପଣ ମଧ୍ୟ ମୁଣ୍ଡ ନୁଆଁଇ ସଲ୍ୟୁଟ୍ କରିବାକୁ ବାଧ୍ୟ ହେବେ ଏବଂ କହିବେ ‘ତୋ ପରି ଆଉ କେହି ହେଇପାରିବେନି ମା’ ।’
ତାମିଲନାଡୁ ଜିଲ୍ଲାର ଥୁଥୁକୁଡ଼ି କାଟୁନାୟକ୍କନପଟ୍ଟି ଗାଁରେ ରହୁଥିବା ପେଚିୟମ୍ମଲଙ୍କ ବିବାହ ଖୁବ୍ କମ୍ ବୟସରେ ହୋଇଥିଲା ହେଲେ ଦଇବର ବିଚାର ଦେଖନ୍ତୁ ପାଦରୁ ଅଳତା ଲିଭିନି ଲିଭିଗଲା ମଥାର ସିନ୍ଦୂର । ବାହାଘରକୁ ଦିନ ୧୫ ଟା ହୋଇଛି ସ୍ବାମୀଙ୍କର ହେଲା ହୃଦଘାତ ଆଉ ନବବିବାହିତା ପେଚିୟମ୍ମଲଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ ସ୍ବାମୀ । ବର୍ଷେ ପରେ ପେଚିୟମ୍ମଲଙ୍କ ଗୋଟିଏ ଝିଅ ହେଲା ଯାହାର ନାଁ ସେ ରଖିଲେ ସନ୍ମୁଗସୁନ୍ଦରୀ । ଝିଅ ହେଲା ବୋଲି ଘରୁ ବାହାର କରିଦେଲେ ଶାଶୁଘର । ସମାଜର ଯାତନାକୁ ଅସ୍ତ୍ର କଲେ ପେଚିୟମ୍ମଲ ଆଉ କାହାର ଶରଣ ନଦେଇ ପାଲଟିଗଲେ ମୁତ୍ଥୁ । ଲମ୍ବା ଚୁଟିକୁ କାଟି ଫୋପାଡ଼ିଲେ , ଶାଢ଼ି ବଦଳରେ ଲୁଙ୍ଗି ଆଉ ସାର୍ଟ ପିନ୍ଧିଲେ । ନିଜ ଗାଁରେ ତ ସମସ୍ତେ ଚିହ୍ନିଥିଲେ ତେଣୁ ଆଖପାଖ ଗାଁରେ ସେ ଏଭଳି ଏଭଳି କାମ କଲେ ଯାହା ସାଧାରଣତଃ ସ୍ତ୍ରୀ ଲୋକମାନେ କରନ୍ତି ନାହିଁ । ହୋଟେଲ ବଏ ଭାବରେ ସେ କିଛି ଦିନ କାମ କଲେ ଯେଉଁଠି ଲୋକ ତାଙ୍କୁ ମୁତ୍ଥୁ ମାଷ୍ଟର ବୋଲି ଡାକୁଥିଲେ ।
ପାନଛେପ ପକାଇଲେ ଲାଗିବ ଜରିମାନା; ଗଣିବେ ୧୨,୦୦୦ ଟଙ୍କାର ତଣ୍ଡ
ପଇଡ଼ ଦୋକାନରୁ ଆରମ୍ଭ କରି ଘରେ ରଙ୍ଗ ଦେବା କାମ ପର୍ଯ୍ୟନ୍ତ ସେ ସବୁ କଲେ । ଆଉ ଝିଅ ଭବିଷ୍ୟତ ପାଇଁ ଯୋଡ଼ିଲେ ଟଙ୍କା । ଏହି ମହାନ୍ ମହିଳାଙ୍କ ସାହସ ତ ଦେଖନ୍ତୁ ରାତି ଅଧ ପର୍ଯ୍ୟନ୍ତ ବିନା ସୁରକ୍ଷାରେ କାମ କରିବା ସହ ପୁରୁଷ ଶୌଚାଳୟ ବ୍ୟବହାର କରିବାଠୁ ନେଇ ବସରେ ମଧ୍ୟ ପୁରୁଷ ସିଟରେ ସେ ବସୁଥିଲେ । ବର୍ତ୍ତମାନ ଏହି ପୁରୁଷ ବେଶ ତାଙ୍କ ପାଇଁ ସବୁଠାରୁ ସୁନ୍ଦର ଅନୁଭବ ପାଲଟି ଯାଇଛି । ମହିଳା ଥିଲା ବେଳେ ସମାଜ ତାଙ୍କୁ ଦୁର୍ବଳାର ପରିଚୟ ଦେଉଥିଲା କିନ୍ତୁ ବର୍ତ୍ତମାନ ସେ ଗୋଡ଼ ଉପରେ ଗୋଡ଼ ପକାଇ ବସୁଛନ୍ତି ଏବଂ କହୁଛନ୍ତି ହଁ ମୁଁ ଏକୁଟିଆ ମୋ ଝିଅକୁ ପାଳିଲି , ବଡ଼ କଲି , ପାଠ ପଢ଼େଇଲି ଆଉ ବିବାହ କରାଇଲି । ସତରେ ସ୍ବାଧୀନତା ଓ ଆତ୍ମବିଶ୍ବାସର ବାସ୍ନା ଏବଂ ଦାୟିତ୍ବବୋଧକୁ ଦାମୀ ବୋଲି ଭାବୁଥିବା ମଣିଷ ପାଇଁ କିଛି ଅସମ୍ଭବ ନୁହେଁ । ଖାସ୍ କରି ଯେତେବେଳେ ଜଣେ ମହିଳା ଯାହାଙ୍କ ଗର୍ଭରୁ ସୃଜନର ଆରମ୍ଭ ହୁଏ ସେ ଯଦି ଚାହିଁଲେ ସମାଜର ଚିନ୍ତାଧାରାକୁ ପରିବର୍ତ୍ତନ କରିବାକୁ ତା’ହେଲେ ତାଙ୍କୁ କେହି ପଛକୁ ଟାଣିପାରିବେ ନାହିଁ । ଏଭଳି ଜଣେ ମା’ ଯିଏ ବାପା ଓ ମା’ ଦୁଇଟି ସଂପର୍କକୁ ଯୋଡ଼ିବାର କାମ କଲେ ତାଙ୍କ ପାଇଁ ଅନ୍ତରରୁ ଆମର ଶତ ଶତ ସଲାମ । ଅନନ୍ୟ ତୁମେ ପେଚିୟମ୍ମଲ୍ , ତୁମ ସାହସକୁ ସଲ୍ୟୁଟ ମୁତ୍ଥୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/12/14/mother-love-2025-12-14-16-27-14.jpg)