କନକ ବ୍ୟୁରୋ : କୁହନ୍ତି ନାରୀ କୋଳକୁ ଯେତେବେଳେ ସନ୍ତାନଟିଏ ଆସେ ସେ ସମ୍ପୂର୍ଣ୍ଣତାକୁ ଅନୁଭବ କରେ । ଛୁଆର କୁଆଁ କୁଆଁ କାନ୍ଦ ମା’ ମମତାକୁ ଯେମିତି ଜନ୍ମ ଦିଏ । କିନ୍ତୁ କିଛି ମହିଳାଙ୍କ କ୍ଷେତ୍ରରେ ମାତୃତ୍ବ ଲାଭ କରିବା ଯେମିତି ଅସମ୍ଭବ ହୋଇପଡ଼େ । ଯାହାର କାରଣ ହେଲା ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା । ସ୍ବାସ୍ଥ୍ୟଗତ ରୋଗ କାରଣରୁ ଅନେକ ମହିଳାଙ୍କ ପାଇଁ ମା’ ହେବାର ସ୍ବପ୍ନ ଅତ୍ୟନ୍ତ ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥାଏ ଏବଂ ବିବାହର ଦୀର୍ଘ ସମୟ ପରେ ମଧ୍ୟ ଉକ୍ତ ମହିଳା ସନ୍ତାନ ସୁଖ ପ୍ରାପ୍ତ କରିପାରନ୍ତି ନାହିଁ । ଏମିତି ହିଁ ଘଟିଥିଲା ଜଣେ ମହିଳାଙ୍କ କ୍ଷେତ୍ରରେ । ୨୭ ବର୍ଷ ବୟସ ପର୍ଯ୍ୟନ୍ତ ଉକ୍ତ ମହିଳାଙ୍କୁ ମାସିକ ଧର୍ମ ହୋଇନଥିଲା । ଏହା ସତ୍ତ୍ବେ ମଧ୍ୟ ସେ ମା’ ହେବାକୁ ବ୍ୟାକୁଳ ଥିଲେ । ଯେତେବେଳେ ସେ ଏହି ସମସ୍ୟା ନେଇ ଡାକ୍ତରଙ୍କ ପାଖକୁ ଗଲେ , ଡାକ୍ତର ତାଙ୍କର ସମସ୍ୟା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । 

Advertisment
menstrual-cycle-
menstrual-cycle- Photograph: (Google)

ପ୍ରଜନନ ବିଶେଷଜ୍ଞ ଡାକ୍ତର ରାଜୀବ ଅଗ୍ରୱାଲ୍ ନିଜ ଇନଷ୍ଟା ପୋଷ୍ଟରେ ଏହି ମହିଳାଙ୍କ ବିଷୟରେ ସୂଚନା ଦେଇ କହିଥିଲେ ଯେ ତାଙ୍କ ପାଖକୁ ଜଣେ ୨୭ ବର୍ଷୀୟା ମହିଳା ଆସିଥିଲେ ଯାହାଙ୍କ ବିବାହକୁ ୨ ବର୍ଷ ବିତିଯାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ତାଙ୍କୁ ଜୀବନରେ କେବେ ମଧ୍ୟ ମାସିକ ଧର୍ମ ହୋଇନଥିଲା । ଡାକ୍ତରଙ୍କ କହିବାନୁସାରେ ମହିଳା କେବେ ମଧ୍ୟ ଏନେଇ ଡାକ୍ତରଙ୍କୁ ପରାମର୍ଶ କରିନଥିଲେ । ବାପା,ମା’ ଲୋକଲଜ୍ଜା ଯୋଗୁଁ ଝିଅକୁ ଡାକ୍ତରଙ୍କ ପାଖକୁ ନେଇନଥିଲେ । କିଛି ସମୟ ପରେ ଅର୍ଥାତ ୪୭ ବର୍ଷ ବୟସରେ ମା’ଙ୍କୁ ଫାଇବ୍ରଏଡ୍ ହୋଇଥିଲା ଯେଉଁଥିପାଇଁ ତାଙ୍କର ହିଷ୍ଟେରେକ୍ଟୋମି ମଧ୍ୟ କରାଯାଇଥିଲା । ମହିଳାଙ୍କ ଅତୀତ ଜାଣିବା ପରେ ଡାକ୍ତର ଜାଣିବାକୁ ପାଇଥିଲେ ଯେ ତାଙ୍କର ଡିମ୍ବାଶୟ ଖୁବ ଛୋଟ ଏବଂ ଆଟ୍ରୋଫିକ୍ ଥିଲା । ଏମଏଚ୍ ସ୍ତର କେବଳ 0.001 ଥିଲା । ଜେନେଟିକ୍ ପରୀକ୍ଷା କରିବା ପରେ ଜଣାପଡ଼ିଲା ଯେ ତାଙ୍କର କ୍ୟାରିଓଟାଇପ୍ 46 XX ଥିଲା, କିନ୍ତୁ Fragile X (FMRI mutation) ପଜିଟିଭ୍ ମିଳିଥିଲା । ଏହାର ଅର୍ଥ ହେଉଛି ଯେ ମହିଳାଙ୍କର କେବେ ଓଭୁଲେସନ୍ ହୋଇ ନଥିଲା ଏବଂ ତାଙ୍କ ଶରୀରରେ କୌଣସି କାର୍ଯ୍ୟକ୍ଷମ ଅଣ୍ଡା ନଥିଲା । ଏହା ସହିତ ତାଙ୍କ ଗର୍ଭାଶୟ ମଧ୍ୟ ଉନ୍ନତ ନଥିଲା । ଡାକ୍ତର ରାଜୀବଙ୍କ ଅନୁଯାୟୀ, Fragile X ପ୍ରି-ମ୍ୟୁଟେସନ୍ ସ୍ଥିତିରେ ମହିଳାମାନେ ସାଧାରଣ ମହିଳାଙ୍କ ତୁଳନାରେ ଶୀଘ୍ର ନିଜର ଅଣ୍ଡା ହରାଇଥା’ନ୍ତି । ଯଦିଓ ସେମାନେ ଯୁବାବସ୍ଥାରେ ଥାଆନ୍ତି ତଥାପି ସେମାନଙ୍କର ଓଭାରୀ ଶୀଘ୍ର ବୃଦ୍ଧ ହୋଇଯାଏ ଏବଂ ଅକର୍ମଣ୍ୟ ହୋଇଯାଏ । ଏହି କାରଣରୁ ଏହି ମହିଳାମାନଙ୍କ ମଧ୍ୟରେ ଯୌବନ ଏବଂ ପ୍ରଜନନ ସମ୍ବନ୍ଧୀୟ ସମସ୍ୟା ଦେଖାଯାଏ ।

ପ୍ରଜନନ ବିଶେଷଜ୍ଞଙ୍କ କହିବାନୁସାରେ, ସେ ମହିଳାଙ୍କର ଚିକିତ୍ସା ଆରମ୍ଭ କରିଥିଲେ । ଯଦିଓ ପ୍ରାରମ୍ଭିକ ଦୁଇ ମାସ ପର୍ଯ୍ୟନ୍ତ ତାଙ୍କୁ ମାସିକ ଧର୍ମ ହୋଇ ନଥିଲା, ତୃତୀୟ ମାସରେ ତାଙ୍କ ଗର୍ଭାଶୟ ଏକ ବୟସ୍କ ଆକାରରେ ବିକଶିତ ହେଲା ଏବଂ ମାସିକ ଧର୍ମ ମଧ୍ୟ ଆରମ୍ଭ ହୋଇଗଲା । ଯେହେତୁ ମହିଳାଙ୍କର ଅଣ୍ଡ ବିକଳ୍ପ ଉପଲବ୍ଧ ନଥିଲା ତେଣୁ ଦମ୍ପତିଙ୍କୁ ପରାମର୍ଶ ଦେବା ପରେ ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀ ଅନୁଯାୟୀ ଡୋନର୍ ଅଣ୍ଡ ଏବଂ ସ୍ୱାମୀଙ୍କ ଶୁକ୍ରାଣୁ ସହିତ ଆଇଭିଏଫ୍ ପ୍ରକ୍ରିୟା ମାଧ୍ୟମରେ ଏହାକୁ ଫର୍ଟିଲାଇଜ୍ କରାଯାଇଥିଲା । ଡାକ୍ତର କହିଛନ୍ତି ଯେ ଏହା ପରେ ମହିଳାଙ୍କର ସୁସ୍ଥ ବ୍ଲାଷ୍ଟୋସାଇଟ୍ ପ୍ରସ୍ତୁତ ହୋଇଥିଲା ଏବଂ ତାଙ୍କ ଗର୍ଭାଶୟରେ ସ୍ଥାନାନ୍ତରିତ କରାଯାଇଥିଲା । ପ୍ରଥମ ପ୍ରୟାସରେ ସଫଳତା ମିଳିଥିଲା ଏବଂ ଗର୍ଭଧାରଣ ନିଶ୍ଚିତ ହୋଇଥିଲା । ୯ ମାସ ପରେ ମହିଳା ଜଣକ ସୁସ୍ଥ କନ୍ୟାରତ୍ନକୁ ଜନ୍ମ ଦେଇଥିଲେ ଏବଂ ତାଙ୍କର ଦୀର୍ଘ ଦିନରୁ ରହିଥିବା ଇଚ୍ଛା ପୂରଣ ହୋଇଥିଲା ।