କନକ ବ୍ୟୁରୋ: ଏଥର ସରଗରମ ବଜେଟ୍ ଅଧିବେଶନ । ଉଭୟ ଲୋକସଭା ଓ ରାଜ୍ୟସଭାରେ ମୁହାଁମୁହିଁ ଶାସକ-ବିରୋଧୀ । ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଗୃହରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ଶାସକ ଦଳକୁ ଟାର୍ଗେଟ୍ କରିଥିଲେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧି । କହିଥିଲେ, ମେକ୍ ଇଣ୍ଡିଆ ଉପରେ ଗୁରୁତ୍ବ ଦେଉନାହାନ୍ତି କେନ୍ଦ୍ର ସରକାର । କେବଳ ବାହାରୁ ତିଆରି କରି ଏଠାରେ ପୂର୍ଣ୍ଣାଙ୍ଗ ରୂପ ଦେଇଦେଲେ ମେକ୍ ଇନ୍ ଇଣ୍ଡିଆ ହୋଇଯାଏନି ବରଂ ଏଠାରେ ତିଆରି ହୋଇଥିବା ସାମଗ୍ରୀ ହିଁ ମେକ୍ ଇନ୍ ଇଣ୍ଡିଆ ବୋଲି କେନ୍ଦ୍ର ସରକାର ଜାଣିବା ଦରକାର । ଖାଲି ଏତିକି ନୁହେଁ ବରଂ ନିଜ ପକେଟ୍ରୁ ଥିବା ଆଇଫୋନ୍ ଦେଖାଇ ରାହୁଲ ପ୍ରଶ୍ନ କରିଥିଲେ,ଏହା କେଉଁଠାରେ ତିଆରି ହୋଇଛି । ଫୋନ୍ରେ ମେକ୍ ଇନ୍ ଇଣ୍ଡିଆ ଲେଖାଯାଇଛି ସତ ହେଲେ ପ୍ରକୃତରେ ଏହା ମେକ୍ ଇନ୍ ଇଣ୍ଡିଆ ନୁହେଁ । ସେପଟେ ଏନେଇ ରାହୁଲଙ୍କୁ ସମାଲୋଚନା କରିଛନ୍ତି କଳାହାଣ୍ଡି ସାଂସଦ ମାଳବିକା ଦେବୀ । କହିଛନ୍ତି, ରାହୁଲ ଜୀଙ୍କ ଭାଷଣ ବୋରିଂ ନଥିଲା ବରଂ ଏଣ୍ଟରଟେନିଂ ଥିଲା ।
ତେଜିଲା ଶାସକ-ବିରୋଧୀ କଳି । ରାହୁଲ ମୋଦିଙ୍କୁ ପ୍ରଶ୍ନବାଣରେ ଘାଇଲା କରିବାକୁ ଚେଷ୍ଟା କରିଥିଲେ । ହେଲେ ବିଜେପି ଦଳର ସାଂସଦ ରାହୁଲଙ୍କୁ ବାକ୍ୟବାଣରେ ଏମିତି ଘାଇଲା କଲେ ଯେ ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା । କଳାହାଣ୍ଡି ସାଂସଦ ମାଳବିକା ଦେବୀ କହିଥିଲେ, ବିରୋଧୀ ଦଳର ନେତା ଚାଇନା ଉପରେ ଯେତିକି ରିସର୍ଚ୍ଚ କରିକି ଗୃହକୁ ଆସିଛନ୍ତି ଯଦି ସେତିକି ଭାରତ ଉପରେ କରିକି ଆସିଥାଆନ୍ତେ ତାହାଲେ ବହୁତ ଭଲ ହୋଇଥାଆନ୍ତା ।
ଭାରତ କେତେ ବିକାଶ କରିଛି ସେନେଇ ବିରୋଧୀ ଦଳ ଅବଗତ ନାହିଁ । ନିଜ ସରକାର ଥିବା ସମୟରେ ବିକାଶ ହୋଇନଥିଲା ବୋଲି ଏବେ ବି ସମାନ ଅବସ୍ଥା ଅଛି ବୋଲି କିଛି ଭାବୁଛନ୍ତି । ମୋଦିଙ୍କ ନେତୃତ୍ବରେ ଦେଶ ବିକାଶର ଶିଖର ଛୁଇଁବ ଏଥିରେ କୌଣସି ଦ୍ବିମତ ନାହିଁ । ମୋଟ୍ ଉପରେ ରାଷ୍ଟ୍ରପତିଙ୍କ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ବେଳେ ଉଭୟ ଗୃହରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ । ଉଭୟ ଉଭୟଙ୍କ ଉପରେ ଦୋଷ ଲଦାଲଦି ବି ହୋଇଥିଲେ । ହେଲେ ମାଳବିକା ଦେବୀଙ୍କ ବୟାନକୁ ନେଇ ଏବେ ଭାରି ଚର୍ଚ୍ଚା ।