କନକ ବ୍ୟୁରୋ: ରାଜଧାନୀ ଦିଲ୍ଲୀର ସିଏମ କିଏ ହେବ ସେନେଇ ଭାରି ଚର୍ଚ୍ଚା । ଏହାରି ଭିତରେ ବିଧାନସଭା ନିର୍ବାଚନ ଜିତିବା ପରେ ବିଜେପି ହିଁ ସରକାର କରିବ । ଏନେଇ ପ୍ରସ୍ତୁତି ବି ଆରମ୍ଭ ହୋଇ ସାରିଛି । କୁହାଯାଉଛି କି, ଆଜି ସିଏମ ନେଇ ବଡ଼ ବୈଠକ ହେବ । ଇଏ ତ ଗଲା ଦଳୀୟ କଥା । ହେଲେ ଶପଥ ଗ୍ରହଣ ଉତ୍ସବରେ ପ୍ରସ୍ତୁତି ଜୋରଦାର ହେଲାଣି । ପାଖାପାଖି ୩୦ ହଜାର ଅତିଥିଙ୍କ ଲାଗି ଚେୟାର ବି ପଡ଼ିଲାଣି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ୨୦ ତାରିଖ ଅପରାହ୍ନ ସାଢେ ୪ଟାରେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ । ଏନେଇ ରାମଲୀଳା ମୈଦାନରେ ଜୋରଦାର ପ୍ରସ୍ତୁତି ବି ହେଉଛି । 

Advertisment

ଚର୍ଚ୍ଚାରେ ଦିଲ୍ଲୀ ସିଏମଙ୍କ ଶପଥ ଗ୍ରହଣ ଉତ୍ସବ
ଶପଥ ଗ୍ରହଣ ସମାବେଶରେ ପଡ଼ିବ ୩୦ ହଜାର ସିଟ୍‌
ଶପଥଗ୍ରହଣ ଉତ୍ସବ ପାଇଁ ତିଆରି ହେବ ୩ ମଂଚ
ଗୋଟିଏ ମଂଚ ଓ ଅନ୍ୟ ଦୁଇଟି ଛୋଟ

ସିଏମଙ୍କ ଶପଥ ଉତ୍ସବ ଲାଗି ଭବ୍ୟ ଆୟୋଜନ ହେଉଛି ରାଜଧାନୀ ଦିଲ୍ଲୀରେ । କୁହାଯାଉଛି କି, ତିନୋଟି ମଂଚ ପ୍ରସ୍ତୁତ ହେଉଛି । ଗୋଟିଏ ମଂଚ ୪୦*୨୪ ରହିଥିବା ବେଳେ ଅନ୍ୟ ଦୁଇଟି ୩୦*୪୦ ରହିବ । ମଂଚରେ ୧୦୦ରୁ ଅଧିକ ସିଟ୍‌ ପଡ଼ିବା ନେଇ ବ୍ୟବସ୍ଥା  ହୋଇଛି । ଠିକ୍‌ ସେହିପରି ମଂଚ ତଳେ ବସିବା ଲାଗି ପ୍ରାୟ ୩୦ ହଜାର ସିଟ୍‌ ପଡ଼ିବ । ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ଦିଲ୍ଲୀରେ ବିଜେପିର ବିଜୟ ହେବା ପରେ କେବେ ସିଏମ ଶପଥ ନେବେ ସେନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା । ହେଲେ ଏବେ ଧୀରେ ଧୀରେ ସେହି ପ୍ରଶ୍ନ ଉପରୁ ପରଦା ଉଠିଗଲାଣି । କଥା ହେଲା ବର୍ତ୍ତମାନ ଦିଲ୍ଲୀର କାମଚଳା ମୁଖ୍ୟମନ୍ତ୍ରୀ ଆତିଶୀ ମଧ୍ୟ ଏନେଇ ଅନେକ ପ୍ରଶ୍ନ କରିଥିଲେ କି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହେବ କିଏ । କିନ୍ତୁ ସେହି ପ୍ରଶ୍ନରୁ ଧୀରେ ଧୀରେ ସ୍ପଷ୍ଟତା ଆସିବାକୁ ଯାଉଛି । ଆଜି ବସୁଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି କୁହାଯାଉଛି । ଅବଶ୍ୟ ବିଜେପି ପକ୍ଷରୁ ଶପଥ ଗ୍ରହଣ ତାରିଖ ତ ସ୍ପଷ୍ଟ କରାଯାଇଛି । କିନ୍ତୁ କିଏ ମୁଖ୍ୟମନ୍ତ୍ରୀ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । 
ଚର୍ଚ୍ଚାରେ ଏହି ନେତା

ଦିଲ୍ଲୀର ଭାର କାହା କାନ୍ଧରେ ରହିବ ସେନେଇ ଅନେକ ଚର୍ଚ୍ଚା ଚାଲିଛି । ଏହାରି ଭିତରେ କିଛି ନେତାଙ୍କ ନାଁରେ କେନ୍ଦ୍ର ନେତୃତ୍ବ ମୋହର ମାରିପାରିବା ନେଇ ବି ଚର୍ଚ୍ଚା ହେଉଛି । ସେମାନଙ୍କ ମଧ୍ୟରେ ସବୁଠାରୁ ଚର୍ଚ୍ଚିତ ହେଉଛନ୍ତି ପ୍ରବେଶ ବର୍ମା ।

ପ୍ରବେଶ ବର୍ମା

ପ୍ରବେଶ ବିଜେପିର ଏମିତି ଜଣେ ନେତା ଯିଏ କି ନୂଆଦିଲ୍ଲୀ ଆସନରୁ ଆପ୍‌ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇଛନ୍ତି । 

ଆଶିଷ ସୁଦ୍ଦ

ଦିଲ୍ଲୀ ବିଜେପିର ମହାସଚିବ ତଥା ଜନକପୁରୀ ଆସନରୁ ନିର୍ବାଚିତ ହୋଇଛନ୍ତି ଆଶିଷ ସୁଦ୍ଦ । କେନ୍ଦ୍ର ନେତୃତ୍ବଙ୍କ ସହ ତାଙ୍କର ଭଲ ସମ୍ପର୍କ ଥିବାରୁ ତାଙ୍କୁ ନେଇ ବି ଚର୍ଚ୍ଚା ହେଉଛି । 

ରେଖା ଗୁପ୍ତା

ଦିଲ୍ଲୀ ଏଥର ପାଇବ କି ମହିଳା ମୁଖ୍ୟମନ୍ତ୍ରୀ । ଏନେଇ ବି ଆଲୋଚନା ହେଉଛି । ସେଇଥି ଲାଗି ତ ରେଖା ଗୁପ୍ତାଙ୍କ ନାଁକୁ ନେଇ ବି ଚର୍ଚ୍ଚା ଚାଲିଛି । ସାଲିମାର ବାଗ ଆସନରୁ ସେ ଏଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।

ବିଜେନ୍ଦ୍ରର ଗୁପ୍ତା

ରୋହିଣୀ ବିଧାୟକ ବିଜେନ୍ଦ୍ରର ଗୁପ୍ତାଙ୍କୁ ବି ନେଇ ଚର୍ଚ୍ଚା ଚାଲିଛି । ଦିଲ୍ଲୀର ବରିଷ୍ଠ ନେତା ତଥା ବିରୋଧୀ ଦଳର ନେତା ଭୂମିକା ବି ସେ ତୁଲାଇଛନ୍ତି । 

ସତୀଶ ଉପାଧ୍ୟୟ

ମାଲବୀୟ ନଗରରୁ ବିଧାନସଭାକୁ ନିର୍ବାଚିତ ହୋଇଥିବା ସତୀଶ ଉପାଧ୍ୟୟ ବି ରେସ୍‌ରେ ସାମିଲ ଅଛନ୍ତି । ବ୍ରାହ୍ଣଣ ସମ୍ପ୍ରଦାୟରୁ ସେ ନେତା ହୋଇଛନ୍ତି, ପୂର୍ବରୁ ରାଜ୍ୟ ସଭାପତି ବି ଥିଲେ । 

ଜିତେନ୍ଦ୍ର ମହାଜନ

ବରିଷ୍ଠ ନେତା ତଥା ଆରଏସଏସ ସଂଘର କର୍ମକର୍ତ୍ତା । କୁହାଯାଉଛି ସେ ବି ସିଏମ ପଦ ଲାଗି ଦାବିଦାର ।

ସରକାର ଗଠନ ପାଇଁ ଆଜି ବସୁଛି ମିଟିଂ

ଆଜି ସଂଧ୍ୟାରେ ଦିଲ୍ଲୀରେ ବିଧାୟକ ଦଳ ମିଟିଂ ହେଉଛି । ଏହି ବୈଠକରେ ନେତା ଓ ଶପଥ ଗ୍ରହଣ ଉତ୍ସବ ସମ୍ପର୍କରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବା ନେଇ ଚର୍ଚ୍ଚା ହେଉଛି । ଏହି ବୈଠକରେ ଦିଲ୍ଲୀର ଅନେକ ବରିଷ୍ଠ ନେତା ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି । 

ମୋଦୀଙ୍କ ସହ ବରିଷ୍ଠ ନେତାଙ୍କ ହେବ ଆଲୋଚନା

ଦିଲ୍ଲୀର ସିଏମଙ୍କ ନାଁ ଘୋଷଣା ପୂର୍ବରୁ ମୋଦୀଙ୍କ ସହ ଦିଲ୍ଲୀ ବିଜେପିର ବରିଷ୍ଠ ନେତାଙ୍କ ସହ ବୈଠକ ହେବ । ସୂତ୍ର ଅନୁସାରେ, ଦିଲ୍ଲୀରେ ପ୍ରାୟ ୧୫ ଜଣ ମନ୍ତ୍ରୀ ଦାବିଦାର ଅଛନ୍ତି । କୁହାଯାଉଛି ନୂଆ ସରକାରରେ କେହି ଉପମୁଖ୍ୟମନ୍ତ୍ରୀ ରହିବେ ନାହିଁ । ସମସ୍ତଙ୍କ ନାଁ ଘୋଷଣା ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ବୈଠକ ହେବ । 

୭୦ ସିଟ୍‌ରୁ ବିଜେପି ଜିତିଛି ୪୮

ଏଥର ବିଧାନସଭା ନିର୍ବାଚନରେ ବିଜେପି ବହୁମତ ପାଇଛି । ଅର୍ଥାତ୍‌ ମୋଟ୍‌ ୭୦ ଆସନରୁ ୪୮ ସିଟ୍‌ରେ ଜିତିଛି ଭାରତୀୟ ଜନତା ପାର୍ଟି । ୧୯୯୩ ମସିହା ପରେ ପ୍ରଥମ ଥର ଲାଗି ବିଜେପି ଏଥର ସରକାର କରିବାକୁ ଯାଉଥିବାରୁ ନେତା ଓ କର୍ମୀ ବେଶ ଉତ୍ସାହିତ ।