କନକ ବ୍ୟୁରୋ : ଲଣ୍ଡନର ବ୍ରେଣ୍ଟ କାଉନସିଲ୍ ଯେଉଁ ତଥ୍ୟକୁ ସାମ୍ନାକୁ ଆଣିଛି ତାହା ବୋଧହୁଏ ପ୍ରତିଟି ନାଗରିକଙ୍କ ମୁଣ୍ଡ ନୁଆଁଇଦେଲା ଭଳି କଥା ହେବ । କାଉନସିଲ୍ କହିଛି ଯେ ପ୍ରତିବର୍ଷ ସେଠାକାର ଦୋକାନ, ଫୁଟପାଥ୍ ଏବଂ କୋଠାକୁ ସଫା କରିବା ପାଇଁ ୩୦,୦୦୦ ପାଉଣ୍ଡରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଉଛି । ତେବେ ଏତେ ଟଙ୍କା ଖର୍ଚ୍ଚ ହେବାରେ କୌଣସି ଅଳିଆ ନୁହେଁ ବରଂ ପାନଛେପର ଏକ ବଡ଼ ଭୂମିକା ରହିଛି । ଦକ୍ଷିଣପୂର୍ବ ଏସୀୟର କିଛି ଅଂଶରେ ବ୍ୟାପକ ଭାବରେ ରାସ୍ତାରେ ପାନ ଛେପ ପକାଯାଉଛି । ବ୍ରେଣ୍ଟ କାଉନସିଲର ସରକାରୀ ୱେବସାଇଟରେ ସେୟାର କରାଯାଇଥିବା ଏହି ସଂଖ୍ୟାଗୁଡ଼ିକ ସମସ୍ୟାର ଗମ୍ଭୀରତାକୁ ଦର୍ଶାଉଛି । ଯାହାଦ୍ୱାରା ଲୋକପ୍ରିୟ ତଥା ଲଣ୍ଡନର ସୁନ୍ଦର ସ୍ଥାନଗୁଡ଼ିକର ସୌନ୍ଦର୍ଯ୍ୟରେ କଳାଦାଗ ଲାଗିବା ପରି ପ୍ରତିତ ହେଉଛି ।

Advertisment

ଏହାକୁ ନେଇ ଲଣ୍ଡନର ବ୍ରେଣ୍ଟ କାଉନସିଲ୍ ସଫା କରିବାର ଭିଡିଓ ମଧ୍ୟ ସେୟାର କରୁଛି । କାଉନସିଲର ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ପାନ ଦାଗ ସଫା କରୁଥିବାର ନଜର ଆସୁଛନ୍ତି । ଏହି ଭିଡିଓ କ୍ଲିପରେ ଲୋକ କଥାବାର୍ତ୍ତା କରୁଥିବାର ନଜର ଆସୁଛନ୍ତି ଯେ ‘‘ଲଣ୍ଡନର ରାସ୍ତାରେ ପାନ ଛେପ ପକାଇବା ପାଇଁ ବହୁତ ଲୋକ ଅଛନ୍ତି। ଏଭଳି ଲୋକଙ୍କୁ ଦଣ୍ଡ ଦେବା ଦରକାର । ପାନ ଛେପ ପକାଉଥିବା ଲୋକଙ୍କୁ ଧରିବା ପାଇଁ ବ୍ରେଣ୍ଟର ରାସ୍ତାରେ ଅଧିକ ପୁଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି ଏବଂ ଏହି ଦାଗ ହଟାଇବା ପାଇଁ ଏକ ସଫେଇ ଅଭିଯାନ ମଧ୍ୟ ଚାଲିଛି । ଗ୍ରୀନ୍ ପାର୍କରୁ ଆରମ୍ଭ କରି ରାସ୍ତାଘାଟ ପର୍ଯ୍ୟନ୍ତ ଦେଶ ଲକ୍ଷ ଲକ୍ଷ ପାଉଣ୍ଡ ଖର୍ଚ୍ଚ କରୁଛି । ଯେଉଁ ଲୋକମାନେ ଏଭଳି କାମ କରୁଛନ୍ତି ସେମାନେ ଯେକୌଣସି ଦେଶରୁ ହୋଇଥା’ନ୍ତୁ ନା କାହିଁକି ଆପଣଙ୍କୁ ଲାଜ ଲାଗିବା କଥା । କ’ଣ ଆପଣ ଘରେ ମଧ୍ୟ ଏମିତି ଛେପ ପକାଉଛନ୍ତି ?’’ ଏହି ଭିଡିଓଟି ଏକ ଲମ୍ବା କ୍ୟାପ୍ସନ ସହ ସେୟାର୍ କରାଯାଇଥିଲା ।

ଅଧିକ ପଢ଼ନ୍ତୁ : ଭାରତର ଚମତ୍କାରୀ ମନ୍ଦିର : ଡାଏବେଟିସ୍ ହୁଏ ଦୂର !

ତେବେ ବର୍ତ୍ତମାନ ରାସ୍ତାରେ ପାନଛେପ ପକାଇବାକୁ ନେଇ ଲଣ୍ଡନ ସରକାର କଠୋର ନିୟମ ଆଣିବାକୁ ଯାଉଛନ୍ତି । ଏହି ଭିଡିଓରେ ଲେଖାଯାଇଛି ଯେ ‘‘ରାସ୍ତା,କୋଠା ଏବଂ ଦୋକାନରୁ ପାନଛେପ ସଫା କରିବା ପାଇଁ ୩୦ ହଜାର ପାଉଣ୍ଡ ଖର୍ଚ୍ଚ ହେଉଛି ତେଣୁ ଏବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପାନ ଖାଇବା ଏବଂ ଛେପ ପକାଇବା ଦ୍ୱାରା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହୁଏ । ତେଣୁ ଲଣ୍ଡନର ବ୍ରେଣ୍ଟ କାଉନସିଲ୍ ଅଧିକାରୀମାନେ ଏବେ ପାନ ଛେପ ପକାଉଥିବା ଯେକୌଣସି ବ୍ୟକ୍ତିଙ୍କୁ ୧୦୦ ପାଉଣ୍ଡ୍ ଜରିମାନା ଲାଗୁ କରିବେ । ପରିଷଦ ପାନ ଏବଂ ଧୂମପାନ ଛାଡ଼ିବାକୁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କୁ ସହାୟତା କରିବା ପାଇଁ ମଧ୍ୟ ଆଗକୁ ଆସିଛି । ପରିଷଦ ସ୍ପଷ୍ଟ କରିଛି ଯେ ସହରକୁ ସଫା ରଖିବା ପାଇଁ ସାର୍ବଜନୀନ ସ୍ଥାନରେ ପାନ ଛେପ ପକାଉଥିବା ଯେକୌଣସି ବ୍ୟକ୍ତିଙ୍କୁ ତୁରନ୍ତ ଜରିମାନା ଲାଗୁ କରାଯିବ ।



ଲୋକଙ୍କ ସ୍ୱଚ୍ଛତାକୁ ସମ୍ମାନ ଦେବା ପାଇଁ ନିବେଦନ କରିବା ସହ ସାର୍ବଜନୀନ ଅଧିକାର ଏବଂ ପ୍ରବର୍ତ୍ତନ ପାଇଁ କ୍ୟାବିନେଟ ସଦସ୍ୟ କାଉନସିଲର କୃପା ଶେଠ କହିଛନ୍ତି ଯେ ପରିଷଦ ଏହି ପ୍ରସଙ୍ଗରେ ବହୁତ କଠୋର ।  ସେ କହିଛନ୍ତି, "ଆମେ ଆମ ରାସ୍ତାରେ ଅଳିଆ ଆବର୍ଜନା କରୁଥିବା ଲୋକଙ୍କ ପ୍ରତି ଶୂନ୍ୟ ସହନଶୀଳତା ରଖିବୁ । ସେ ପାନ ଛେପ ପକାଇବାକୁ ହେଉ କିମ୍ବା ରାସ୍ତାରେ ଛିଡ଼ା ହୋଇଥିବା ପବ୍ଲିକ୍ ଫର୍ଣ୍ଣିଚରରେ ପୋଷ୍ଟର୍ ଓ ପେଣ୍ଟ୍ ମାରିବା ହେଉ । ଦେଶକୁ ଅଳିଆ କରନ୍ତୁ ନାହିଁ , ଆମ ପରିଷଦ ଆପଣଙ୍କୁ ଧରିବ ଏବଂ ଜରିମାନା ଲଗାଇବ ।