Rajasthan case Photograph: (Kanak News)
ପିଲାବେଳେ ପରିବାରରୁ ଆରମ୍ଭ କରି ଚାଟଶାଳୀ ପର୍ଯ୍ୟନ୍ତ ସବୁଠି ଗୋଟିଏ ଶିକ୍ଷା ଦିଆଯାଏ ଯେ ବଡ଼ମାନଙ୍କୁ ସମ୍ମାନ ଦେବା । ସମାଜ ମଧ୍ୟ କୁହେ , ବୟସ୍କ ବ୍ୟକ୍ତିଙ୍କୁ ମୁଣ୍ଡିଆ ମାରିବା । କିନ୍ତୁ କ’ଣ ହେବ ଯେତେବେଳେ ବୟସ୍କ ବ୍ୟକ୍ତି ହିଁ ଅଭଦ୍ରାମିର ବାଟ ଧରିବେ । ଏଭଳି ବୟସ୍କ ଲୋକଙ୍କୁ ଜଣେ କେମିତି ସମ୍ମାନ ଦେବ ? ସମ୍ମାନ ବୟସକୁ ନୁହେଁ ଭଲ ବ୍ୟକ୍ତିତ୍ବକୁ ଦେଖି ଦେବା ଦରକାର । ଆଉ ଏଭଳି ପ୍ରସଙ୍ଗ ଉଠାଇବାର କାରଣ ହେଉଛି ଏକ ଭାଇରାଲ୍ ଭିଡ଼ିଓ । ଯେଉଁଥିରେ ରାଜସ୍ଥାନର ଗୋଟିଏ ମନ୍ଦିରରେ ଜଣେ ବୟସ୍କ ବ୍ୟକ୍ତି ନିଜ ନାତୁଣୀ ବୟସର ଝିଅର ଗୋଡ଼କୁ ନିଜ ଫୋନ୍ କ୍ୟାମେରାରେ କଏଦ୍ କରିଥିଲେ ।
ଭାଇରାଲ୍ ହେଉଥିବା ଏହି ଭିଡ଼ିଓରେ ଦେଖାଯାଉଛି ଯେ ମନ୍ଦିରକୁ ଆସିଥିବା ଜଣେ ଝିଅ ଜଣେ ବୟସ୍କ ବ୍ୟକ୍ତିଙ୍କ ପାଖକୁ ଯାଇ ପଚାରୁଛନ୍ତି ଯେ ‘ଅଙ୍କଲ୍ ଆପଣ କ’ଣ କରୁଛନ୍ତି ? ଆପଣଙ୍କ ଫୋନ୍ ଗ୍ୟାଲେରି ଖୋଲନ୍ତୁ ।’ ବୟସ୍କ ବ୍ୟକ୍ତି ପ୍ରଥମେ ଫୋନ୍ ଦେଖାଇବାକୁ ମନା କରୁଛନ୍ତି କିନ୍ତୁ ପରେ ଗ୍ୟାଲେରୀ ଖୋଲି ଫଟୋ ଦେଖାଉଛନ୍ତି । ଫୋନ୍ ଗ୍ୟାଲେରିରେ ନିଜ ଗୋଡ଼ର ଫଟୋ ଦେଖି ଝିଅଟି ରାଗି ଯାଇ କହୁଛନ୍ତି ‘ମନ୍ଦିର ଭଳି ଜାଗାକୁ ଆସି ଏଭଳି କାମ କରିବାକୁ ଆପଣଙ୍କୁ ଲାଜ ଲାଗୁନି ଛିଃ ..’ । ଧରାପଡ଼ିବା ପରେ ବୟସ୍କ ବ୍ୟକ୍ତିଜଣକ ଫଟୋ ଡିଲିଟ୍ କରି କେମିତି ଫଟୋ ଉଠିଛି ଜାଣିନାହାନ୍ତି ବୋଲି କହୁଛନ୍ତି ।
ଏହି ଘଟଣା ରାଜସ୍ଥାନର ମାଉଣ୍ଟ୍ ଆବୁ ସ୍ଥିତ ଦିଲୱାଡ଼ା ଜୈନ ମନ୍ଦିରର ବୋଲି ଜଣାପଡ଼ିଛି । ଅଧିକ ଚିନ୍ତାର ବିଷୟ ହେଉଛି ଆଖପାଖରେ ଥିବା ଲୋକ ସବୁ ଦେଖି ନ ଦେଖିଲା ପରି ହେଉଛନ୍ତି ଏବଂ ଘଟଣାରେ ସ୍ବର ଉତ୍ତୋଳନ କରୁନାହାନ୍ତି । ଏହି ଭିଡିଓଟି ଯେତେବେଳେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ୟୁଜର୍ସ ରାଗରେ ପଞ୍ଚମ ହେଲା ପରି କମେଣ୍ଟ୍ କରି କହିଛନ୍ତି ‘ଆଉ କାହାର ଝିଅ ବୋଲି କେହି କିଛି କହୁନାହାନ୍ତି ଯଦି ତୁମ ଘରର ଝିଅ ହୋଇଥା’ନ୍ତା ତାହେଲେ କ’ଣ ଏମିତି ଚୁପ୍ ରହିଥାଆନ୍ତ ?’ ଆଉ କିଛି ୟୁଜର୍ସ ଲେଖିଛନ୍ତି , ‘ଏଭଳି ଲୋକଙ୍କୁ ମୁଣ୍ଡିଆ ନୁହଁ ଖାଲି ମାଡ଼ ଦରକାର ।’
Follow Us