କନକ ବ୍ୟୁରୋ : ବିଶ୍ବପ୍ରସିଦ୍ଧ ବୃନ୍ଦାବନ୍ଦର ସନ୍ଥ ପ୍ରେମାନନ୍ଦ ମହାରାଜ ବର୍ତ୍ତମାନ ନିଜ ସ୍ୱାସ୍ଥ୍ୟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ସବୁ ଧର୍ମର ଲୋକେ ତାଙ୍କ ସୁସ୍ଥତା ପାଇଁ କାମନା କରୁଛନ୍ତି । ଆଉ ଏହାରି ଭିତରେ ବୁନ୍ଦେଲଖଣ୍ଡର କଥାବାଚକ ତଥା ବାଗେଶ୍ୱର ଧାମର ପୀଠାଧୀଶ୍ୱର ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ କଥା ପଚାରି ବୁଝିବାକୁ ଏବଂ ପଦଯାତ୍ରା ପାଇଁ ନିମନ୍ତ୍ରଣ ଦେବାକୁ ବୃନ୍ଦାବନର ପରିକ୍ରମା ମାର୍ଗରେ ଥିବା ତାଙ୍କ ଆଶ୍ରମ କେଲିକୁଞ୍ଜରେ ପହଞ୍ଚିଥିଲେ । ବାବା ବାଗେଶ୍ୱର ପ୍ରେମାନନ୍ଦ ମହାରାଜଙ୍କୁ ଦଣ୍ଡବତ ପ୍ରଣାମ କରିଥିବାବେଳେ ପ୍ରେମାନନ୍ଦ ମହାରାଜ ତାଙ୍କୁ ଆଲିଙ୍ଗନ କରିଥିଲେ । ସନ୍ଥ ଓ କଥାବାଚକଙ୍କ ଆଲିଙ୍ଗନର ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ବାଗେଶ୍ୱର ବାବା ହଠାତ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ପାଇଁ ବୃନ୍ଦାବନରେ ପହଞ୍ଚିଥିଲେ । ସନ୍ଥ ମଧ୍ୟ କଥାବାଚକଙ୍କୁ ଦେଖି ବହୁତ ଖୁସି ହୋଇଥିଲେ । ସୂଚନା ଅନୁସାରେ ଏହା ପୂର୍ବରୁ ଦୁହେଁ ଦୁହିଁଙ୍କୁ କେବେ ଭେଟିନଥିଲେ । 

Advertisment
Premanad Bageswar baba
Premanad Bageswar baba Photograph: (KanakNews)

ତେବେ ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ବାଗେଶ୍ୱର ବାବା ସନାତନ ଏକତା ପଦଯାତ୍ରା ବାହାର କରୁଛନ୍ତି । ଯାହା ଦିଲ୍ଲୀରୁ ବୃନ୍ଦାବନ ପର୍ଯ୍ୟନ୍ତ ହେବ । ଏଥିପାଇଁ ସେ ଦେଶର ସାଧୁସନ୍ଥଙ୍କ ସମେତ ଜଣାଶୁଣା ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରୁଛନ୍ତି ଏବଂ ପଦଯାତ୍ରାକୁ ସଫଳ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି । ଆଉ ଏହି ପରିପ୍ରେକ୍ଷୀରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ପଦଯାତ୍ରା ପାଇଁ ନିମନ୍ତ୍ରଣ ଦେଇଥିଲେ ବାବା ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ । ଏହି ସମୟରେ ସେ କହିଥିଲେ , "ମୁଁ ମୁମ୍ବାଇରେ ମାୟାଜାଲରେ ଫସି ରହିଥିଲି ।" ଏହା ଉପରେ ପ୍ରେମାନନ୍ଦ ମହାରାଜ କହିଥିଲେ,"ଭଗବାନଙ୍କ ପ୍ରଚାରକମାନେ ତ ମାୟାରୁ ମୁକ୍ତ କରିବାକୁ ଯାଆନ୍ତି । ତେଣୁ ଆପଣ ଯେଉଁଠାକୁ ବି ଯାଆନ୍ତୁ, ସେଠାରେ ଭଗବାନଙ୍କ ନାମର ଗୁଣଗାନ କରନ୍ତୁ । ଏପରି କରିବା ଦ୍ୱାରା ମାୟା ଛାଡ଼ି ଚାଲିଯିବ । କାରଣ ଭଗବାନଙ୍କ ନାମରେ ଅପାର ସାମର୍ଥ୍ୟ ଅଛି ।"

ବାବା ବାଗେଶ୍ୱର ପ୍ରେମାନନ୍ଦ ମହାରାଜଙ୍କୁ ନିଜ ସନାତନ ଏକତା ପଦଯାତ୍ରା ବିଷୟରେ ମଧ୍ୟ ବିସ୍ତାର ଭାବରେ କହିଥିଲେ । ସେ ସନ୍ଥଙ୍କୁ ଅନୁରୋଧ କରିଥିଲେ ଯେ ଏହି ଯାତ୍ରାରେ ନିଜ ଆଶୀର୍ବାଦ ଏବଂ ଭାବନାତ୍ମକ ଉପସ୍ଥିତି ମାଧ୍ୟମରେ ସାମିଲ ହୁଅନ୍ତୁ । ଏହି ଯାତ୍ରାର ଉଦ୍ଦେଶ୍ୟ ହେଉଛି ସମାଜରେ ସନାତନ ମୂଲ୍ୟବୋଧର ପୁନଃପ୍ରତିଷ୍ଠା ଏବଂ ଏକତାକୁ ଶକ୍ତିଶାଳୀ କରିବା। ତେବେ ଏନେଇ ବାଗେଶ୍ୱର ଧାମର ସେବାୟତ କହିଛନ୍ତି , "ଦୁଇ ସନ୍ଥଙ୍କ ମଧ୍ୟରେ ୧୫ ମିନିଟ୍ ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଥିଲା। ମହାରାଜ ପ୍ରେମାନନ୍ଦ ଜୀଙ୍କୁ ଯାତ୍ରା ପାଇଁ ନିମନ୍ତ୍ରଣ ଦେଇଛନ୍ତି । ଯେଉଁଥିରେ ସନ୍ଥ କହିଛନ୍ତି ଯେ, "ଆଚାର୍ଯ୍ୟ ଶାସ୍ତ୍ରୀ ସନାତନର ଯୁଗଧର୍ମ ପାଳନ କରୁଛନ୍ତି । ଆପଣ ସମାଜକୁ ସନାତନର ଦର୍ଶନ କରାଉଛନ୍ତି । ଈଶ୍ୱର ଆପଣଙ୍କୁ ଦୀର୍ଘାୟୁ କରନ୍ତୁ ଯାହାଫଳରେ ଧର୍ମର ପ୍ରକାଶ ପ୍ରତ୍ୟେକ ଦିଗରେ ବ୍ୟାପିବ ।"