ଟିଏମସି-ସପା ଟାର୍ଗେଟ୍‌ରେ କଂଗ୍ରେସ : କହିଲେ, ନେତୃତ୍ବ ବଦଳାଇବା ନେଇ ଚିନ୍ତା କରିବା ଦରକାର

ଦିଲ୍ଲୀରେ ବିଜେପିର ଭାଷା କହୁଥିଲା କଂଗ୍ରେସ । ଯେଉଁମାନଙ୍କର ଅହଙ୍କାର ବଢିଯିବ ସେମାନେ ନିଶ୍ଚିତ ହାରିବେ

Congress TMC SP

Congress TMC SP Photograph: (kanak news)

କନକ ବ୍ୟୁରୋ: ଦିଲ୍ଲୀ ନିର୍ବାଚନ ସରିଛି, କଂଗ୍ରେସର ଟେନସନ ବଢିଛି । କାରଣ ଯେଉଁପରି ଭାବରେ ଏକଜିଟ୍‌ ପୋଲରେ ସଂଖ୍ୟା ଦେଖାଯାଇଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ ଏଥର ଦିଲ୍ଲୀରେ ସରକାର କରିବ ବିଜେପି । ନିର୍ବାଚନ ପୂର୍ବରୁ ଶାସକ ଆପ୍‌ ଓ ବିଜେପି ଜୋରଦାର ପ୍ରଚାର କରିଥିବା ବେଳେ ରାହୁଲ ଗାନ୍ଧି ବି ପ୍ରଚାର କରିଥିଲେ । ମୋଦି ଓ କେଜ୍ରିୱାଲଙ୍କୁ ଟାର୍ଗେଟ୍‌ ବି କରିଥିଲେ । ହେଲେ କଂଗ୍ରେସର ଜଲୱା ଦେଖିବାକୁ ମିଳିଲା ନାହିଁ ଦିଲ୍ଲୀରେ । ଅବଶ୍ୟ ଶନିବାର ରେଜଲ୍ଟ ଆସିବା ପରେ ସ୍ପଷ୍ଟ ହେବ ଏଥର ଦିଲ୍ଲୀରେ ସରକାର କିଏ କରୁଛି କିନ୍ତୁ ଏହା ପୂର୍ବରୁ ଇଣ୍ଡି ମେଣ୍ଟର ସଦସ୍ୟ କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି । କହିଛନ୍ତି, ନେତୃତ୍ବ ଠିକ୍‌ ନାହିଁ । ଏବେ ସମୟ ଆସିଯାଇଛି ନେତା ବାଛିବାର । ଅର୍ଥାତ୍‌ ଇଣ୍ଡି ମେଣ୍ଟର ନେତୃତ୍ବ କଂଗ୍ରେସ ନେଉଥିବା ବେଳେ ନେତୃତ୍ବକୁ ନେଇ ଉଙ୍କି ମାରିଛି ପ୍ରଶ୍ନ । 

ଦିଲ୍ଲୀ ବିଧାନସଭାରେ ୭୦ ସିଟ୍‌
କଂଗ୍ରେସ ଖାତାକୁ ଯିବ କେତେ 

ଦିଲ୍ଲୀ ବିଧାନସଭା ନିର୍ବାଚନ ଉପରେ ପୁରା ଦେଶର ନଜର ଥିଲା । ଠିକ୍‌ ସେମିତି ରେଜଲ୍ଟ ଉପରେ ବି ପୁରା ବିଶ୍ବର ନଜର ରହିଛି । ଯେହେତୁ ଦେଶର ରାଜଧାନୀ ଦିଲ୍ଲୀ, ତେଣୁ ନିର୍ବାଚନକୁ ନେଇ ଚର୍ଚ୍ଚା ହେବା ସ୍ବାଭାବିକ କଥା । କଥା ହେଲା ଶନିବାର ଉଭୟ ଦିଲ୍ଲୀ ଓ ୟୁପିର ମିଲ୍କିପୁରରେ ହୋଇଥିବା ଉପନିର୍ବାଚନର ରେଜଲ୍ଟ ଆସିବ । ହେଲେ ବୁଥ ବାହୁଡ଼ା ମତକୁ ନେଇ ଚର୍ଚ୍ଚା ଜୋରଦାର । ଲୋକସଭାରେ କଂଗ୍ରେସ ପରେ ସର୍ବାଧିକ ସଦସ୍ୟ ଥିବା ଦଳ ହେଉଛି ସମାଜବାଦୀ ପାର୍ଟି । ଟିଏମସିର ବି ଅନେକ ସାଂସଦ ଲୋକସଭାରେ ଅଛନ୍ତି । ତେଣୁ ଏହି ଦୁଇ ଦଳ କଂଗ୍ରେସ ନେତୃତ୍ବ ଉପରେ ପ୍ରଶ୍ନବାଚୀ ଛିଡ଼ା କରିଛନ୍ତି । 

ଟିଏମସି ଟାର୍ଗେଟ୍‌ରେ କଂଗ୍ରେସ
କହିଲେ, ସମୟ ଆସିଯାଇଛି ଚିନ୍ତା କରିବାକୁ

କଂଗ୍ରେସର ପ୍ରଦର୍ଶନ ଦିନକୁ ଦିନ ନୈରାଶ୍ୟଜନକ ହେଉଛି । ସେଇଥି ଲାଗି ତ, ଟିଏମସି ସାଂସଦ କୀର୍ତ୍ତି ଆଜାଦ୍‌ କହିଛନ୍ତି, କଂଗ୍ରେସ ଉପରେ ଏବେ ବିଚାର କରିବାକୁ ପଡ଼ିବ । ହରିୟାଣା ହେଉ କି ମହାରାଷ୍ଟ୍ର ପ୍ରତି ରାଜ୍ୟରେ କଂଗ୍ରେସ ପରାଜୟ କରୁଛି । ଏବେ ଦିଲ୍ଲୀରେ ବି ହାରୁଥିବା ନେଇ ଏକଜିଟ୍‌ ପୋଲ କହିଲେଣି । ତେଣୁ ଆଗାମୀ ଦିନରେ କଂଗ୍ରେସର ନେତା ଇଣ୍ଡି ମେଣ୍ଟର ନେତା ହୋଇ ରହିବେ କି ନାହିଁ ସେନେଇ ଆଲୋଚନା ହେବା ଆବଶ୍ୟକ । ସେପଟେ ସମାଜବାଦୀ ପାର୍ଟିର ମହାସଚିବ ତଥା ରାଜ୍ୟସଭା ସାଂସଦ ରାମଗୋପାଳ ଯାଦବ କହିଛନ୍ତି, ଦିଲ୍ଲୀରେ ବିଜେପିର ଭାଷା କହୁଥିଲା କଂଗ୍ରେସ । ଯେଉଁମାନଙ୍କର ଅହଙ୍କାର ବଢିଯିବ ସେମାନେ ନିଶ୍ଚିତ ହାରିବେ । ଖାଲି ଏତିକି ନୁହେଁ ବରଂ ସେ ଆହୁରି ମଧ୍ୟ କହିଛନ୍ତି, ଲୋକସଭା ନିର୍ବାଚନରେ ଆମ ଦଳରୁ ଯେଉଁମାନେ ଇଚ୍ଛୁକ ପ୍ରାର୍ଥୀ ଥିଲେ ସେମାନଙ୍କୁ କଂଗ୍ରେସ ଟିକେଟ୍‌ରେ ଆମେ ପ୍ରାର୍ଥୀ କରିବାକୁ ସେମାନେ ଜିତିଲେ । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ସପାର ବଡ଼ ନେତା ରାମଗୋପାଳ । ତେଣୁ ସେ ଯାହା କହୁଛନ୍ତି ତାହା ଦଳର କଥା ବୋଲି କୁହାଯିବ । ସେପଟେ ଟିଏମସି ପରେ ସପା ବି ଖୁଲମଖୁଲା ଇଣ୍ଡି ମେଣ୍ଟ ଉପରେ ପ୍ରଶ୍ନ ଉଠାଉଥିବାରୁ ଏବେ କଂଗ୍ରେସର ଯେ ନେତୃତ୍ବ ସଂକଟରେ ରହିଛି । ସେଥିରେ କୌଣସି ଦ୍ବିମତ ନାହିଁ । 

କଂଗ୍ରେସ ରଖିଲା ପ୍ରତିକ୍ରିୟା

ସପା ଓ ଟିଏମସି ନେତା କଂଗ୍ରେସ ଉପରେ ଏମିତି କହିବା ପରେ ଦଳ ପକ୍ଷରୁ ବି ପ୍ରତିକ୍ରିୟା ରଖାଯାଇଛି । ରାଜ୍ୟସଭା ସାଂସଦ ତଥା କଂଗ୍ରେସର ବରିଷ୍ଠ ନେତା ପ୍ରମୋଦ ତିୱାରୀ କହିଛନ୍ତି, କଂଗ୍ରେସ କେବେ ହେଲେ ବିଜେପିର ଭାଷା କୁହେ ନାହିଁ । ଆମେ ୟୁପିରେ ମେଣ୍ଟ କରିବା ପୂର୍ବରୁ ଯେଉଁ ପ୍ରତିଶୃତି ଦେଇଥିଲୁ ତାହାକୁ ପାଳନ ମଧ୍ୟ କରିଛୁ । ୟୁପିରେ ଆମେ ବିଜେପି ସହ ଯେଉଁପରି ଫାଇଟ୍‌ କରିଥିଲୁ ସେଇଥି ଲାଗି ବିଜେପି କ୍ଷତି ସହିଥିଲା , ସପା ଲାଭ ପାଇଥିଲା । ତେଣୁ ଏମିତି ଅଯୁକ୍ତିକର କଥା କହିବାର କୌଣସି ଆବଶ୍ୟକତା ନାହିଁ । ଗୋଟିଏ ପଟେ କଂଗ୍ରେସର ନେତୃତ୍ବ ଅଭାବ ତାହା କହିବାର କୌଣସି ଆବଶ୍ୟକତା ନାହିଁ । କାରଣ ଗୋଟିଏ ପରେ ଗୋଟିଏ ରାଜ୍ୟରେ କଂଗ୍ରେସ ଶୋଚନୀୟ ଭାବରେ ହାରୁଛି । ଏମିତି ସ୍ଥିତିରେ ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ରାଜ୍ୟର ନିର୍ବାଚନରେ କଂଗ୍ରେସ କେମିତି ଲଢେଇ କରୁଛି ତାହା ଦେଖିବାକୁ ବାକି ରହିଲା । 

କଣ କହୁଛି ଏକଜିଟ୍‌ ପୋଲ

ଗତକାଲି ସଂଧ୍ୟାରେ ଆସିଛି ଦିଲ୍ଲୀର ବୁଥ୍ ବାହୁଡ଼ା ମତ।  ଏକଜିଟ୍‌ ପୋଲର ଆକଳନ ଅନୁସାରେ, ଆପର ହ୍ୟାଟ୍ରିକ ସ୍ବପ୍ନ ଭାଙ୍ଗିଯାଇପାରେ, ଲଗାତର ବିଜୟ ପରେ ଏଥର ଆମ୍ ଆଦମୀ ପାର୍ଟି ମ୍ୟାଜିକ ନମ୍ବର ଛୁଇଁଲେ ବି ତା ଠାରୁ ବିଜେପି ଅଧିକ ସଂଖ୍ୟା ପାଉଛି ।  ଏକାଧିକ ସଂସ୍ଥାର ଏକଜିଟ୍‌ ପୋଲରେ ଆଗରେ ରହିଛି ଭାରତୀୟ ଜନତା ପାର୍ଟି। ବିଭିନ୍ନ ସଂସ୍ଥାର ଆକଳନ ଅନୁଯାୟୀ ୪୦ରୁ ଅଧିକ ଆସନ ହାତେଇପାରେ ବିଜେପି। ସେପଟେ ୫ରୁ କମ୍ ଆସନ କଂଗ୍ରେସ ପାଇବା ନେଇ ଆକଳନ କରିଛନ୍ତି ଗଣମାଧ୍ୟମର ଏକଜିଟ୍ ପୋଲ । ତେବେ ବିଗତ ନିର୍ବାଚନ ଗୁଡ଼ିକର ଫଳାଫଳରୁ ଏକଜିଟ୍ ଓ ଏକଜାକ୍ଟ ପୋଲକୁ ନେଇ ଦ୍ବନ୍ଦ୍ବ ଲାଗି ରହିଛି  ।  

ସଂଧ୍ୟା ୬ ସୁଦ୍ଧା ୫୭.୭୦ ପ୍ରତିଶତ ପଡ଼ିଥିଲା ଭୋଟ୍‌

ସଂଧ୍ୟା ୫ଟା ସୁଦ୍ଧା ୫୭.୭୦ ପ୍ରତିଶତ ଭୋଟିଂ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଉତ୍ତର-ପୂର୍ବ ଦିଲ୍ଲୀରେ ସର୍ବାଧିକ ୬୩.୮୩ ପ୍ରତିଶତ ଭୋଟ ପଡ଼ିଥିବା ବେଳେ ସାହଦରାରେ ୬୧.୩୫%, ଦକ୍ଷିଣ-ପଶ୍ଚିମ ଦିଲ୍ଲୀରେ ୫୮.୮୬%, ଉତ୍ତର-ପଶ୍ଚିମ ଦିଲ୍ଲୀରେ ୫୮.୦୫% ଏବଂ ଉତ୍ତର ଦିଲ୍ଲୀରେ ୫୭.୨୪ ପ୍ରତିଶତ ଭୋଟ ପଡ଼ିଥିବା ସୂଚନା ମିଳିଛି   ।

ମୋଟ ୭୦ ବିଧାନସଭା ଆସନକୁ ନେଇ ଅନୁଷ୍ଠିତ ଦିଲ୍ଲୀ ନିର୍ବାଚନରେ ୧.୫୬ କୋଟି ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଦିଲ୍ଲୀରେ ମତଦାନ ପାଇଁ ୧୩ହଜାର ୭୬୬ ପୋଲିଂ ବୁଥ୍ ପ୍ରସ୍ତୁତ କରାଯାଇଥିଲା  ।  ସ୍ବଛ ଓ ଅବାଧ ନିର୍ବାଚନ ଅନୁଷ୍ଠିତ ନେଇ ଭାରତୀୟ ନିର୍ବାଚନ କମିଶନ ପକ୍ଷରୁ ହୋଇଥିଲା ସ୍ବତନ୍ତ୍ର ପ୍ରସ୍ତୁତି। ୭୦ ଆସନରେ ମୋଟ ୬୯୯ ପ୍ରତିଦ୍ୱନ୍ଦୀ ମୈଦାନକୁ ଓହ୍ଲାଇଥିବା ବେଳେ ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି   । 

ଫେବୃଆରୀ ୮ରେ ରେଜଲ୍ଚ

ଆସନ୍ତା ଫେବ୍ରୁଆରୀ ୮ତାରିଖରେ ଫଳାଫଳ ପ୍ରକାଶ ପାଇବ।  ଗତକାଲି ଭୋଟ  ଆପ ପାଇଁ ଅଗ୍ନିପରୀକ୍ଷା ହୋଇଥିବାବେଳେ ଆଗାମୀ ୫ ବର୍ଷ ପାଇଁ  ବିଜେପି ଓ କଂଗ୍ରସର ଭାଗ୍ୟ ନିର୍ଦ୍ଧାରଣ କରିବ । ଏଥର ବିଧାନସଭା ନିର୍ବାଚନ ଜିତି ହାଟ୍ରିକ ବିଜୟ ଆଶାରେ ଅଛି ଆପ୍ । ତେଣୁ ପୁଣି ଥରେ ଆମ୍ ଆଦମୀ ପାର୍ଟି ଦିଲ୍ଲୀ ଗଡ଼ ବଜାୟ ରଖିବାରେ ସଫଳ ହେବ ନା ବିଜେପି କିମ୍ବା କଂଗ୍ରେସ କିଛି ବଡ଼ ଓଲଟପାଲଟ କରିଦେବେ ତାହା ଆସନ୍ତା ୮ ତାରିଖରେ ସ୍ପଷ୍ଟ ହେବ । ଏହା ପୂର୍ବରୁ କଂଗ୍ରେସ ନେତୃତ୍ବ ଉପରେ ଯେଉଁପରି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ତାହା ଚର୍ଚ୍ଚା ବଢାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe