କନକ ବ୍ୟୁରୋ: ଏଣିକି ଗୋଟିଏ ଦୋକାନରେ ମିଳିବ ଦେଶୀ ଓ ବିଦେଶୀ ମଦ । ଅବକାରୀ ନୀତିରେ ସଂଶୋଧନ ହେବା ପରେ ଏହି ନିୟମ ଲାଗୁ କରାଯାଇଛି । ଯାହାକୁ ନେଇ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଅବଶ୍ୟ ଏହି ନିୟମ ଓଡ଼ିଶାରେ ଲାଗୁ କରାଯାଇନାହିଁ ବରଂ ୟୁପି ସରକାର ଲାଗୁ କରିଛନ୍ତି । କିନ୍ତୁ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।
ବୁଧବାର ସଂଧ୍ୟାରେ ବସିଲା କ୍ୟାବିନେଟ୍
ଯୋଗୀଙ୍କ ଅଧ୍ୟକ୍ଷତାରେ ପାସ ହେଲା ବିଲ୍
ବୁଧବାର ସଂଧ୍ୟାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ବସିଥିଲା କ୍ୟାବିନେଟ୍ ବୈଠକ । ଏହି ବୈଠକରେ ରାଜ୍ୟରେ ଲାଗୁ ହେବାକୁ ଥିବା ଅବକାରୀ ନୀତିରେ ସଂଶୋଧ କରାଯାଇଛି । କ୍ୟାବିନେଟ୍ ମଂଜୁରୀ ପରେ ଏବେ ଗୋଟିଏ ମଦ ଦୋକାନରେ ଉଭୟ ଦେଶୀ ଓ ବିଦେଶୀ ମଦ ବିକ୍ରି ଲାଗି ନିଷ୍ପତ୍ତି ହୋଇଛି । ନିୟମ ପରେ ମଦ ଦୋକାନ ଲାଗି ନୂଆ ଲାଇସେନ୍ସ ବି ଜାରି କରାଯିବା ନେଇ ସୂଚନା ମିଳିଛି । ତେଣୁ ଏଣିକି ଗୋଟିଏ ଦୋକାନରେ ବିଅର, ଦେଶୀ ଓ ବିଦେଶୀ ମଦ ମିଳିବ । ହେଲେ ସେଠାରେ କୌଣସି ବ୍ୟକ୍ତି ମଦ ପିଇବେ ନାହିଁ ବୋଲି କୁହାଯାଇଛି ।
ସୂଚନା ଅନୁସାରେ, ୨୫-୨୬ ଆର୍ଥିକ ବର୍ଷରେ ଦେଶୀ, ବିଦେଶୀ, ବିଅର ଓ ଭାଙ୍ଗ ଦୋକାନ ପାଇଁ ଇ-ଲଟେରୀ କରାଯିବ । ଯେଉଁମାନେ ଲଟେରୀରେ ବିଜେତା ହେବେ ସେମାନେ ଲାଇସେନ୍ସ ପାଇବେ । ଏହାସହ ଚଳିତ ଆର୍ଥିକ ବର୍ଷରୁ ପୁରୁଣା ମଦ ଦୋକାନର ନବୀକରଣ ରିନ୍ୟୁଆଲ୍ ହେବ ନାହିଁ । ୨୬-୨୭ରୁ ଦୋକାନର ଲାଇସେନ୍ସ ନବୀକରଣ ହୋଇପାରିବ । ଖାଲି ଏତିକି ନୁହେଁ ବରଂ ପ୍ରିମିୟମ୍ ରିଟେଲ ସପ୍ ଲାଗି ଲାଇସେନ୍ସ ଦେୟ ଅପରିବର୍ତ୍ତିତ ରହିବ । ବାର୍ଷିକ ୨୫ ଲକ୍ଷ ଶୁଳ୍କ ଦେଇ ଦୋକାନର ଲାଇସେନ୍ସ ନବୀକରଣ କରାଯାଇପାରିବ । କେବଳ ଏତିକି ନୁହେଁ ବରଂ ଅବକାରୀ ବିଭାଗରେ ୫୫ ହଜାର କୋଟି ଟଙ୍କାର ରାଜସ୍ବ ଆଦାୟ ନେଇ ଲକ୍ଷ୍ୟ ରଖାଯାଇଛି । ଯଦି ଏହି ଲକ୍ଷ୍ୟ ହାସଲ ହୁଏ ତାହାଲେ ପୂର୍ବାପେକ୍ଷା ୪ ହଜାର କୋଟି ଟଙ୍କାରୁ ଅଧିକ ହେବ ଆୟ ହେବ ଚଳିତ ବର୍ଷ ।
୬୦ ଓ ୯୦ ଏମଏଲ ବୋତଲରେ ବି ବିଦେଶୀ ମଦ
ଅବକାରୀ ନୀତିରେ ସଂଶୋଧନ ହେବା ପରେ ଏଣିକି ୬୦ ଓ ୯୦ ଏମଏଲ ବୋତଲରେ ବିଦେଶୀ ମଦ ଉପଲବ୍ଧ ହେବ । ହେଲେ ମଲର ମଲ୍ଟିପ୍ଲେକ୍ସ ଅଂଚଳରେ ପ୍ରିମିୟମ୍ ବ୍ରାଣ୍ଡର ଦୋକାନ ଖୋଲିବ ନାହିଁ । ବିମାନ ବନ୍ଦର, ମେଟ୍ରୋ, ରେଲୱେ ଷ୍ଟେସନ ଆଦି ଭବନରେ ନୋ ଅବଜେକ୍ସନ ସାର୍ଟିଫିକେଟ୍ରେ ମଦ ଦୋକାନ ଖୋଲାଯାଇପାରିବ । ମୋଟ୍ ଉପରେ ଅବକାରୀ ନୀତିରେ ସଂଶୋଧନ ହେବା ପରେ ଏବେ ପୁରା ରାଜ୍ୟରେ ଚର୍ଚ୍ଚା ଚାଲିଛି । କାରଣ ଗୋଟିଏ ଦୋକାନରେ ଦୁଇ ପ୍ରକାର ମଦ ମିଳିଲେ ମଦୁଆଙ୍କ ସଂଖ୍ୟା ବି ଭୟଙ୍କର ଭାବରେ ବଢିବ । ସେପଟେ ସରକାରଙ୍କ କହିବା କଥା ଗୋଟିଏ ଦୋକାନରେ ସବୁପ୍ରକାର ମଦ ମିଳିଲେ କୌଣସି ଅସୁବିଧା ନାହିଁ । ଯେଉଁମାନେ ମଦ୍ୟପାନ କରୁଛନ୍ତି ସେମାନେ ଗୋଟିଏ ସ୍ଥାନରୁ ମଦ କିଣିପାରିବେ ।
ଗୋଟିଏ ପଟେ ଦେଶର ଗୋଟିଏ ପରେ ଗୋଟିଏ ରାଜ୍ୟରେ ମଦ ବ୍ୟାନ ହେବାରେ ଲାଗିଛି । ଏମିତି ପରିସ୍ଥିତିରେ ୟୁପି ସରକାର ଅବକାରୀ ନୀତିକୁ ନେଇ ସଂଶୋଧନ କରାଯାଇଛି ତାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।